ବୌଦ୍ଧ : ରବିବାର ବୌଦ୍ଧ ଥାନା ଅନ୍ତର୍ଗତ ତୁଳସୀପୁର ଗାଁ ନିକଟରୁ ଏକ ଅର୍ଦ୍ଧଦଗ୍ଧ ଶବ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ବୌଦ୍ଧ ଆଦର୍ଶ ଥାନା ପୁଲିସ ଶବଟିକୁ ଜବତ କରିଥିବା ବେଳେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ତପସ୍ୱିନୀ କହଁର କହିଛନ୍ତି। କେହି ଦୁର୍ବୃତ୍ତ ହତ୍ୟା କଲା ପରେ ଶବକୁ ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି ।
ପୁଲିସର ସୂଚନା ଅନୁସାରେ ମୃତକଜଣକ ତୁଳସୀପୁର ଗାଁର ଶଙ୍କର ଗୁରୁଙ୍କ ପୁତ୍ର ଦୁଃଶାସନ ଗୁରୁ(୪୫ବର୍ଷ) ବୋଲି ଜଣାଯାଇଛି । ସେ ତୁଳସୀପୁର ଗାଁ ନିକଟରେ ଏକ ମଠ କରି ରହୁଥିଲେ । ମଠଠାରୁ ଅଳ୍ପ ଦୂରରେ ତୁଳସୀପୁର-ପଲସପାଟ ରାସ୍ତାରେ ତାଙ୍କର ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଦେଖି ଲୋକେ ବାଉଁଶୁଣୀ ଓ ବୌଦ୍ଧ ଥାନା ପୁଲିସକୁ ଖବର ଦେଇଥିଲେ। ଶବ ମିଳିଥିବା ସ୍ଥାନଟି ବୌଦ୍ଧ ଓ ବାଉଁଶୁଣୀ ଉଭୟ ଥାନାର ସୀମା ଅଞ୍ଚଳରେ ଥିବା ବେଳେ ଉଭୟ ଥାନାର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନଟି ବୌଦ୍ଧ ଥାନାର ସୀମା ମଧ୍ୟରେ ଆସୁଥିବାରୁ ବୌଦ୍ଧ ଥାନା ଆଇଆଇସି ତପସ୍ୱିନୀ କହଁର ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବୌଦ୍ଧ ଡାକ୍ତରଖାନାକୁ ପଠାଇଥିବା କହିଛନ୍ତି।
ମୃତ ଦୁଃଶାସନ ଗୁରୁ ବିବାହିତ ଓ ପାରିବାରିକ ମନାନ୍ତର ହେତୁ ନିଜ ସ୍ତ୍ରୀ ଓ ପିଲାଛୁଆଙ୍କୁ ଛାଡ଼ି ପ୍ରାୟ ୭/୮ ବର୍ଷ ହେଲା ତୁଳସୀପୁର ଗାଁ ନିକଟରେ ଏକ ଘର କରି ଏକୁଟିଆ ରହୁଥିଲେ । ତାଙ୍କର ସ୍ତ୍ରୀ ପିଲାଛୁଆଙ୍କୁ ଧରି ପଡ଼ୋଶୀ କାସଲପୁର ଗ୍ରାମ ମଠସାହିରେ ରହି ଆସୁଥିଲେ। ପୁଲିସ ଅନୁସନ୍ଧାନ କଲାପରେ ଘଟଣାଟି ସ୍ପଷ୍ଟ ଜଣାପଡ଼ିବ ବୋଲି କୁହାଯାଉଛି ।