ଶିଳ୍ପ କରିଡରରେ ଶିଳ୍ପର ଏମିତି ସ୍ଥିତି: ଅଧା ମଧ୍ୟମ ଶିଳ୍ପ ବନ୍ଦ, ୧୦ବର୍ଷ ହେଲା ନୂଆ ଶିଳ୍ପଟିଏ ନାହିଁ

ଅଣୁ ଓ କ୍ଷୁଦ୍ର ଶିଳ୍ପର ହିସାବ ନାହିଁ, ଗଣିଲେ ଜଣାପଡ଼ିବ: ଡିଆଇସି

ଅନୁଗୁଳ : ବିନ୍ଦଲ ସ୍ପଞ୍ଜ୍‌ ଆଇରନ୍‌। ତାଳଚେର ଏକଘରିଆ ନିକଟରେ ଖୋଲିଥିଲା ଏହି ମଧ୍ୟମ ଶିଳ୍ପ। କିନ୍ତୁ, ବେଶିଦିନ ତିଷ୍ଠି ପାରିଲା ନାହିଁ। ୨୦୦୭-୦୮ ଆର୍ଥିକ ବର୍ଷରେ କାରଖାନାରେ ତାଲା ଝୁଲିଲା। ସମାନ ସ୍ଥିତି ଶ୍ରୀ ମେଟାଲିକ୍ସ କାରଖାନାରେ। ମୁକୁନ୍ଦପୁର ଇଲାକାରେ ଠିଆ ହୋଇଥିଲା ଏ ସ୍ପଞ୍ଜ୍‌ ଆଇରନ୍‌ କାରଖାନା ବି ବେଶିଦିନ ତିଷ୍ଠି ପାରିଲାନାହିଁ। କେଇଟା ମାସ ଚାଲିବା ପରେ ୨୦୦୮-୦୯ ଆର୍ଥିକ ବର୍ଷ ବେଳକୁ ଏ ମଧ୍ୟମ ଶିଳ୍ପରେ ମଧ୍ୟ ତାଲା ପଡ଼ିଛି। ଶିଳ୍ପ ସମୃଦ୍ଧ କୁହାଯାଉଥିବା ଅନୁଗୁଳ ଜିଲ୍ଲା‌ରେ ଇଏ ହେଉଛି ମଧ୍ୟମ ଶିଳ୍ପର ସ୍ଥିତି। ଗଲା କୋଡ଼ିଏ ବର୍ଷ ମଧ୍ୟରେ ଜିଲ୍ଲାରେ ୫ଟି ମଧ୍ୟମ ଶିଳ୍ପରୁ ଦୁଇଟି ଶିଳ୍ପ ସଂସ୍ଥା ବନ୍ଦ ହୋଇଛି। ଏପଟେ ଗୋଟିଏ ହେଲେ ନୂଆ ଶିଳ୍ପ ସ୍ଥାପନ ହୋଇନି। କେବଳ ମଧ୍ୟମ ଶିଳ୍ପର କଥା ନୁହେଁ, ଜିଲ୍ଲାରେ କେତେ କ୍ଷୁଦ୍ର ଓ ଅଣୁ ଶିଳ୍ପ ଅଛି, ସେଥିରୁ ବର୍ତ୍ତମାନ କେତେ କାର୍ଯ୍ୟକ୍ଷମ ଜିଲ୍ଲା ଶିଳ୍ପ କେନ୍ଦ୍ର ପାଖରେ ତାର ମଧ୍ୟ ଠୋସ୍‌ ହିସାବ ନାହିଁ। ଏମିତି ସ୍ଥିତିରେ ଶିଳ୍ପ କରିଡ଼ର କୁହାଯାଉଥିବା ଅନୁଗୁଳ ଜିଲ୍ଲାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କେମିତି ଚାଲିଛି ତାହା ଅନୁମାନ କରାଯାଇପାରେ।

