ଅଧେ ଓହରିଲେ, ଅଧେ ରହିଲେ

ଶିକ୍ଷକ ଆନ୍ଦୋଳନ ରାଜନୀତି

ଭୁବନେଶ୍ୱର: ଲୋୟର ପିଏମ୍‌ଜିରେ ଚାଲିଥିବା ଶିକ୍ଷକ ଆନ୍ଦୋଳନ ନୂଆ ମୋଡ଼ ନେଇଛି। ମିଳିତ ଭାବେ ଆନ୍ଦୋଳନକୁ ଓହ୍ଲାଇଥିବା ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ଓଡ଼ିଶା ଶିକ୍ଷା ସହାୟକ ସଂଘରେ ଗତକାଲି ସୃଷ୍ଟି ହୋଇଥିବା ବିବାଦ ଘନେଇବାରେ ଲାଗିଛି। ଶିକ୍ଷା ସହାୟକ ସଂଘ ଆଜି ବି ଆନ୍ଦୋଳନ ଜାରି ରଖିଥିବା ବେଳେ ପ୍ରାଥମିକ ଶିକ୍ଷକ ସଂଘ ଦୁଇ ଭାଗ ହୋଇଯାଇଛି। ସଂଘର ସଭାପତି ରାଜେଶ ମହାନ୍ତି ଏବଂ ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲଙ୍କ ନେତୃତ୍ୱରେ କେତେଜଣ ଶିକ୍ଷକ ଆନ୍ଦୋଳନରୁୁ ଓହରି ଯାଇଥିବା ବେଳେ ଅନ୍ୟ କର୍ମକର୍ତା ଏବେ ବି ଆନ୍ଦୋଳନ ଜାରି ରଖିଛନ୍ତି। ଏହାକୁ ନେଇ ସଂଘ ଭିତରେ ରାଜନୀତି ଆରମ୍ଭ ହୋଇଛି। ଉଭୟ ପକ୍ଷ ପରସ୍ପର ବିରୋଧରେ ବିଷୋଦଗାର କରିଛନ୍ତି।

ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଚାଲୁ ରଖିବା ଲାଗି ଏକ ଆବାହକ କମିଟି ଗଠନ କରାଯାଇଛି। ବ୍ରହ୍ମାନନ୍ଦ ମହାରଣା ଏହାର ମୁଖ୍ୟ ଆବାହକ ରହିଥିବା ବେଳେ ସୁଶାନ୍ତ ବେହେରା, କୃଷ୍ଣ ବେହେରା, ସବିର ଅଲ୍ଲି ଖାନ, ତ୍ରିଲୋଚନ ବେହେରା, ଚକାନନ୍ଦ କମ୍ପ, ଗୋପାଳ ସେନ୍‌ ପ୍ରମୁଖ ଆବାହକ ମଣ୍ଡଳୀ ସଦସ୍ୟ ରହିଛନ୍ତି। ନଭେମ୍ବର ୧୩ ଏବଂ ୧୭ରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହେବାକୁ ଥିବାରୁ ଆବାହକ କମିଟି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ଆବାହକ ଶ୍ରୀ ମହାରଣା କହିଛନ୍ତି ଯେ ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ। ସଂଘର ସଭାପତି ଏବଂ ସାଧାରଣ ସମ୍ପାଦକ ବିଜେଡି ନେତାଙ୍କ ସହ ସାଲିସ କରି ଆନ୍ଦୋଳନରୁ ଓହରିଛନ୍ତି। ସଂଘର ୨୮ଟି ଜିଲ୍ଲାସ୍ତରୀୟ ସଙ୍ଗଠନ ମଧ୍ୟରୁ ଏବେ ବି ୨୬ଟି ଜିଲ୍ଲା ସଙ୍ଗଠନ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। କୌଣସି ପରିସ୍ଥିତିରେ ଏବେ ଆମେ ରାଜରାସ୍ତାରୁ ହଟିବୁ ନାହିଁ। ସଭାପତି ଏବଂ ସାଧାରଣ ସମ୍ପାଦକକୁ ସଂଘରୁ ବହିଷ୍କାର କରାଯାଇଛି। ଖୁବ୍‌ଶୀଘ୍ର ନୂତନ ସଭାପତିଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଚୟନ ହେବେ ବୋଲି ସେ କହିଛନ୍ତ।

ଏହାର ଜବାବ ରଖି ସଂଘର ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲ କହିଛନ୍ତି ଯେ କେତେଜଣ ଶିକ୍ଷକ ନେତା ହେବା ଲାଗି ଆନ୍ଦୋଳନରେ ବସି ରହିଛନ୍ତି। ସେମାନଙ୍କ ପଛରେ କୌଣସି ଜିଲ୍ଲାର ଶିକ୍ଷକ ସଂଘ ନାହାନ୍ତି। କମ୍ୟୁନିଷ୍ଟ ପାର୍ଟି ଚିନ୍ତାଧାରାରେ ସେମାନେ ପରିଚାଳିତ ହେଉଛନ୍ତି। ଗତକାଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହ ଆଲୋଚନା ପରେ ଆମ ସଙ୍ଗଠନ ଆନ୍ଦୋଳନକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଶିକ୍ଷକମାନେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଯଦି ନିର୍ଧାରିତ ସମୟ ମଧ୍ୟରେ ଦାବି ପୂରଣ କରା ନ ଯାଏ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା ଏବଂ ସାଧାରଣ ସମ୍ପାଦକ ଅର୍ଜୁନ କୁମାର ସେଠୀ କହିଛନ୍ତି ଯେ ଆନ୍ଦୋଳନ ଜାରି ରହିଛି। ଆମେ କୌଣସି ପରିସ୍ଥିତିରେ ଓହରିବୁ ନାହିଁ। ଶିକ୍ଷକମାନେ ବିଦ୍ୟାଳୟରେ ପଢ଼ାଉଛନ୍ତି। ଏଠାରେ ପ୍ରତୀକ ଧାରଣା ଚାଲିଛି। ଶନିବାର ଏବଂ ରବିବାର ଛୁଟି ଥିବାରୁ ସୋମବାର ବିଭାଗୀୟ କମିଟିର ପ୍ରଥମ ବୈଠକ ବସିବ। ସେଠାରେ ଯେଉଁ ନିଷ୍ପତ୍ତି ନିଆଯିବ ତାହାକୁ ଆଧାର କରି ସଂଘ ପରବର୍ତୀ ପଦକ୍ଷେପ ଗ୍ରହଣ କରିବ। ପ୍ରାଥମିକ ଶିକ୍ଷକ ସଂଘର ଅନେକ ଶିକ୍ଷକ ଏବେ ବି ଆମ ସହ ଆନ୍ଦୋଳନରେ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର