୩ କୋଟିର ସିସି କ୍ୟାମେରାରୁ ଅଧା ଅଚଳ

୭ ଦିନରେ ଉଡ଼ି ଯାଉଛି ଡାଟା
ଗ୍ୟାଙ୍ଗଷ୍ଟର ହାଇଦର୍ ଫେରାର ଚିତ୍ର ମିଳିଥିଲା କ୍ୟାମ୍ପସ୍ ବାହାର ଦୋକାନରୁ
ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ୩ ଥର ଚିଠି ଲେଖିଲା ପରେ ବି ପୁଲିସକୁ ମିଳୁନି ଉତ୍ତର

କଟକ : ଏସସିବି ବଡ ମେଡିକାଲକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାରୀ ଘୋଷଣାର ଗତି କୁଆଡେ? ଆବଶ୍ୟକ ଥିବା ମୌଳିକ ଭିତ୍ତିଭୂମିର ଦୟନୀୟ ସ୍ଥିତି ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ବର୍ତ୍ତମାନ ସ୍ଥିତିରେ ସୁରକ୍ଷା ତଥା ବିଭିନ୍ନ ଦୃଷ୍ଟିକୋଣରୁ ସିସି କ୍ୟାମେରା ବିଭିନ୍ନ ସଂସ୍ଥାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ପାଲଟିଛି। ଏସସିବିରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ୧୦୦ଟି ସିସି କ୍ୟାମେରା ଲଗା ଯାଇଛି। କିନ୍ତୁ ସେଥିରୁ ଏବେ ଅଧା ଅଚଳ। ଆଉ ଯାହା ଚାଲୁଛି, ସେଥିରୁ ମାତ୍ର ସପ୍ତାହକ ପରେ ଡାଟା ଉଡି ଯାଉଛି। ଘରେ ଓ ଛୋଟ ଦୋକାନରେ ଲାଗୁଥିବା କ୍ୟାମେରାରେ ୧୫ରୁ ଏକମାସ ଯାଏ ଡାଟା ରହୁଥିବା ବେଳେ ଏସସିବିର ଡାଟା ୭ ଦିନରେ ଉଡି ଯିବା ବ୍ୟବସ୍ଥାକୁ ପ୍ରହସନରେ ପରିଣତ କରିଛି। ଏମିତିକି ଏହି କାରଣରୁ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ ମେଡିକାଲରୁ ଫେରାର ହେବା ସମୟରେ ସେ ସମୟର ଚିତ୍ର ଏସସିବିରେ ଲାଗି ଥିବା ସିସି କ୍ୟାମେରାରୁ ମିଳି ପାରି ନଥିଲା। କ୍ୟାମ୍ପସ୍ ବାହାରେ ଥିବା ଘରୋଇ ବ୍ୟବସାୟୀକ ସଂସ୍ଥାର ସିସି କ୍ୟାମେରାରୁ ପୁଲିସ ତଥ୍ୟ ସଂଗ୍ରହ କରିଥିଲା। ଏଭଳି ସ୍ଥିତିର ସୁଧାର ପାଇଁ କମିସନରେଟ୍ ପୁଲିସ ଏସସିବି କର୍ତ୍ତୃପକ୍ଷଙ୍କୁ ଇତିମଧ୍ୟରେ ୩ଟି ଚିଠି ଲେଖି ସାରିଥିଲେ ବି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେଉ ନଥିବା ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ କ୍ୟାମେରା ଲଗାଇବା ଦାୟିତ୍ବରେ ଥିବା ଠିକା ସଂସ୍ଥାଗୁଡ଼ିକର ପ୍ରାୟ ୩୦ ଲକ୍ଷ ଟଙ୍କା ବାକି ପଡି ଥିବାରୁ ସଂସ୍ଥା କ୍ୟାମେରା ଗୁଡ଼ିକୁ ମରାମତି କରୁ ନାହାନ୍ତି ବୋଲି କୁହାଯାଉଉଛି।

କଟକ ବଡ଼ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପାଖାପାଖି ୩ କୋଟି ଟଙ୍କା ବ୍ୟୟରେ ୧୦୦ ପାଖାପାଖି ସିସି କ୍ୟାମେରା ଲାଗି ଥିଲେ ବି ସୁରକ୍ଷା ଦୃଷ୍ଟିରୁ କେଉଁ ସ୍ଥାନରେ କ୍ୟାମେରା ଲଗାଇଲେ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ, ସେ ଦିଗକୁ ସଂସ୍ଥା ସମ୍ପୂର୍ଣ୍ଣ ଅଣଦେଖା କରି ମନଇଚ୍ଛା କ୍ୟାମେରା ଲଗାଯାଇଛି। କ୍ୟାମେରା ଉପରେ ଅଳନ୍ଧୁ ଓ ଗଛ ଡାଳ ମାଡ଼ି ଯାଇଥିବାରୁ କ୍ୟାମେରା ଅକାମି ହୋଇପଡ଼ିଛି। କ୍ୟାମେରା ଲଗାଇଥିବା ଚାରିଟି ଠିକା ସଂସ୍ଥାର ବଡ଼ ଡାକ୍ତରଖାନା ଉପରେ ପାଖାପାଖି ୩୦ ଲକ୍ଷ ଟଙ୍କା ବାକି ପଡିଛି। ଭୁବନେଶ୍ବରର ଏକ ସଂସ୍ଥା ଗଲା ୩ ବର୍ଷ ତଳେ ଏସସିବିରେ ୨୫ଟି ସିସି କ୍ୟାମେରା ଲଗାଇଥିଲା। କିନ୍ତୁ ଏବେ ସୁଦ୍ଧା ସଂସ୍ଥାର ୪ ଲକ୍ଷ ଟଙ୍କା ବାକି ପଡିଛି।

