ଅଧା ଓଡ଼ିଶାରେ ସାଂଘାତିକ ସ୍ଥିତି: ବର୍ଷା ଅଭାବରୁ ଗଜାମରୁଡ଼ିର ପଦଧ୍ବନି, ୧୭ ଜିଲ୍ଲାର ଚାଷୀ ଚିନ୍ତାରେ

ଜଳିଗଲାଣି ତଳି, ମାଟି ଫାଟି ଆଁ, ଆଗେଇ ପାରୁନି ରୁଆ ବେଉଷଣ

ଭୁବନେଶ୍ବର: ଜୁଲାଇ ଅଧା ହେଲାଣି। ଓଡ଼ିଶାରେ ସ୍ବାଭାବିକ ହୋଇପାରୁନି ବର୍ଷା। କେଉଁଠି କେଞ୍ଚେ ତ ଆଉ କେଉଁଠି ମେଞ୍ଚେ ବର୍ଷୁଛି। ଜଳବାୟୁର ଏଭଳି ପରିବର୍ତନ ଏବେ ଚାଷୀକୁଳ ପାଇଁ କାଳ ସାଜିଛି। ବର୍ଷା ଅଭାବରୁ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ଗଜା ମରୁଡ଼ିର ପଦଧ୍ବନି ଶୁଣିବାକୁ ମିଳିଲାଣି। ଜମିରେ ପାଣି ନ ଥିବାରୁ କେଉଁଠି ରୁଆ ବେଉଷଣ ହୋଇ ପାରୁନାହିଁ ତ ଆଉ କେଉଁଠି ଧାନ ବୁଣି ବର୍ଷାକୁ ଚାହିଁ ରହିଛି ଚାଷୀ। କେନାଲରେ ପାଣି ଆସୁ ନ ଥିବାରୁ କେତେକ ସ୍ଥାନରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଭଦ୍ରକ, ଗଜପତି, କେନ୍ଦୁଝର ସମେତ ୧୭ରୁ ଅଧିକ ଜିଲ୍ଲାରେ ସ୍ଥିତି ସାଂଘାତିକ ଆଡ଼କୁ ଗତି କରୁଛି।

ଚିନ୍ତାର ବିଷୟ ହେଲା, ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ୨୨ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପ୍ରଭାବରେ ‌ରାଜ୍ୟରେ ମୌସୁମୀ ସକ୍ରିୟ ହୋଇ ବର୍ଷା ବଢ଼ିପାରେ। ତେବେ ଏ ପର୍ଯ୍ୟନ୍ତ ଜୁଲାଇରେ ଯେତିକି ପାରିମାଣର ବର୍ଷା ହେବା କଥା ତା’ଠାରୁ ବହୁତ କମ୍‌ ହୋଇଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଗତ ୧୧ ତାରିଖ ସୁଦ୍ଧା ଜୁଲାଇରେ ୪୧.୨% ନିଅଣ୍ଟିଆ ବର୍ଷା ହୋଇଛି। ଭଦ୍ରକ, ଯାଜପୁର, ଗଜପତି, କେନ୍ଦୁଝର, ଅନୁଗୁଳ, ବାଲେଶ୍ବର, କନ୍ଧମାଳ, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇ ନ ଥିବାରୁ ଚାଷ କାର୍ଯ୍ୟ ଆଗେଇପାରି ନାହିଁ। ରଜ ସମୟରେ ‌ଯେଉଁ ଚାଷୀମାନେ ତଳି ପକାଇଥିଲେ ପାଣି ଅଭାବରୁ ସେଗୁଡ଼ିକ ଏବେ ଜଳି ଯାଉଥିବା ଖବର ଆସିଲାଣି।

କୃଷି ତଥା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଗଜା ମରୁଡ଼ି ହୋଇଛି କି ନାହିଁ ତାହା ରାଜ୍ୟ ସରକାର ସ୍ପଷ୍ଟ କରିବେ। ତେବେ ଚଳିତବର୍ଷ ମୌସୁମୀ ବର୍ଷାରେ ବିଲକ୍ଷଣ ହେବାରୁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ଜୁନ୍‌ ମାସରେ ଯେତିକି ନିଅଣ୍ଟିଆ ହୋଇଥିଲା, ଜୁଲାଇରେ ତାହା ଆହୁରି ଚିନ୍ତା ବଢ଼ାଇ ଦେଇଛି। ଓଡ଼ିଶାର ମୌସୁମୀର ଅବଧି ଦେଖି ମରୁଡ଼ିକୁ ମୁଖ୍ୟତଃ ୩ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମତଃ ସଅଳ ମରୁଡ଼ି ତଥା ଜୁନ୍‌ ୧ରୁ ଜୁଲାଇ ୧୫, ଦ୍ବିତୀୟ ହେଉଛି ମୌସୁମୀ ମଧ୍ୟବର୍ତୀ ମରୁଡ଼ି ଜୁଲାଇ ୧୬ରୁ ଅଗଷ୍ଟ ୩୧ ଏବଂ ତୃତୀୟଟି ହେଉଛି ଟର୍ମିନାଲ (ଶେଷ) ମରୁଡ଼ି ସେପ୍ଟେମ୍ବର ୧ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ। ଜୁଲାଇ ୧୫ ସୁଦ୍ଧା ବୁଣାବୁଣି, ତଳିପକା ‌ଶେଷ ହେବା କଥା। ସଅଳ ଧାନ ଫସଲ କରିଥିଲେ ରୁଆ ବେଉଷଣ ଆରମ୍ଭ ହେବା କଥା। କିନ୍ତୁ ଏ ପର୍ଯ୍ୟନ୍ତ ଏସବୁ ହୋଇପାରି ନାହିଁ।

ଏଭଳି ପରିସ୍ଥିତିରେ ଚାଷୀମାନଙ୍କୁ ପରାମର୍ଶ ଦେଇ ଶ୍ରୀ ପଶୁପାଳକ କହିଛନ୍ତି ଯେ ବର୍ତମାନ ସମୟରେ ୧୨୦ରୁ ୧୩୦ ଦିନର ଧାନ କିସମ ତଳି ପକାଇବା ଆବଶ୍ୟକ। ଢିପ ଜମି ହୋଇଥିଲେ କପା ଚାଷ ଆଦୌ କରିବା ଉଚିତ ନୁହେଁ। ସ୍ବଳ୍ପ ଅବଧିର ହରଡ଼ ଚାଷ କରିପାରିଲେ ଭଲ। ଏଥିସହ ରାଶି, ମାଣ୍ଡିଆ, ମୁଗ, ବିରି, ଚିନାବାଦାମ ଚାଷ କରାଯାଇପାରେ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଣଧାନ ଫସଲକୁ ଗୁରୁତ୍ବ ଦେବାକୁ ହେବ। ରାଜ୍ୟ ସରକାର ଚାଷୀଙ୍କ ନିକଟରେ ଠିକ୍‌ ସମୟରେ ସାର, ବିହନ ପହଞ୍ଚାଇବାକୁ ପଡ଼ିବ। ଫସଲ ଉତ୍ପାଦନ ପରେ ବିକ୍ରିବଟାର ସୁବିଧା ଯୋଗାଇ ଦେବାର ଆବଶ୍ୟକତା ରହିଛି। ଧାନ ବଦଳରେ ଅଣଧାନ ଫସଲ ପାଇଁ ଚାଷୀଙ୍କ ପ୍ରବର୍ତାଇବା ଲାଗି ସରକାରଙ୍କ ନିକଟରେ ସୁଯୋଗ ରହିଥିବା ପ୍ରଫେସର ପଶୁପାଳକ କହିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି ଯେ ଜୁନ୍‌ ପହିଲାରୁ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଭାବେ ୩୪୭ ମିମି ବର୍ଷା ହେବା କଥା। ତେବେ ମାତ୍ର ୨୭୩.୬ ମିମି ହୋଇଛି। ପାଖାପାଖି ୨୧% କମ୍‌ ବର୍ଷା ହୋଇଛି। ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ଭଦ୍ରକ ଜିଲ୍ଲାରେ ସବୁଠାରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। ଏବେ ସୁଦ୍ଧା ଏହି ଜିଲ୍ଲାରେ ସ୍ବାଭାବିକ ଭାବେ ୩୩୧ ମିମି ବର୍ଷା ହେବା କଥା। ତେବେ ମାତ୍ର ୧୩୧ ମିମି ହୋଇଛି। କେନ୍ଦୁଝର, ଯାଜପୁର, ଗଜପତିରେ ୪୦% କମ୍‌ ବର୍ଷା ହୋଇଛି। ଲଘୁଚାପ ଏବେ ଦୁର୍ବଳ ହୋଇସାରିଛି। ତେଣୁ ଆସନ୍ତା ୪ ଦିନ ଓଡ଼ିଶାରେ ସେଭଳି ବଡ଼ ବର୍ଷା ନାହିଁ। ତେବେ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ରହିବ। ୧୫ରୁ ୧୭ ଯାଏ ସେଭଳି ବର୍ଷା ନ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର