କଟକ : ଓଡ଼ିଶା ହାଇକୋର୍ଟରେ ଏବେ ବିଚାରାଧୀନ ମାମଲା ସଂଖ୍ୟା ରହିଛି ୧ ଲକ୍ଷ ୮୨ ହଜାରରୁ ଅଧିକ। ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍(ଏନଜେଡିଜି)ରେ ଉପଲବ୍ଧ ତଥ୍ୟ ଅନୁସାରେ ଅକ୍ଟୋବର ୧୬ ତାରିଖ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୮୨ ହଜାର ୬୧୩ଟି ମାମଲା ବିଚାରାଧୀନ ରହିଛି। ୨୦୨୦ ବର୍ଷ ଆରମ୍ଭରେ ବିଚାରାଧୀନ ମାମଲା ସଂଖ୍ୟା ହାଇକୋର୍ଟରେ ପ୍ରାୟ ଦେଢ ଲକ୍ଷ ଓ ୨୦୨୧ ଆରମ୍ଭରେ ୧ ଲକ୍ଷ ୭୨ ହଜାର ଥିବା ବେଳେ ଏବେ ଏହି ସଂଖ୍ୟା ୧ ଲକ୍ଷ ୮୨ ହଜାର ଅତିକ୍ରମ କରିଛି। ଏବେ ୩୦ ବର୍ଷରୁ ଅଧିକ ପୁରୁଣା ୮୪୨ଟି ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ସେହିଭଳି ଭାବେ ବିଚାରାଧୀନ ମାମଲା ମଧ୍ୟରେ ୨୦ରୁ ୩୦ ବର୍ଷ ପୁରୁଣା ୪ ହଜାର ୩୩୧ଟି, ୧୦ରୁ ୨୦ ବର୍ଷ ପୁରୁଣା ୨୬ ହଜାର ୪୫୬ଟି, ୫ରୁ ୧୦ ବର୍ଷ ପୁରୁଣା ୪୩ ହଜାର ୪୨୧ଟି, ୩ରୁ ୫ ବର୍ଷ ପୁରୁଣା ୨୬ ହଜାର ୮୦ଟି, ୧ରୁ ୩ ବର୍ଷ ପୁରୁଣା ୨୭ ହଜାର ୮୯୦ଟି ମାମଲା ରହିଛି। ବିଚାରାଧୀନ ମାମଲା ମଧ୍ୟରେ ୮୧ ହଜାର ୨୫୨ଟି ରିଟ୍ ପିଟିସନ୍ ରହିଛି।
ହାଇକୋର୍ଟ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୯, ଡିସେମ୍ବର ୩୧ ତାରିଖ ସୁଦ୍ଧା ୧ ଲକ୍ଷ ୫୦ ହଜାର ୬୩୭ଟି ମାମଲା ବିଚାରାଧୀନ ଥିଲା। ସେହିଭଳି ଭାବେ ୨୦୨୦, ଶେଷ ସୁଦ୍ଧା(୨୦୨୦, ଡିସେମ୍ବର ୩୧ ତାରିଖ) ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୭୨ ହଜାର ୮୮୫ ମାମଲା ବିଚାରାଧୀନ ରହିଥିଲା। କରୋନା ସଂକ୍ରମଣ ଯୋଗୁଁ ୨୦୨୦, ମାର୍ଚ୍ଚ ମାସରୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିଲା। କଟକଣା ଭିତରେ କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ହାଇକୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ପରେ ହାଇବ୍ରିଡ୍ ମୋଡ୍ରେ ହାଇକୋର୍ଟରେ ମାମଲା ଶୁଣାଣି ଆରମ୍ଭ ହୋଇଥିଲା। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୪ ଜଣ ବିଚାରପତି ରହିଛନ୍ତି। ଓଡ଼ିଶା ହାଇକୋର୍ଟରେ ତିନି ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତରେ ଗତ ୧୩ ତାରିଖ ଦିନ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍) ଉଚ୍ଛେଦ ପରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ଚାକିରି ସଂପର୍କିତ ମାମଲା ଗୁଡିକ ମଧ୍ୟ ହାଇକୋର୍ଟରେ ସିଧାସଳଖ ଦାୟର ହେଉଛି। ଏଥି ସହିତ ସ୍ୟାଟ୍ରେ ବିଚାରାଧୀନ ମାମଲା ମଧ୍ୟ ସ୍ଥାନାନ୍ତର ପରେ ହାଇକୋର୍ଟରେ ଶୁଣାଣି ହେଉଛି। ଏଭଳି ସ୍ଥିତିରେ ହାଇକୋର୍ଟରେ ଖାଲି ପଡିଥିବା ସମସ୍ତ ବିଚାରପତି ପଦ ପୂରଣ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Odisha_high_court.jpg)