ବେଳାଭୂମିରେ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ

ପୁରୀ : ପେଣ୍ଠକଟା ମେରାଇନ୍‌ ଥାନା ବାଲିଗୁଆଳି ଗାଁ ନିକଟ ବେଳାଭୂମିରୁ ଶନିବାର ଦିନ ଜଣେ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ପରିଚୟ ମିଳିନଥିବା ବେଳେ ପେଣ୍ଠକଟା ମେରାଇନ୍‌ ଥାନା ପୁଲିସ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଂରକ୍ଷିତ ରଖିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ କିଛିଦିନ ତଳେ ଏକ ହୋଟେଲରୁ ନିଖୋଜ ମଧ୍ୟପ୍ରଦେଶର ଯୁବତୀଙ୍କ ଏହା ମୃତଦେହ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଣୁ ମୃତଦେହ ଚିହ୍ନଟ ପାଇଁ ପୁଲିସ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କୁ ପୁରୀକୁ ଡକାଇଥିବା ଜଣାପଡ଼ିଛି। ପାରିପାର୍ଶ୍ବିକ ଅବସ୍ଥାରୁ ଯୁବତୀଙ୍କୁ ଦୁର୍ଷ୍କମ ପରେ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଥିବା ଆଶଙ୍କା କରାଯାଉଛି।

ସେପଟେ ବାଲିଗୁଆଳି, ନୂଆନଈଠାରେ ବାରମ୍ବାର ଏଭଳି ଅଜଣା ମୃତଦେହ ପଡ଼ୁଥିବାରୁ ଏହା ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ବାହାରୁ କେହି ହତ୍ୟା ପରେ ଏଠାରେ ଆଣି ମୃତଦେହ ଫିଙ୍ଗି ଦେଉଥିବା ଆଶଙ୍କା କରାଯାଉଛି। ଆଜି ପୂର୍ବାହ୍ଣରେ ବାଲିଗୁଆଳିର କିଛି ବ୍ୟକ୍ତି ନିକଟସ୍ଥ ବେଳାଭୂମିକୁ ଯିବାବେଳେ ଏହି ମୃତଦେହ ବାଲି ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯୁବତୀଙ୍କ ମୃତଦେହ ମୁହଁ ମାଡ଼ି ପଡ଼ିଥିବାବେଳେ ଯୁବତୀ ଜଣକ କଳା ଓ ଗୋଲାପି ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧିଥିବା ଦେଖିବାକୁ ମିଳିଛି। ପାଖରେ ଏକ ପାଣି ବୋତଲ ବି ରହିଥିବା ଦେଖିବାକୁ ମିଳିଛି। ଦେହ ସାରା ଫୋଟକା ଭଳି ଫୁଲି ଯାଇଛି। ଗୋଡ଼ ଘାଁ ଭଳି ହୋଇଯାଇଛି। ଯୁବତୀଙ୍କ ଡାହାଣ ଗୋଡ଼ରେ ଏକ କଳା ସୁତା ବନ୍ଧା ହୋଇଥିବାବେଳେ ହାତରେ କିଛି ଚୁଡ଼ି ନଥିବା ଦେଖିବାକୁ ମିଳିଛି। ଯୁବତୀ ପଡ଼ିଥିବା ସ୍ଥାନ ଯେହେତୁ ନିକାଞ୍ଚନ, କେହି ତାଙ୍କୁ ମାରି ଏଠାରେ ଫିଙ୍ଗି ଦେଇଥିବା ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟ, ସମୁଦ୍ର କୂଳ ଥାନା ଚକ୍ରତୀର୍ଥ ରୋଡ୍‌ରେ ଥିବା ଶାନ୍ତି ପ୍ୟାଲେସରୁ ‌ଜଣେ ୧୮ ବର୍ଷୀୟା ଯୁବତୀ ନିଖୋଜ ହେବା ସମ୍ପର୍କରେ ସମୁଦ୍ର କୂଳ ଥାନାରେ ଅଭିଯୋଗ ହୋଇଥିଲା। ମଧ୍ୟପ୍ରଦେଶର ସାଗର ଗାଁର ପ୍ରହଲ୍ଲାଦ କୁସ୍ବାଙ୍କ ଝିଅ ରାଧିକା କୁସ୍ବା। ରାଧିକା ଏକୁଟିଆ ହୋଟେଲ ବାହାରକୁ ଆସି ଆଉ ଫେରିନଥିଲେ। ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର