ରାଜ୍ୟର ୨୩୩ଟି ସ୍ଥାନରେ ଜଙ୍ଗଲ ନିଆଁ
ଦେଶରେ ସର୍ବାଧିକ, ପଛକୁ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ
ଖଣ୍ଡଗିରି ପାହାଡ଼ ପାଦଦେଶରେ ବି ଲାଗିଲା
ପ୍ରତିବର୍ଷ ଖର୍ଚ୍ଚ ହେଉଛି ୨୦ କୋଟି, ଫଳ ଶୂନ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ଜଙ୍ଗଲ ନିଆଁ ଏବେ କେବଳ ଶିମିଳିପାଳରେ ସୀମିତ ନାହିଁ। ଅଧାରୁ ଅଧିକ ଓଡ଼ିଶାର ଜଙ୍ଗଲକୁ ବ୍ୟାପିସାରିଲାଣି। କେଉଁଠି ୭ ଦିନ ହେଲା ଜଳୁଛି ତ ଆଉ କେଉଁଠି ଗଲା ୨୪ ଘଣ୍ଟା ଭିତରେ ନିଆଁ ଲାଗିଛି। ଯେଉଁଥିରେ ଏକର ଏକର ସବୁଜିମା ସାଂଗକୁ ବହୁ ଔଷଧୀୟ ବୃକ୍ଷ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଉଛି। ଆଉ କେତେକ ସ୍ଥାନରେ ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହୋଇଥିବା ଦୃଷ୍ଟିକୁ ଆସିଛି। ଜଙ୍ଗଲ ନିଆଁରେ ଏ ପର୍ଯ୍ୟନ୍ତ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇ ନ ଥିବା ବନ ବିଭାଗ କହୁଥିଲେ ମଧ୍ୟ ଏହି ଦାବିରେ କେତେ ସତ୍ୟତା ରହିଛି ତାହା ନିଆଁ ଲିଭିବା ପରେ ଜଣାପଡ଼ିବ। ତେବେ ଜଙ୍ଗଲ ନିଆଁ ଯୋଗୁଁ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ସେମାନେ ଏବେ ଜନବସତି ମୁହାଁ ହେବା ସହ ଶିକାରୀଙ୍କ ପଞ୍ଝାରେ ପଡ଼ୁଥିବା ଖବର ଆସୁଛି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭୯ଟି ସ୍ଥାନରେ ନୂଆ କରି ନିଆଁ ଲାଗିଛି। ଯେଉଁଥିରେ ଭୁବନେଶ୍ବରର ଖଣ୍ଡଗିରି ପାହାଡ଼ ସ୍ଥିତ ଜଂଗଲ ବି ରହିଛି। ଖଣ୍ଡଗିରିରେ ଲାଗିଥିବା ନିଆଁରେ କୌଣସି ଜନଜୀବନ କ୍ଷତି ହୋଇ ନ ଥିଲେ ମଧ୍ୟ ପ୍ରାୟ ଗୋଟିଏ ଏକର ଜଙ୍ଗଲ ଜଳି ଯାଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉଦ୍ୟମ ଫଳରେ ସନ୍ଧ୍ୟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି।
ଆଜି ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ୨୩୩ଟି ସ୍ଥାନରେ ଜଙ୍ଗଲ ଜଳୁଛି, ଯାହାକି ଭାରତରେ ସର୍ବାଧିକ। ମୟୂରଭଞ୍ଜରର ଶିମିଳିପାଳ ସାଙ୍ଗକୁ ମାଲକାନଗିରି ଜିଲ୍ଲାର ଯନ୍ତରୀ, ନବରଙ୍ଗପୁରର ଟୋହୋରା, ଝରିଗାଁ, ନୂଆପଡ଼ା ଜିଲ୍ଲାର ଭାବସିଲ୍ ବିଟ୍, ଡାଟୁନାମା, ପଟଦରା ଉତ୍ତର ବିଟ୍, ଚକଳା ବିଟ୍, ବେଲଟୁକୁରି ବିଟ୍, ବରଗଡ଼ ଜିଲ୍ଲାର ଝରାବନ୍ଧ, ସରଗୁନ୍ପାଲ୍ଲୀ, କୁଡୋପଲ୍ଲୀ, କୋରାପୁଟର କେରମେଲି, ଲୋକେସେଲି, କଳାହାଣ୍ଡିର କେସିଙ୍ଗା, ବନ୍ଧପରି ବିଟ୍ରେ ନିଆଁ ଲାଗିଛି। ଏହାବ୍ୟତୀତ ବଲାଙ୍ଗୀର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ସମ୍ବଲପୁର, ଦେବଗଡ଼, ନୟାଗଡ଼, ଅନୁଗୁଳ, କଟକ, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ସଦ୍ୟତମ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି।
ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ଗତ ୫ ବର୍ଷ ହେଲା ଜଙ୍ଗଲ ବିଭାଗ ବିଭିନ୍ନ ସମୟରେ କୌଶଳ ଅବଲମ୍ବନ କରୁଛି। ଗ୍ରୀଷ୍ମ ଆରମ୍ଭ ହେବା ପୂର୍ବରୁ ବନ ବିଭାଗ ଅଧିକାରୀଙ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି କିଣାଯାଇ ଯୋଗାଇ ଦିଆଯାଉଛି। ଜଙ୍ଗଲ ନିକଟରେ ଥିବା ଗ୍ରାମବାସୀଙ୍କୁ ସଚେତନ କରାଯାଉଛି। ଏଥିପାଇଁ ସ୍ବତନ୍ତ୍ର ବଜେଟ୍ ବି ହେଉଛି। ଯାହାକି ଏବେ ୨୦ କୋଟି ଟଙ୍କା ଟପିଲାଣି। ୨୦୧୬-୧୭ ଆର୍ଥିକ ବର୍ଷରେ ଏ ବାବଦରେ ୧୬.୨୯ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ୨୦୧୭-୧୮ରେ ୧୮.୫୮ କୋଟି ଏବଂ ପରବର୍ତୀ ବର୍ଷରେ ଏହା ୨୦ କୋଟି ଟଙ୍କା ଟପିଛି। ଏହାବ୍ୟତୀତ ୨୦୧୬ରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ସାଧାରଣ ପରିଚାଳନା ପଦ୍ଧତି(ଏସ୍ଓପି) ଜାରି ହୋଇଛି। ଫେବ୍ରୁଆରିରୁ ଜୁନ୍ ମାସ ମଧ୍ୟରେ ଜଙ୍ଗଲ ନିଆଁ ଭୟଙ୍କର ରୂପ ନେଉଥିବାରୁ ତାହାର ପ୍ରତିକାର ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ଏସ୍ଓପିରେ ଉଲ୍ଲେଖ କରାଯାଇଛି। ବନଖଣ୍ଡସ୍ତରରେ ଅଧିକାରୀମାନେ କ’ଣ କରିବେ, ସେକ୍ସନ୍ସ୍ତରରେ କିଭଳି ପରିଚାଳନା ହେବ, ବିଟ୍ସ୍ତରରେ ଅଞ୍ଚଳ ଅନୁଯାୟୀ କେମିତି ମୁକାବିଲା କରିହେବ ସେ ନେଇ ନକ୍ସା ପ୍ରସ୍ତୁତ କରିବାକୁ କୁହାଯାଇଛି। ମାତ୍ର ଏତେସବୁ ଗାଇଡ୍ଲାଇନ୍ ଓ ଏସ୍ଓପି ସତ୍ତ୍ବେ ଏ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ଠିକ୍ ଭାବେ ପ୍ରସ୍ତୁତି କରାଯାଇନାହିଁ। ଯାହା ଫଳରେ ବନାଗ୍ନି ସମସ୍ୟା ଅଣାୟତ୍ତ ହେଉଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।
କେବଳ ଯେ ଓଡ଼ିଶାରେ ଜଙ୍ଗଲ ଜଳୁଛି ତାହା ନୁହେଁ; ଦେଶର ଅଧାରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଶାସତ ଅଞ୍ଚଳର ଜଙ୍ଗଲ ବନାଗ୍ନି ଦ୍ବାରା ପ୍ରଭାବିତ ହୋଇଛି। ଦେଶର ୮୮୬ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି। ଏଥିରେ ଓଡ଼ିଶାରେ ସର୍ବାଧିକ ୨୩୩ଟି ସ୍ଥାନ ରହିଥିବାବେଳେ ତେଲେଙ୍ଗାନାରେ ୧୨୬, ମଧ୍ୟ ପ୍ରଦେଶରେ ୧୦୭, ଆନ୍ଧ୍ରପ୍ରଦେଶରେ ୭୮, ମହାରାଷ୍ଟ୍ରର ୭୬, ଛତିଶଗଡ଼ରେ ୭୪, ଝାଡ଼ଖଣ୍ଡରେ ୪୫, ଉତ୍ତରାଖଣ୍ଡରେ ୩୭, ମିଜୋରାମର ୩୧, ପଶ୍ଚିମବଙ୍ଗରେ ୧୫ଟି ସ୍ଥାନ ରହିଛି। ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୨୨ଟିରେ ଥିବା ବିଭିନ୍ନ ଜଂଗଲରେ ଆଜି ବି ନିଆଁ ଜଳୁଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ପକ୍ଷରୁ ସୂଚନା ମିଳିଛି।