ବୌଦ୍ଧ: ପରକୀୟା ପ୍ରୀତିକୁ କେନ୍ଦ୍ରକରି ସ୍ବାମୀର ହତ୍ୟା କରିଛି ସ୍ତ୍ରୀ। ପ୍ରେମିକ ସମେତ ଝିଅ ଓ ଜ୍ବାଇଁ ସହ ମିଶି ସ୍ବାମୀର ହତ୍ୟା କରିଛି ଅଭିଯୁକ୍ତ ସ୍ତ୍ରୀ। ଗତ ରବିବାର ବୌଦ୍ଧ ଥାନା ଅନ୍ତର୍ଗତ ତୁଳସୀପୁର ଗାଁ ନିକଟରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ତୁଳସୀପୁର ଗାଁର ଦୁଃଶାସନ ଗୁରୁ(୪୫ବର୍ଷ)ର ଅର୍ଦ୍ଧଦଗ୍ଧ ଶବ ଘଟଣାର ତଦନ୍ତ କରି ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆଣିଛି ବୌଦ୍ଧ ପୁଲିସ୍‌। ଏହି ଜଘନ୍ୟ ହତ୍ୟାକାଣ୍ଡର ରହସ୍ୟ ଖୋଲି ଅଭିଯୁକ୍ତ ମୃତକର ସ୍ତ୍ରୀ ବୁନ୍ଦ୍ରୀ ଗୁରୁ ସମେତ ପ୍ରେମିକ ରାମଚନ୍ଦ୍ର ପ୍ରଧାନ ଓ ତାର ଝିଅ ପାର୍ବତୀ ଗୁରୁ, ଜ୍ବଇଁ ଭୋଲାନାଥ ଗୁରୁକୁ ବୌଦ୍ଧ ପୁଲିସ୍‌ ସୋମବାର ଗିରଫ କରିଛି।ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ବିନୀ କହଁର ସୂଚନା ଦେଇଛନ୍ତି।

Advertisment

ପୁଲିସ୍‌ର ସୂଚନା ଅନୁସାରେ ଗତ ଶନିବାର ରାତିରେ ଅଭିଯୁକ୍ତ ଚାରି ଜଣ ଦୁଃଶାସନର ମଠକୁ ଯାଇ ତାକୁ ବିଭିନ୍ନ ମାରଣାଅସ୍ତ୍ରରେ ଆକ୍ରମଣ କରି ପ୍ରବଳ ମାଡ ମାରିଥିଲେ। ଦୁଃଶାସନ ଅଚେତ ହୋଇଯିବାରୁ ତାକୁ ଘୋଷାରି ଘୋଷାରି ନେଇ ପାଖ ପାଳଗଦାରେ ପାଳ ଢାଙ୍କି ସେଥିରେ ନିଆଁ ଲଗାଇ ଜୀବନ୍ତ ଜାଳି ଦେଇ ଦେଇ ଫେରାର୍‌ ହୋଇଯାଇଥିଲେ। ତେବେ ଦୁଃଶାସନର ଚେତା ଆସିବାରୁ ସେ ପାଳ ଗଦାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବାହାରକୁ ବାହାରି ଯାଇଥିବା ବେଳେ ପରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିବା ଅନୁମାନ କରାଯାଉଛି।

ରବିବାର ସକାଳେ ସ୍ଥାନୀୟ ଲୋ‌କେ ମୃତ ଶବ ଦେଖି ଜହ୍ନାପଙ୍କ ଫାଣ୍ଡି ପୁଲିସ୍‌କୁ ଖବର ଦେଇଥିଲେ। ପରେ ବୌଦ୍ଧ ଥାନାଅଧିକାରୀ ତପସ୍ବିନୀ କହଁର ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ସ୍ତ୍ରୀର ପରକିଆ ପ୍ରୀତି ଘଟଣାକୁ ନେଇ ମୃତ ଦୁଃଶାସନ ସ୍ତ୍ରୀ ଓ ପିଲାଛୁଆଙ୍କୁ ଛାଡ଼ି ପ୍ରାୟ ୭/୮ ବର୍ଷ ହେଲା ତୁଳସୀପୁର ଗାଁ ନିକଟରେ ଏକ ଘର କରି ଏକୁଟିଆ ରହୁଥିଲେ। ତାଙ୍କ ସ୍ତ୍ରୀ ପିଲାଛୁଆଙ୍କୁ ଧରି ପଡ଼ୋଶୀ କାସଲପୁର ଗାଁର ମଠସାହିରେ ରହି ଆସୁଥିଲେ। ଗତ ବର୍ଷ ତାଙ୍କ ଝିଅର ବିବାହ ହୋଇଥିଲା ମାତ୍ର ଦୁଃଶାସନକୁ ସ୍ତ୍ରୀ ଖବର ଦେଇ ନଥିଲା। ଉକ୍ତ ଘଟଣାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତାହାର ପ୍ରତିକ୍ରିୟାରେ ଅଭିଯୁକ୍ତ ମହିଳା ତାର ପ୍ରେମିକ ଓ ଝିଅ, ଜ୍ବାଇଁକୁ ନେଇ ସ୍ବାମୀକୁ ଷଡଯନ୍ତ୍ର କରି ମାରିଦେଇଥିବା କୁହାଯାଉଛି। ବୌଦ୍ଧ ଥାନାରେ ୧୦୬/୨୦ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ମମତା ହେମ୍ରମ୍‌ କହିଛନ୍ତି।