ବିଭାଗ କହିବା ମୁତାବକ, ସର୍ବନିମ୍ନ ଏକ କୋଟି ଟଙ୍କାର ଯନ୍ତ୍ରାଂଶ କିମ୍ବା ବାର୍ଷିକ ୫କୋଟି ଟଙ୍କାର ବ୍ୟବସାୟ କରୁଥିବା ଶିଳ୍ପାନୁଷ୍ଠାନ ହେଉଛି କ୍ଷୁଦ୍ର ଶିଳ୍ପ ଅନ୍ତର୍ଗତ। ୫୦କୋଟି ଟଙ୍କାର ଯନ୍ତ୍ରାଂଶ ଏବଂ ବାର୍ଷିକ ୨୫୦କୋଟି ଟଙ୍କାର ବ୍ୟବସାୟ କରୁଥି‌ବା ଅନୁଷ୍ଠାନକୁ ମଧ୍ୟମ ଏବଂ ୫୦କୋଟିରୁ ଅଧିକ ଯନ୍ତ୍ରାଂଶ ଖଞ୍ଜିଥିବା ସଂସ୍ଥାକୁ ବୃହତ୍‌ ଶିଳ୍ପର ମାନ୍ୟତା ଦିଆଯାଉଛି। ଜିଲ୍ଲା ଶିଳ୍ପ କେନ୍ଦ୍ରର ସୂଚନା ଅନୁସାରେ, ଗତ ୨୦ ବର୍ଷ ମଧ୍ୟରେ ୫୦କୋଟିର ଯନ୍ତ୍ରାଂଶ ଖଞ୍ଜିଥିବା ଶିଳ୍ପ ସଂଖ୍ୟା ସମୁଦାୟ ୫ଥିଲା।

୨୦୦୨ ଅଗଷ୍ଟ ୧୫ରେ ତାଳଚେର ଶିଳ୍ପାଞ୍ଚଳରେ ୩୮୯.୮୫ଲକ୍ଷ ଟଙ୍କା ବ୍ୟୟରେ ଖୋଲିଥିଲା ଗ୍ଲୋବାଲ୍ କୋଲ୍ ଆଣ୍ଡ୍‌ ମାଇନିଂ ପ୍ରାଇଭେଟ୍‌ ଲିମିଟେଡ୍‌। ୨୦୧୦ ଅଗଷ୍ଟ ୨୩ ରେ ତାଳଚେର କଙ୍କିଳିଠାରେ ଖୋଲିଥିଲା ଉତ୍କଳ ଏନର୍ଜି ରିସୋର୍ସ ଲିମିଟେଡ୍‌। ଯାହା ଏକ କୋଲ୍ ୱାସେରୀ ଥିଲା। ଯେଉଁଥିରେ ୧୦୪୦.୫୦ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିଲା। ସେହିପରି ୨୦୧୧ ଜାନୁଆରି ୨୦ରେ ତାଳଚେର ଏକଘରିଆଠାରେ ଖୋଲିଥିଲା ଇଣ୍ଟର କଣ୍ଟିନେଣ୍ଟାଲ୍ ଟାର୍‌ ରିଫାଇନ୍‌ର୍ସ ପ୍ରାଇଭେଟ୍ ଲିମିଟେଡ୍‌। ଯାହା କୋଲ୍‌ ଟାର୍‌ ପିଚ୍‌ ଓ କୋଲ୍‌ ଟାର୍‌ ଅଏଲ୍ ଉତ୍ପାଦନ କରୁଥିବା ବେଳେ ୨୯୬୦.୨୦ଲକ୍ଷ ଟଙ୍କା ବିନିଯୋଗ ହୋଇଥିଲା। ଏହା ବାଦ୍‌ ବିନ୍ଦଲ୍‌ ସ୍ପଞ୍ଜ୍‌ ଆଇରନ୍‌ ଏବଂ ଶ୍ରୀ ମେଟାଲିକ୍ସ ନାଁରେ ଆଉ ଦୁଇଟି ମଧ୍ୟ ସ୍ପଞ୍ଜ୍‌ ଆଇରନ୍‌ କାରଖାନା ଶିଳ୍ପ ସମୃଦ୍ଧ ଅନୁଗୁଳ ମାଟିରେ ଠିଆ ହୋଇଥିଲା। କିନ୍ତୁ, ଗତ ଦୁଇ ଦଶନ୍ଧି ମଧ୍ୟରେ ୫ଟି ମଧ୍ୟମ ଶିଳ୍ପ ମଧ୍ୟରୁ ଆଉ ଗୋଟିଏ ବି ନୂଆ ମଧ୍ୟମ ଶିଳ୍ପ ଏଠି ଠିଆ ହୋଇନାହିଁ। ବରଂ ବିଭିନ୍ନ କାରଣ ପାଇଁ ଦୁଇଟି ଶିଳ୍ପରେ ତାଲା ପଡ଼ିଛି।

