ଭୁବନେଶ୍ବର: ଶୀତ ସାମାନ୍ୟ କମିଛି, ମାତ୍ର କୁହୁଡ଼ି ବଢ଼ିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କୋରାପୁଟଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରି ଥିବା ବେଳେ ଦାରିଙ୍ଗବାଡ଼ିରେ ୭, ଜି. ଉଦୟଗିରିରେ ୭.୪, କେନ୍ଦୁଝରରେ ୮.୮, ସୁନ୍ଦରଗଡରେ ୯, କିରେଇରେ ୯.୪, ଫୁଲବାଣୀରେ ୯.୫, ସେମିଳିଗୁଡାରେ ରାତିର ତାପମାତ୍ରା ୯.୬ ଡିଗ୍ରି ରେକର୍ଡ କରାଯାଇଛି। ଅନ୍ୟ ସମସ୍ତ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। କଳାହାଣ୍ଡି, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହୋଇଛି। ଯେତେବେଳେ କି କନ୍ଧମାଳ, କୋରାପୁଟ, ବଲାଙ୍ଗୀର, ନୟାଗଡ଼ ସମେତ ଦକ୍ଷିଣ ଉପକୂଳ ଓ ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିଛି। ରାଉରକେଲାରେ ଦୃଶ୍ୟମାନ ଦୂରତା ୪୦ ମିଟର ରହିଥିବା ବେଳେ କୋରାପୁଟରେ ୫୦, ନୟାଗଡରେ ୬୦, ଫୁଲବାଣୀରେ ୭୦, ବଲାଙ୍ଗୀରରେ ୯୦, ଟିଟିଲାଗଡ଼ରେ ୧୦୦ ଓ ଭବାନୀପାଟଣାରେ ୨୦୦ ମିଟର ରହିଥିଲା।
ଆସନ୍ତା ଦୁଇଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି। ସୋମବାର ଭୋର ସମୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ପୁରୀ ଓ କୋରାପୁଟର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସକାଳୁ ଘନ କୁହୁଡ଼ି ରହିବ। ମଙ୍ଗଳବାର ଭୋର ସମୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।