ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ହଇରଙ୍ଗ ପଞ୍ଚାୟତ ଓଡ଼ିଶାଗଡ଼ ଆଶ୍ରମପାଟଣାର ପ୍ରଫୁଲ୍ଲ କୁମ‌ାର ଖଣ୍ଡାୟତରାୟ। ମାତ୍ର ୩୩ ବର୍ଷ ବୟସରେ ଗୋଡ଼ ଦୁଇଟି ଅଚଳ ହେବାପରେ ବି ଦୁଃଖଦ ପରିସ୍ଥିତିକୁ ସାମ୍ନା କରି ନିଜର କଠିନ ପରିଶ୍ରମ ବଳରେ ଅନ୍ତର୍ଜାତୀୟ ଖେଳାଳି ପାଲଟିଛନ୍ତି। ୨୦୧୬ ମସିହାରେ ପ୍ରଫୁଲ୍ଲ ରାଜ୍ୟ ପାରା କ୍ରୀଡ଼ାରେ ସ୍ବର୍ଣ୍ଣ ଜିତି ରାଜସ୍ଥାନ ଜାତୀୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ସେଠାରେ କିଛି ଅନ୍ତର୍ଜାତୀୟ ହ୍ବିଲ୍‌ଚେୟାର ଅସିଚାଳକଙ୍କ ସହ ମିଶିବାର ସୁଯୋଗ ପାଇଥିଲେ। ସେହିଠାରୁ ହିଁ ସେ ଅସିଚାଳନାରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଭୁବନେଶ୍ବରରେ ବଲ୍‌ଦୀପ୍‌ ‌ସୋହୋତାଙ୍କଠାରୁ ପ୍ରଶିକ୍ଷଣ ନେଇ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ଲାଗି ହରିୟାଣା ଯାଇଥିଲେ। ସେଠାରେ ବ୍ୟକ୍ତିଗତ ସାବ୍‌ରେରେ ରୌପ୍ୟ ଓ ଦଳଗତ ଫଏଲରେ କାଂସ୍ୟ ଜିତିଥିଲେ। ୨୦୧୮ରେ ମଣିପୁର ଜାତୀୟ ପ୍ରତିଯୋଗିତାର ବ୍ୟକ୍ତିଗତ ସାବ୍‌ରେରେ କାଂସ୍ୟ ଏବଂ ୨୦୧୯ ଚେନ୍ନାଇରେ ଫଏଲ ଦଳଗତରେ ସ୍ବର୍ଣ୍ଣ ଜିତିଥିଲା ବେଳେ ବ୍ୟକ୍ତିଗତ ଫଏଲ୍‌ରେ ରୌପ୍ୟ ଓ ସାବ୍‌ରେରେ କାଂସ୍ୟ କରାୟତ୍ତ କରିଥିଲେ। ତା’ପରେ ଅନ୍ତର୍ଜାତୀୟ ଖେଳାଳି ହୋଇଯାଇଥିଲେ ପ୍ରଫୁଲ୍ଲ।

Advertisment

୨୦୨୨ରେ ଥାଇଲାଣ୍ଡ ବିଶ୍ବକପ୍‌ରେ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ପ୍ରଫୁଲ୍ଲ। ‌୨୦୨୨ ଏସୀୟ କ୍ରୀଡ଼ା ଓ ୨୦୨୩ ବିଶ୍ବ କ୍ରୀଡ଼ାରେ ଭାରତରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। ୨୦୨୨ରେ ସେ ଅସିଚାଳନା ଜାରି ରଖିବା ସହ ଦୌଡ଼କୁଦକୁ ଫେରିଥିଲେ। ‌ପ୍ରତ୍ୟାବର୍ତ୍ତ‌ନରେ ସେ ଲଗାତାର ୨୦୨୨, ୨୦୨୩ ଓ ୨୦୨୪ ରାଜ୍ୟ ପାରା ଦୌଡ଼କୁଦ ପ୍ରତିଯୋଗିତାର ଜାଭଲିନ୍‌, ସଟ୍‌ପୁଟ୍‌ରେ ବିଜେତା ହୋଇଛନ୍ତି। କିନ୍ତୁ, ଜାତୀୟସ୍ତରରେ ଚତୁର୍ଥ ସ୍ଥାନରେ ରହି ପଦକ ପାଇବାରେ ବିଫଳ ହୋଇଥିଲେ। ତଥାପି ତାଙ୍କର ଆନ୍ତର୍ଜାତିକ ସଫଳତା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଲା। ଗତବର୍ଷ ରାଜ୍ୟ ସରକାର ତାଙ୍କୁ ଅମିନ ଚାକିରି ଦେଇଛନ୍ତି। ନିଜ ସଫଳତାର ଶ୍ରେୟ ପତ୍ନୀ ମୋନାଲିସାଙ୍କୁ ଦେଇଛନ୍ତି ପ୍ରଫୁଲ୍ଲ।