ବୃହତ୍‌ ଶିଳ୍ପ କଥା ଦେଖିଲେ, ଜିନ୍ଦଲକୁ ଛାଡ଼ିଦେଲେ ଗତ ଦୁଇ ଦଶନ୍ଧି ମଧ୍ୟରେ ଶିଳ୍ପ କରିଡ଼ରରେ କିଛି ନୂଆ ଶିଳ୍ପ ସ୍ଥାପନ ହୋଇନି। ବରଂ ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ୍‌ ଭଳି ବଡ଼ କାରଖାନା ୫୪ବର୍ଷ ପରେ ବନ୍ଦ ହୋଇଯାଇଛି। ସେହିପରି ୨୦୦୨ରୁ ତାଳଚେର ସାର କାରଖାନା ବନ୍ଦ ହୋଇ ପଡ଼ିଛି। ବୃହତ୍‌ ଶିଳ୍ପ ତାଲିକାରେ ରହିଛି ନାଲକୋ, ଏମ୍‌ସିଏଲ୍, ଏନ୍‌ଟିପିସି ଭଳି କିଛି ପବ୍ଲିକ୍‌ ସେକ୍ଟର ଏବଂ ଗଣେଶ ସ୍ପଞ୍ଜ୍‌, ଜିନ୍ଦଲ ଓ ଜେଆଇଟିପିଏଲ୍ ଭଳି କିଛି ବେସରକାରୀ ଉଦ୍ୟୋଗ। ଏହା ବାଦ୍‌ ଜିଲ୍ଲାରେ ଗତ ଦୁଇ ଦଶନ୍ଧି ମଧ୍ୟରେ ନୂତନ ପ୍ରକଳ୍ପ ଆଉ ଆସିନାହିଁ।

ବୃହତ୍‌ ଏବଂ ମଧ୍ୟମ ଶିଳ୍ପ କଥା ଛାଡ଼, ଅନୁଗୁଳ ଜିଲ୍ଲାରେ କେତୋଟି କ୍ଷୁଦ୍ର ଓ ଅଣୁ ଶିଳ୍ପ ଅଛି ତାର ପରିସଂଖ୍ୟାନ ଅନୁଗୁଳ ଜିଲ୍ଲା ଶିଳ୍ପ କେନ୍ଦ୍ର ପାଖରେ ନାହିଁ। ଜିଲ୍ଲା ଶିଳ୍ପ କେନ୍ଦ୍ରର ଜିଏମ୍‌ ସନ୍ତୋଷ କୁମାର ମିଶ୍ରଙ୍କ କହିବା ଅନୁସାରେ, ଅନେକ କ୍ଷୁଦ୍ର ଶିଳ୍ପ ଖୋଲୁଛି, ପୁଣି ବନ୍ଦ ହେଉଛି। ଶିଳ୍ପାନୁଷ୍ଠାନ ବନ୍ଦ ହେଲେ ଆମ ପାଖକୁ ତଥ୍ୟ ଆସୁନାହିଁ। ଏମିତିକି, ଲୋକେ ଅନୁଷ୍ଠାନ ଗଢ଼ିଲେ ବି ଆମ ପାଖକୁ ପଞ୍ଜୀକରଣ କରିବାକୁ ଆସୁ ନାହାନ୍ତି। ବାସ୍ତବରେ ଜିଲ୍ଲାରେ କ୍ଷୁଦ୍ର ଓ ଅଣୁ ଶିଳ୍ପ କେତେ ଅଛି ତାହାର ସଠିକ୍‌ ତଥ୍ୟ ଆମ ପାଖରେ ନାହିଁ। କ୍ଷୁଦ୍ର ଓ ଅଣୁ ଶିଳ୍ପର ସଂଖ୍ୟା ଜାଣିବା ପାଇଁ ବିଭାଗ ଖୁବ୍‌ଶୀଘ୍ର ଜିଲ୍ଲାରେ ଶିଳ୍ପ ଗଣନା କରିବାକୁ ଯାଉଛି। ସର୍ଭେ ହେଲା ପରେ ଶିଳ୍ପ ସଂଖ୍ୟା ସ୍ପଷ୍ଟ ହେବ ବୋଲି ଶ୍ରୀ ମିଶ୍ର ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର