କନ୍ଧମାଳକୁ ଯୋଗାଣ ସାରରୁ ଅଧା ଲାଗୁଛି ଗଞ୍ଜେଇ ଚାଷରେ !

ଚାଷଜମି କମ୍‌ ଥିବା ତିନି ବ୍ଲକ୍‌କୁ ସାର ଯୋଗାଣ ଅଧିକ

ଫୁଲବାଣୀ: କନ୍ଧମାଳ ଜିଲ୍ଲାକୁ ଖରିଫ୍‌ରେ ଆସୁଥିବା ୫୦ ପ୍ରତିଶତରୁ ଅଧିକ ସାର ଗଞ୍ଜେଇ ଚାଷରେ ବ୍ୟବହାର ହେଉଛି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ, ରାଇକିଆ, ଫିରିଙ୍ଗିଆ ଓ ବାଲିଗୁଡ଼ା ଭଳି ଘଞ୍ଚ ଜଙ୍ଗଲ ଓ ପାହାଡ଼ ଭରା ବ୍ଲକ୍‌ରେ କେଉଁ ଆଧାରରେ ଅନ୍ୟ ବ୍ଲକମାନଙ୍କ ତୁଳନାରେ ଚାଷଜମି କମ୍‌ ସତ୍ତ୍ବେ ସର୍ବାଧିକ ସାର ପ୍ରୟୋଗ ହେଉଛି, ତାକୁ ନେଇ ପ୍ରଶ୍ନ ଉଠିଛି। କନ୍ଧମାଳ ଜିଲ୍ଲାର ଏହି ତିନୋଟି ବ୍ଲକର ଘଞ୍ଚ ଜଙ୍ଗଲମାନଙ୍କରେ ଗଞ୍ଜେଇ ଚାଷ ଅଧିକ ହେଉଥିବାରୁ ଏ ଦୁଇ ବ୍ଲକ୍‌ରେ ଅଧିକ ପରିମାଣର ସାର ଚାହିଦା ରହିଛି। ଗଞ୍ଜେଇ ଚାଷରୁ ଅଧିକ ଲାଭ ମିଳୁଥିବାରୁ କନ୍ଧମାଳର ଚାଷୀମାନେ ଅନ୍ୟ ଚାଷ ପ୍ରତି ମନ ବଳାଉ ନାହାନ୍ତି।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ୨୦୨୩ ଖରିଫ ଋତୁରେ କନ୍ଧମାଳ ଜିଲ୍ଲାରେ ମୋଟ ୩,୨୭୯ ମେଟ୍ରିକ ଟନ୍‌ ସାର ପ୍ରୟୋଗ ହୋଇଥିବା‌ ବେଳେ ସେଥି ମଧ୍ୟରୁ ସର୍ବାଧିକ ଫିରିଙ୍ଗିଆ, ରାଇକିଆ, ଟିକାବାଲି ଏବଂ ବାଲିଗୁଡ଼ା ବ୍ଲକରେ ବ୍ୟବହାର ହୋଇଛି। ରାଇକିଆ, ଟିକାବାଲି, ଫିରିଙ୍ଗିଆ ଏବଂ ବାଲିଗୁଡ଼ା ଭଳି ପାର୍ବତ୍ୟାଞ୍ଚଳରେ ଖରିଫ ଧାନ ଫସଲରେ ଏତେ ପରିମାଣରେ ସାର ବ୍ୟବହାର ହେଉଛି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ଜଣେ କୃଷି ଅଧିକାରୀଙ୍କ କହିବା ଅନୁସାରେ, ଏସବୁ ବ୍ଲକ୍‌ରେ ଘଞ୍ଚ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଛି ଏବଂ ଖରିଫ ଫସଲ ପାଇଁ ଆସୁଥିବା ସାର ଗଞ୍ଜେଇ ଚାଷରେ ବ୍ୟବହୃତ ହେଉଛି। ପ୍ରତିବର୍ଷ ଫିରିଙ୍ଗିଆ ଏବଂ ବାଲିଗୁଡ଼ା ପୁଲିସ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ସେଠାରେ ଶହଶହ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହୋଇଥିବା ଠାବ କରୁଛି ଏବଂ ଫସଲ ନଷ୍ଟ କରୁଛି। ଘଞ୍ଚ ଜଙ୍ଗଲମାନଙ୍କରେ ଗଞ୍ଜେଇ ମାଫିଆମାନେ ବହୁ ସଂଖ୍ୟାରେ କୃତ୍ରିମ ପୋଖରୀ ଖନନ କରି ସେଠାରୁ ଉଚ୍ଚ ମାନର ପମ୍ପସେଟ୍‌ ଜରିଆରେ ଗଞ୍ଜେଇ ଚାଷ ଜମିକୁ ପାଣି ମଡ଼ାଉଥିବାର ଜଣାପଡ଼ିଥିଲା। ଗଞ୍ଜେଇ ଗଛକୁ ଶୀଘ୍ର ବଢ଼ାଇବା ପାଇଁ ମାଫିଆମାନେ ବହୁ ପରିମାଣରେ ୟୁରିଆ ଓ ଡିଏପି ସାରର ପ୍ରୟୋଗ କରୁଛନ୍ତି ବୋଲି ଜଣେ କୃଷି ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଚାଷୀଙ୍କ ପାଇଁ ଆସୁଥିବା ରାସାୟନିକ ସାର ଗଞ୍ଜେଇ ମାଫିଆଙ୍କ ହାତକୁ ଚାଲିଯିବା ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି।

ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇ ସଂରକ୍ଷିତ ଜଙ୍ଗଲମାନଙ୍କରେ କରାଯାଉଥିବା ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଗଲେ ଏହାର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବ୍ୟବସ୍ଥିତ ଭାବେ ଏବଂ ଗୁପ୍ତ ଭାବେ ଗଞ୍ଜେଇ ଚାଷ କରାଯାଉଛି। ଏଥିରେ ବନ ବିଭାଗ କର୍ମଚାରୀଙ୍କଠାରୁ ଆରମ୍ଭ କରି ରାଜସ୍ବ ବିଭାଗ, ପୁଲିସ ଏବଂ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିବା ନେଇ ବହୁ ସମୟରେ ଅଭିଯୋଗ ହେଉଛି। ଫୁଲବାଣୀ, ବାଲିଗୁଡ଼ା ଏବଂ ବୌଦ୍ଧ ସହରର କେତେକ ଗଞ୍ଜେଇ ମାଫିଆ ଏ ଚାଷକୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଗଞ୍ଜେଇ ଚାଷ ହୋଇଗଲା ପରେ ଏହି ମାଫିଆମାନଙ୍କ ସହାୟତାରେ କନ୍ଧମାଳ ଜିଲ୍ଲା ବାହାରକୁ ଚାଲାଣ କରାଯାଇଥାଏ। ଯଦିଓ ମଝିରେ ମଝିରେ ପୁଲିସ ହାତରେ ଏମାନେ ଧରା ପଡ଼ିଥାନ୍ତି। ମାତ୍ର, ବହୁ ପରିମାଣରେ ଗଞ୍ଜେଇ ଜିଲ୍ଲା ବାହାରକୁ ଚାଲାଣ କରିବାରେ ମାଫିଆମାନେ ସଫଳ ହେଉଛନ୍ତି। ପୁଲିସ ବିଭାଗର ଅବହେଳା ହେଉ କିମ୍ବା ଜ୍ଞାତସାରରେ ଏ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ହେଉଛି ବୋଲି ସ୍ଥାନୀୟ ଅଞ୍ଚଳରୁ ବାରମ୍ବାର ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର