କରୋନା ରୋଗୀ ଚିହ୍ନଟ ପରେ ଅଧା ବ୍ରଜରାଜନଗର ସିଲ୍

ଝାରସୁଗୁଡା: ବ୍ରଜରାଜନଗର ପୌରାଞ୍ଚଳ ଓରିଏଣ୍ଟ ଥାନା ନିକଟ ବୁଢ଼ୀଜାମ୍ କ୍ୟାମ୍ପ ଠାରେ ଜଣେ କୋଲକାତାରୁ ଆସିଥିବା ଯୁବତୀ କରୋନାରେ ଆକ୍ରାନ୍ତ ହେବା ଜଣା ପଡିବା ପରେ ଗତକାଲି ରାତି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ୩୧ଜଣଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଆଧାରରେ ଓରିଏଣ୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ। କୋଭିଡ ୧୯ର ଗାଇଡ଼ ଲାଇନ ଅନୁସାରେ ଏହାକୁ ଲାଗି ରହିଥିବା ଅଞ୍ଚଳ କୁ ବଫର୍ ଜୋନ୍ ଘୋଷଣା କରାଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତିରେ କଣ୍ଟେନମେଣ୍ଟ ଜୋନକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି।

ରାସ୍ତାରେ ବାଡ଼ ଦେଇ ଜଗି ରହିଛି ପୁଲିସ

କଣ୍ଟେନମେଣ୍ଟ ଜୋନ ପାଟଯୋଶୀ ଛକ ରୁ ଆରମ୍ଭ କରି ଆମ୍ବେଦକର ଛକ, ଗୁଆଲାପଡା ମନ୍ଦିର, ଶିବମନ୍ଦିର, ଟନେଲ୍ ରୋଡ଼, ରେଲୱେ ଫାଟକ, ଲଜକୁରା ରୋଡ଼, ସିତାରା ଛକ, ସାନଯୋବ ପ୍ରାଥମିକ ବିଦ୍ୟାଳୟ ଛକ ଏବଂ ବଫର ଯୋନରେ ଆସୁଥିବା ଖାଲିଆକାନି ଛକ, ଇଏସ୍ଆଇ ଛକ, ବିଜୁ ପଟ୍ଟନାୟକ ଛକ, ଅଣ୍ଡା ଛକ, ରେଲୱେ ଷ୍ଟେସନ ଛକ, ସାନଯୋବ ଛକ ଓ ଓରିଏଣ୍ଟ ୩ ନମ୍ବର କୋଇଲାଖଣି କଲୋନୀ ରାସ୍ତାକୁ ବାଡ଼ ଦେଇ ସିଲ୍ କରାଯାଇଛି।

ଏକାଧିକ ବିଶେଷଜ୍ଞ ଦଳ ବ୍ରଜରାଜନଗରରେ

ସ୍ୱାସ୍ଥ୍ୟ ପରୀକ୍ଷା ଓ କଣ୍ଟାଟ ହିଷ୍ଟ୍ରି ପାଇଁ ରାଜ୍ୟରୁ ଏକ ବିଶେଷଜ୍ଞ ଦଳ ବ୍ରଜରାଜନଗର ରେ ଆସି ପହଞ୍ଚିଛନ୍ତି। ସେମାନେ କଣ୍ଟେନ୍ମେଣ୍ଟ୍ ଯୋନ ରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସର୍ଭେ କରିବା ସହ ଆବଶ୍ୟକ ପଦକ୍ଷେପ ନେବେ। ଏହା ସହିତ କଣ୍ଟାକ୍ଟଲିଷ୍ଟ ଅନୁସାରେ ସେମାନଙ୍କ ଘରକୁ ଯାଇ ସେମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ସ୍ଥଳେ ସ୍ୱାବ୍ ସଂଗ୍ରହ କରିବେ। ସେମାନେ ଏହିକାମ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତି କରୁଛନ୍ତି। ଖୁବ ଶୀଘ୍ର ଆଉ କେତୋଟି ଟିମ୍ ଏହି କାମରେ ଲାଗିବେ ଖୁବ ଶୀଘ୍ର ଜଣା ପଡିବ ବୋଲି ଡା ବାସୁଦେବ ମୁର୍ମୁ କହିଛନ୍ତି।

ଅତ୍ୟାବଶ୍ୟକୀୟ ସେବାରେ ଅଧିକାରୀଙ୍କ କାର୍ଯ୍ୟ ଆରମ୍ଭ

କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ସୁବିଧା ପାଇଁ ଦାୟିତ୍ବ ଦିଆଯାଇଥିବା ଅଧିକାରୀମାନେ ଆଜି ସକାଳୁ ପହଞ୍ଚି ଯାଇ ନିର୍ଦ୍ଧିଷ୍ଟ ଦାୟିତ୍ୱ ନିର୍ବାହ ଆରମ୍ଭ କରିଛନ୍ତି। ସଂକ୍ରମିତ ଅଞ୍ଚଳରେ ସାନିଟାଇଜେସନ ଦାୟିତ୍ବରେ ଥିବା ନିର୍ବାହୀ ଅଧିକାରୀ ଦିଲ୍ଲୀପ ପଟେଲ, ଆଇନ ଶୃଙ୍ଖଳା ପାଇଁ କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ, ଔଷଧ,ଖାଦ୍ୟ ସମଗ୍ରୀ ଓ ରାସନ ସାମଗ୍ରୀ ଆଦି ଯୋଗାଣ ଦାୟିତ୍ୱରେ ଝାରସଗୁଡା ତହସିଲଦାର ଦିଲ୍ଲୀପ ପ୍ରଧାନ, ମେଡ଼ିକାଲ ଦାୟିତ୍ୱ ରେ ଖାଲିଆକାନି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ଡା ବାସୁଦେବ ମୁର୍ମୁ ତାଙ୍କ ଦାୟିତ୍ବ ନିର୍ବାହ କରୁଥିବା ବେଳେ ଉପ ଜିଲ୍ଲାପାଳ ଶିବ ଟପ୍ପୋ ଏହି ସବୁ କାର୍ଯ୍ୟ ପରିଚାଳନା କରୁଛନ୍ତି। ସକାଳେ ସମସ୍ତ ଅଧିକାରୀ କଣ୍ଟେନମେଣ୍ଟ ଜୋନ୍ ସୀମା ପରିଦର୍ଶନ କରି ଆବଶ୍ୟକ ହେଲେ ଆହୁରି ଅଧିକ ସ୍ଥାନକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଅମାନିଆ ବାଇକ ଚାଳକ ଙ୍କ ଉପରେ ପୁଲିସ ପ୍ରହାର

କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଲୋକମାନେ ଘରେ ରହିବାକୁ ଜିଲ୍ଲା ପ୍ରଶାସନର ସ୍ପଷ୍ଟ ନିଦ୍ଦେଶ ରହିଛି। ଗାଡିଚାଳଚଳ ବନ୍ଦ ରହିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସୂଚନା ଡାକବାଜି ଯନ୍ତ୍ର ମାଧ୍ୟମରେ ଜଣାଇ ଦିଆଯାଉଥିଲେ ମଧ୍ୟ କିଛି ଲୋକ ବିଭିନ୍ନ ଆଳ ଦେଖାଇ ବାଇକ ଧରି ରାସ୍ତା ଉପରକୁ ଆସୁଛନ୍ତି। ବିଭିନ୍ନ ଅଞ୍ଚଳରେ ନିୟୋଜିତ ପୁଲିସ ଫୋର୍ସ ଅମାନିଆଙ୍କୁ ଲାଠି ପ୍ରହାର କରୁଥିବା ଦେଖିବାକୁ ମିଳିଛି।