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପୂର୍ବରୁ ୨୦୧୫ରେ ଦୁଇଟି ଓ ୨୦୧୭ରେ ଗୋଟିଏ ଶିଶୁ ଚୋରି ମାମଲାରେ ବି କୌଣସି ପ୍ରକାର ଫୁଟେଜ ମେଡିକାଲରୁ ମିଳି ନଥିଲା। ବଡ଼ ଡାକ୍ତରଖାନାରେ ପ୍ରତି ମାସରେ ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ପାଖାପାଖି ୧୦ଟି ଗାଡ଼ି ଓ ମୋବାଇଲ୍ ଚୋରି ମାମଲା ମଙ୍ଗଳାବାଗ ଥାନାକୁ ଆସୁଥିବା ବେଳେ ହାରାହାରି ଭାବେ ଡାକ୍ତର ଓ ରୋଗୀ ମୁହାଁମୁହିଁ ଭଳି ୪ଟି ଘଟଣା ଘଟୁଛି। ଏଭଳି ପରିସ୍ଥିତିରେ ଅଚଳ ଆଉ ଦୁର୍ବଳ ସିସି କ୍ୟାମେରା ବ୍ୟବସ୍ଥା ସମସ୍ୟା ସୃଷ୍ଟି କରୁଛି।

ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଡାକ୍ତରଖାନାର ସାମନା ପଟ ଗେଟରୁ ପଛ ଗେଟ୍ ପର୍ଯ୍ୟନ୍ତ ଗୋଟିଏ ବି କ୍ୟାମେରା ଠିକ୍ ଢଂଗରେ ଲାଗି ନାହିଁ। ମେଡିକାଲର କ୍ୟାମେରା ସୁରକ୍ଷା ଦୃଷ୍ଟିରୁ କେଉଁ ସ୍ଥାନରେ ଲଗାଇଲେ ଲୋକଙ୍କ ଗତିବିଧି ଠିକରେ ରେକର୍ଡ ହୋଇପାରିବ, ସେଥିପାଇଁ ପୁଲିସ ସହିତ ଠିକା ସଂସ୍ଥା ଆଲୋଚନା କରି ଲଗାଇବାର ଆବଶ୍ୟକତା ଥିଲା। ମେଡିକାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏବେ ସମସ୍ତ କ୍ୟାମେରା ନିୟନ୍ତ୍ରଣ ହେଉଥିବା ବେଳେ ଫାଣ୍ଡିରେ ଏକ ପଏଣ୍ଟ ଦେଲେ ଜଣେ ପୁଲିସ କର୍ମଚାରୀ ୨୪ ଘଣ୍ଟା ବଡ଼ ଡାକ୍ତରଖାନାର ସମସ୍ତ ଲୋକଙ୍କ ଗତିବିଧି ଉପରେ ନଜର ରଖିପାରିବ। ଡାକ୍ତରଖାନା ପରିସରରେ ଅପରାଧୀକ କାର୍ଯ୍ୟକଳାପରେ ପୁଲିସ ଡାକ୍ତରଖାନା କ୍ୟାମ୍ପସ ବାହାରେ ଥିବା ଘରୋଇ ବ୍ୟବସାୟୀକ ପ୍ରତିଷ୍ଠାନରୁ ଫୁଟେଜ୍ ସଂଗ୍ରହ କରିବାକୁ ପଡ଼ୁଛି।  କ୍ୟାମେରା ଅବ୍ୟବସ୍ଥା ସୁଧାରିବା ପାଇଁ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସର ପରାମର୍ଶକୁ ଗ୍ରହଣ କରୁନାହାନ୍ତି।

ମଙ୍ଗଳାବାଗ ଥାନା ଆଇଆଇସି ଅମିତାଭ ମହାପାତ୍ର କହିବା ଅନୁଯାୟୀ ସୁରକ୍ଷା ଦୃଷ୍ଟିରୁ ବଡ଼ ଡାକ୍ତରଖାନାର ସିସି କ୍ୟାମେରା ଠିକ୍ ଢଂଗରେ ଲଗାଇବା ଓ ମରାମତି ସମ୍ପର୍କରେ ୩ ଥର ବଡ଼ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖା ସରିଲାଣି। ଥାନାଠୁ ଆରମ୍ଭ କରି ଏସିପି, ଡିସିପିଙ୍କ ପର୍ଯ୍ୟନ୍ତ ଚିଠି ଲେଖିଛନ୍ତି। କିନ୍ତୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଅପରାଧୀକ କାର୍ଯ୍ୟକଳାପ ଘଟିଲେ ସିସି କ୍ୟାମେରାରୁ କୌଣସି ଫୁଟେଜ୍ ମିଳୁନଥିବାରୁ ପୁଲିସ ପାଇଁ ଅଧିକ ସମସ୍ୟା ହେଉଛି।

ସମ୍ବନ୍ଧିତ ଖବର