ବ୍ରହ୍ମପୁର : କାର୍ଯ୍ୟକ୍ଷମ ହୋଇଛି ହଳଦିଆପଦର ଫ୍ଲାଏଓଭର୍‌। ଆପ୍ରୋଚ ରାସ୍ତା ମଧ୍ୟ ତିଆରି ହୋଇଛି। ଲୋକଙ୍କ ଯିବା ଆସିବା ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି। କିନ୍ତୁ ୧୩‌ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ଅତ୍ୟାଧୁନିକ ବସ୍‌ ନର୍ମିନସ୍‌ରୁ ଚକ ଗଡ଼ିପାରି ନାହିଁ। ଏଠାରୁ କେବେ ବସ୍‌ ଗଡ଼ିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ। ବସ୍‌ ଟର୍ମିନସ୍‌ କାର୍ଯ୍ୟକ୍ଷମ କରିବା ପାଇଁ ଫ୍ଲାଏଓଭର୍‌ ସହିତ ଅନ୍ୟ ରାସ୍ତା ନିର୍ମାଣ ହେଲା। ଅଥଚ ବସ୍‌ ଟର୍ମିନସ୍‌ କାର୍ଯ୍ୟକ୍ଷମ ଦିଗରେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ବସ୍‌ ଟର୍ମିନସ୍‌ର ବିରାଟକାୟ କୋଠା ଭୂତକୋଠି ହୋଇ ପଡ଼ି ରହିଛି।

Advertisment

ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ୍‌କୁ ହଳଦିଆପଦର ସ୍ଥିତ ଅତ୍ୟାଧୁନିକ ବସ୍‌ ଟର୍ମିନସ୍‌କୁ ସ୍ଥାନାନ୍ତ କରିବା ପାଇଁ ୨୦୧୯ରେ ପ୍ରଶାସନ ଯୋଜନା କରିଥିଲା। ଘରୋଇ ବସ୍‌ ମାଲିକ ସଂଘ ଏହାକୁ ବିରୋଧ କଲେ। ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସିଟି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ବସ୍‌ ମାଲିକଙ୍କୁ ନିର୍ଦ୍ଦେଶ ଜାରି କରିଥିଲା। ହେଲେ ସବୁ ଉଦ୍ୟମ ଫସର ଫାଟି ଯାଇଥିଲା। ବସ୍‌ ଯାତାୟାତ ପାଇଁ ଆବଶ୍ୟକ ରାସ୍ତା ନଥିବା ବେଳେ ଜାତୀୟ ରାଜପଥ ଉପରେ ଏକ ଫ୍ଲାଏଓଭର୍‌ ନିର୍ମାଣ ସହିତ ଆପ୍ରୋଚ ରୋଡ଼ ବ୍ୟବସ୍ଥା କରିବାକୁ ସଂଘ ତରଫରୁ ଦାବି କରାଯାଇଥିଲା। ଏହି ସବୁ ବ୍ୟବସ୍ଥା କଲେ ଟ୍ରାଫିକ୍‌ ସମସ୍ୟା ଦେଖା ଦେବ ନାହିଁ ‌କି ଦୁର୍ଘଟଣାର ଆଶଙ୍କା ରହିବ ନାହିଁ ବୋଲି ପ୍ରସ୍ତାବ ଦିଆଯାଇଥିଲା। ସେ ଅନୁସାରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ତରଫରୁ ଏନ୍‌ଏଚ୍‌ଏଆଇର ଅନୁମତି ପରେ ହଳଦିଆପଦରରେ ଏକ ଫ୍ଲାଏଓଭର୍‌ ନିର୍ମାଣ କରାଯାଇଛି। ଏବେ ଫ୍ଲାଏଓଭର୍‌ କାର୍ଯ୍ୟକ୍ଷମ ହୋଇଛି। ହେଲେ ପ୍ରାୟ ୧୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବସ୍‌ ଟର୍ମିନସ୍‌ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ବସ୍‌ ଟର୍ମିନସ୍‌ କାର୍ଯ୍ୟକ୍ଷମ ହୋଇ ନଥିବାରୁ ସେହି ରାସ୍ତା କଡ଼ରେ ବେଆଇନ ଭାବେ ଟ୍ରକ୍‌ ପାର୍କିଂ କରାଯାଉଛି। ଏପରିକି ଫ୍ଲାଏଓଭର୍‌ ତଳେ ମଧ୍ୟ ଟ୍ରକ୍‌ ଓ କଣ୍ଟେନର୍‌ଗୁଡ଼ିକ ରଖାଯାଇଥିବା ଦେଖିବାକୁ ମିଳିଛି। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ବସ୍‌ ଟର୍ମିନସ୍‌ର କୋଠା ପରିତ୍ୟକ୍ତ ଅବସ୍ଥାରେ ରହିଛି। ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଆଉ କେଉଁଠି ଆବର୍ଜନା ଗଦା ହୋଇ ରହିଥିବା ଦେଖିବାକୁ ମିଳିଛି। ରାତିରେ ସେହି ଅଞ୍ଚଳ ମଦ୍ୟପଙ୍କ ଆଡ଼ା ପାଲଟି ଯାଉଛି। ଯେଉଁ ଉଦ୍ଦେଶ୍ୟ ନେଇ ଏହା ତିଆରି ହୋଇଥିଲା ତାହା ସାଧନ ହୋଇପାରୁ ନଥିବା ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ବ୍ରହ୍ମପୁର ସହର ନିମନ୍ତେ ଅତ୍ୟାଧୁନିକ ବସ୍‌ ଟର୍ମିନସ୍‌ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ସହରରୁ ବସ୍‌ଷ୍ଟାଣ୍ଡ୍‌ ସ୍ଥାନାନ୍ତର କରାଗଲେ ଟ୍ରାଫିକ୍‌ ସମସ୍ୟାରେ ସୁଧାର ଆସିବ ବୋଲି କୁହାଯାଇଥିଲା। ଏଥିପାଇଁ ୨୦୧୩ ଅକ୍ଟୋବର ୩ତାରିଖରେ ଅତ୍ୟାଧୁନିକ ବସ୍‌ ଟର୍ମିନସ୍‌ ପ୍ରତିଷ୍ଠା କରିବା ପାଇଁ ହଳଦିଆପଦରରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏଠାରେ ଯାତ୍ରୀଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ପ୍ରତିକ୍ଷାଳୟ, ଫୁଡ୍‌କୋର୍ଟ, ପାର୍କି˚ ସୁବିଧା ସହିତ ଶୌଚାଳୟ ନିର୍ମାଣ କରାଯାଇଛି। ୨୦୧୬ ଫେବ୍ରୁଆରି ମାସରେ ବଡ଼ ଜାକଜମକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ଇତି ମଧ୍ୟରେ ୭ବର୍ଷ ବିତିବାକୁ ବସିଥିବା ବେଳେ ବସ୍‌ ଟର୍ମିନସ୍‌ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏ ସମ୍ପର୍କରେ ବିଡିଏ ସଚିବ ସମ୍ବିତ ରାଉତ କହନ୍ତି, ନିକଟରେ ଫ୍ଲାଏଓଭର୍‌ କାର୍ଯ୍ୟକ୍ଷମ ହୋଇଛି। ବସ୍‌ ଟର୍ମିନସ୍‌ କାର୍ଯ୍ୟକ୍ଷମ ଦିଗରେ ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।