ସଂକ୍ରମିତ ଅଞ୍ଚଳରେ ବିଶୋଧନ ପ୍ରକ୍ରିୟା ଆରମ୍ଭ

କଣ୍ଟେନମେଣ୍ଟ ଜୋନରେ ସଫେଇ ସହିତ ବିଶୋଧନ କାର୍ଯ୍ୟ ଜୋର୍ ସୋରରେ ଚାଲିଛି। ସକାଳେ ୨ଟି ଟିମ୍ ବିଶୋଧନ ଗାଡ଼ିରେ କେମିକାଲ ପାଣି ସିଞ୍ଚନ ଆରମ୍ଭ କରିଛନ୍ତି। ଅପରାହ୍ନ ରେ ମଧ୍ୟ ଆଉ ୨ଟି ଟିମ୍ ଏହି ବିଶୋଧନ କାର୍ଯ୍ୟରେ ନିଯୋଜିତ ହୋଇଥିଲେ। ଆଜି କଣ୍ଟେନମେଣ୍ଟ ଜୋନର ରାସ୍ତା ଓ ନାଳ ଗୁଡିକୁ ବିଶୋଧନ କରାଯାଉଛି। ଏହାପରେ ସମସ୍ତ ଘରକୁ ସାନିଟାଇଜ କରାଯିବ ବୋଲି ନିର୍ବାହୀ ଅଧିକାରୀ ଦିଲିପ ପଟେଲ କହିଛନ୍ତି।

କଣ୍ଟେନ୍ମେଣ୍ଟ ଅଞ୍ଚଳ ପରିଦର୍ଶନ କଲେ ନୂଆଁ ଏସ୍ପି

ଆଜି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ପରେ ଏସ୍ପି ରାହୁଲ ପିଆର୍ ବ୍ରଜରାଜନଗର ଆସି କଣ୍ଟେନମେଣ୍ଟ ଓ ବଫର ଜୋନ୍ ବୁଲି ଦେଖିଥିଲେ। ବ୍ରଜରାଜନଗର ଏସ୍ଡିପିଓ ଦିଲ୍ଲୀପ ଦାଶ ଏବଂ ଓରିଏଣ୍ଟ ଥାନା ଆଇଆଇସି ସାରଙ୍ଗ ପାଣିଗ୍ରାହୀ ବିଭିନ୍ନ ସ୍ଥାନ ବୁଲି କଣ୍ଟେନମେଣ୍ଟ ଜୋନରେ କୋଭିଡ-୧୯ର ଆଇନ କିଭଳି ଶାନ୍ତି ଶୃଙ୍ଖଳା ସହିତ ପାଳିତ ହେବ ସେନେଇ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

କୋଇଲା ଖଣି ଓ ବ୍ୟାଙ୍କ ବନ୍ଦ

କଣ୍ଟେନମେଣ୍ଟ ଜୋନଆସୁଥିବାରୁ ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ କୋଇଲା ଖଣି ମଧ୍ୟ ବନ୍ଦ କରି ଦିଆଯାଇଛି। ଓରିଏଣ୍ଟ କ୍ଷେତ୍ରର ୨ ଓ ୩ନମ୍ବର କୋଇଲା ଖଣି ବନ୍ଦ ହୋଇ ଯାଇଥିବା ବେଳେ ଉପକ୍ଷେତ୍ର ପ୍ରବନ୍ଧକ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି। କଣ୍ଟେନମେଣ୍ଟ ଜୋନ ଭିତରେ ଆସୁଥବାରୁ ଓରିଏଣ୍ଟ ୨ନମ୍ବର ଓ ୩ନମ୍ବର ଭୂତଳ କୋଇଲା ଖଣି ସହିତ ଇବଭେଲି ଏରିଆ ଅଧୀନରେ ଥିବା ଲଜକୁରା ଖୋଲା ମୁହଁ କୋଇଲା ଖଣି କୁ ବନ୍ଦ କରାଯାଇଛି। ରାଷ୍ଟ୍ରାୟତ ବ୍ୟାଙ୍କ ଏସ୍ବିଆଇର ଲମ୍ଟିବାହାଲ ଶାଖା ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବନ୍ଦ ରହିଛି।

 

ସମ୍ବନ୍ଧିତ ଖବର