ରେଡ୍ ଜୋନ୍‌ରେ ଅଧା ଓଡ଼ିଶା; ଦିନକରେ ୬୫୯୯ ପଜିଟିଭ୍, ୯ ମୃତ

ଓଡ଼ିଶାରେ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ଅଛି: ଡିଏମ୍‌ଇଟି
ଗୋଟିଏ ମିନିଟ୍‌ରେ ବାହାରୁଛନ୍ତି ୫ ଆକ୍ରାନ୍ତ

ଭୁବନେଶ୍ବର : ରେଡ୍ ଜୋନ୍‌ରେ ଅଧା ଓଡ଼ିଶା। ପଶ୍ଚିମ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ଏବେ କରୋନା ସଂକ୍ରମଣ ବଳୟରେ ରହିଛି। ଦିନକୁ ଦିନ ଏସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖୋର୍ଧା, ପୁରୀ, କଟକ, ଗଞ୍ଜାମ, ଯାଜପୁର, ଅନୁଗୁଳ, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଏବେ ‌ରେଡ୍ ଜୋନ୍‌ରେ ସାମିଲ ହୋଇଛି। କେଉଁ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହଜାରେ ଉପରେ ରହିଛି ତ ଆଉ କେଉଁଠି ୮ହଜାର। ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ମାତ୍ର ରାଜ୍ୟରେ ଦୈନିକ ସଂକ୍ରମଣ ଗତ ୫ଦିନ ହେବ ୬ହଜାର ଉପରେ ସ୍ଥିର ରହିଛି। ଯାହାକି ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର।

ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ଏବେ ପ୍ଲାଟ୍ୟୁ(ଉଚ୍ଚ ସମତଳ) ସ୍ଥିତିରେ ରହିଛି। ଗତ କିଛିଦିନର ପରିସଂଖ୍ୟାନ ରାଜ୍ୟରେ ଏଭଳି ସ୍ଥିତିକୁ ବୟାନ କରୁଛି। ପ୍ଲାଟ୍ୟୁ ସ୍ଥିତିରେ ପହଞ୍ଚିବା ପରେ ସଂକ୍ରମଣ ପ୍ରାୟତଃ କମିଥାଏ। ତେବେ ମ୍ୟାଥମେଟିକାଲ ମଡେଲର ଆକଳନ ସବୁବେଳେ ଠିକ୍ ହେବ ବୋଲି ମାନେ ନାହିଁ। ତେଣୁ ରାଜ୍ୟରେ ସଂକ୍ରମଣ ଖସୁ ବୋଲି ଆଶା କରିବା। ଲୋକମାନେ ଠିକ୍‌ରେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ଡା. ମହାନ୍ତି କହିଛନ୍ତି। ତେବେ ରାଜ୍ୟରେ ସଂକ୍ରମଣ ପ୍ଲାଟ୍ୟୁ ହୋଇଥିବା ନେଇ ବିପରୀତ ମତ ରଖିଛନ୍ତି ବରିଷ୍ଠ ଚିକିତ୍ସିକ ଡା. ନିରଜ ମିଶ୍ର। ସେ କହିଛନ୍ତି ଯେ ମହାରାଷ୍ଟ୍ର ଏବେ ଶୀର୍ଷ ଛୁଇଁଛି। ଦିଲ୍ଲୀରେ ଲକ୍‌ଡାଉନ୍ ପାଇଁ ସେଠାରେ ପ୍ଲାଟ୍ୟୁ ହୋଇଛି। ଓଡ଼ିଶାରେ ବିଳମ୍ବରେ ସଂକ୍ରମଣ ଆରମ୍ଭ ହୋଇଥିଲା, ଏ ଦୃଷ୍ଟିରୁ ନିକଟରେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ବିଶ୍ବାସଯୋଗ୍ୟ ନୁହେଁ। କଳାହାଣ୍ଡିରେ ଗତ ଗୁରୁବାର ଟିପିଆର ୫୩ ପ୍ରତିଶତ ଥିବା ବେଳେ ଏହାର ପରଦିନ ୩୮ ପ୍ରତିଶତ ରହିଥିଲା। ପ୍ରଶାସନ ପକ୍ଷରୁ ସେଠାରେ ଘରକୁ ଘର ବୁଲି ସ୍କ୍ରିନିଂ ଆରମ୍ଭ କରାଯାଇଛି। ତେଣୁ ଆସନ୍ତା ୧୫ ତାରିଖ ପରେ ସଂକ୍ରମଣ ସ୍ଥିତିରେ ପରିବର୍ତନ ହୋଇପାରେ ବୋଲି ସେ କହିଛନ୍ତି।

The Verge

ଗତ ୨୪ଘଣ୍ଟାରେ ରାଜ୍ୟରେ ୩୯,୬୪୨ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରେ ଆରଟି-ପିସିଆର ନମୁନା ୧୬,୫୫୮ ରହିଛି। ତହିଁରୁ ୬୫୯୯ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଗୋଟିଏ ମିନିଟ୍‌ରେ ୫ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାସହ ଗୋଟିଏ ଦିନରେ ରାଜ୍ୟର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୧୬.୬୪ ପ୍ରତିଶତକୁ ବୃଦ୍ଧି ପାଇଛି। ଖୋର୍ଧାରୁ ସର୍ବାଧିକ ୯୫୮, ନୂଆପଡ଼ା ୫୫୧, କଳାହାଣ୍ଡି ୫୧୮, କଟକ ୪୮୮, ଝାରସୁଗୁଡ଼ା ୪୩୬, ସୁନ୍ଦରଗଡ଼ ୪୩୪, ଗଞ୍ଜାମ ୩୨୩, ଯାଜପୁର ୨୩୭, ସମ୍ବଲପୁର ୨୨୬ ଓ ଷ୍ଟେଟ୍‌ ପୁଲରୁ ୨୦୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୧୪ହଜାର ୫୬କୁ ବୃଦ୍ଧି ପାଇଛି।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ୯ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାକି ଦ୍ବିତୀୟ ଲହରର ସର୍ବାଧିକ ମୃତ୍ୟୁ। ଏଥିରେ ଖୋର୍ଧା ୩, କେନ୍ଦୁଝର ୨, କଟକ, ସୁନ୍ଦରଗଡ଼, ଗଞ୍ଜାମ ଓ ଭଦ୍ରକରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କ‌ରୋନା ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୪,୧୮୦ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ୪୪,୮୯୫ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଯାହାକି ସମୁଦାୟ ସଂକ୍ରମିତଙ୍କ ୧୦ ପ୍ରତିଶତରୁ ଅଧିକ।

ସମ୍ବନ୍ଧିତ ଖବର