ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷା, ମୂଲ୍ୟାୟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ)ର ଏକପାଖିଆ ନିଷ୍ପତ୍ତି ଛାତ୍ର ଓ ଶିକ୍ଷକମାନଙ୍କ ଉପରେ ଲଦି ଦିଆଯାଉଥିବା ନେଇ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ଏଆଇଏସ୍‌ଏଫ୍‌ ସଭାପତି ସଙ୍ଘମିତ୍ରା ଜେନା ଓ ଏସ୍‌ଆଇଏଫ୍‌ ଛାତ୍ରନେତା ବିପ୍ଲବ କୁମାର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ଓଷ୍ଟା ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟର ବୁଦ୍ଧିଜୀବୀ, ଅଭିଭାବକ, ଶିକ୍ଷକ ଓ ଛାତ୍ର ସଙ୍ଗଠନଗୁଡ଼ିକର ମତାମତକୁ ଉପେକ୍ଷା କରି ବିଏସ୍‌ଇ ଏକତରଫା ଭାବେ ଶିକ୍ଷା ବିରୋଧୀ ନୀତି ଆପଣେଇ ଚାଲିଛି। ରାଜ୍ୟ ସରକାର ଓ ଶିକ୍ଷା ବିଭାଗର ଅଧିକାରୀମାନେ ନିରବଦ୍ରଷ୍ଟା ସାଜି ଏହାକୁ ସମର୍ଥନ କରୁଛନ୍ତି। ଏହା ଛାତ୍ର ଓ ଶିକ୍ଷକଙ୍କୁ ମାନସିକ ଯନ୍ତ୍ରଣା ଭିତରକୁ ଠେଲି ଦେଉଛି।

Advertisment

ରାଜ୍ୟରେ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସ୍ଥାୟୀ ସ୍ୱୀକୃତି ନଦେଇ ୩୦ରୁ ୪୦ବର୍ଷ ଧରି ସ୍ୱୀକୃତି ନବୀକରଣ ନାମରେ ପ୍ରତ୍ୟେକ ବିଦ୍ୟାଳୟରୁ ବର୍ଷକୁ ୪ ହଜାର ଟଙ୍କା ଫି’ ଆଦାୟ କରି ଚାଲିଛନ୍ତି। ୨୦୧୯ରୁ ୨୦୨୧ମସିହା ପର୍ଯ୍ୟନ୍ତ କରୋନା ପାଇଁ ବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ବୋର୍ଡ ପକ୍ଷରୁ ପିଛିଲା ଭାବେ ୨୦୧୯ର ଦେୟକୁ ମିଶାଇ ଚଳିତବର୍ଷ ୮ ହଜାର କରି ରାଜ୍ୟର ପ୍ରାୟ ୩ ହଜାରରୁ ଅଧିକ ମାଧ୍ୟମିକ ବିଦ୍ୟାଳୟରୁ ଜୋରଜବରଦସ୍ତ ଟଙ୍କା ଆଦାୟ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯେଉଁ ବିଦ୍ୟାଳୟଗୁଡ଼ିକୁ ରାଜ୍ୟ ସରକାର ଦରମା, ଚାକିରି ସର୍ତ୍ତାବଳୀ, ଅବସରକାଳୀନ ସୁବିଧା ନଦେଇ ଗୋତି ଶ୍ରମିକ ଭାବେ ଶିକ୍ଷକଙ୍କୁ ଖଟାଉଛନ୍ତି, ସେଠାରୁ ଉକ୍ତ ଅର୍ଥ ଆଦାୟ କରିବା ପାଇଁ ପରିଷଦ କର୍ତ୍ତୃପକ୍ଷଙ୍କୁ ଅନୁମତି ଦେବା କେତେ ଦୂର ଯଥାର୍ଥ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଚଳିତ ବାର୍ଷିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ବୋର୍ଡ ପରୀକ୍ଷା ଓ ଚାରୋଟି ଆସେସ୍‌ମେଣ୍ଟ ପରୀକ୍ଷାର ବୋଝ ଲଦି ଦେଇଛନ୍ତି। ଏହା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କହିଛନ୍ତି।

ସେହିପରି ନବମ ଶ୍ରେଣୀର ଅଧବାର୍ଷିକ ବୋର୍ଡ଼ ପରୀକ୍ଷାକୁ ପ୍ରଥମାଷ୍ଟମୀ ଭଳି ଛୁଟି ଦିନରେ କରିବା ପାଇଁ ଧା‌ର୍ଯ୍ୟ କରିବା ପରିଷଦ କର୍ତ୍ତୃପକ୍ଷଙ୍କ ଅପାରଗତା ଓ ଅପରିପକ୍ୱତା ପଦାରେ ପଡ଼ିଛି। ଦଶମ ଶ୍ରେଣୀର ଅଧବାର୍ଷିକ ବୋର୍ଡ ପରୀକ୍ଷାକୁ ବଡ଼ ଦିନ ଛୁଟି ଅର୍ଥାତ୍ ଡିସେମ୍ବର ୨୭ରୁ ଆରମ୍ଭ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖ୍ରୀଷ୍ଟଧର୍ମାବଲମ୍ବୀ ପିଲାଙ୍କ ଲାଗି ଏହା ଏକ ବଡ଼ ପର୍ବ ହୋଇଥିବା ବେଳେ ସେଭଳି ସମୟରେ ପରୀକ୍ଷା କରାଇବା କେତେଦୂରରୁ ଯଥାର୍ଥ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ପରୀକ୍ଷା ଓ ମୂଲ୍ୟାୟନ ସମ୍ପର୍କରେ ନିଷ୍ପତ୍ତି ନେବା ପୂର୍ବରୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଛାତ୍ର ଓ ଶିକ୍ଷକ ସଙ୍ଗଠନ ସହ ଏକ ବ୍ୟାପକ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ। ଛୁଟି ଓ ପର୍ବପର୍ବାଣୀରେ ପରୀକ୍ଷା ପାଇଁ ବୋର୍ଡ ନେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରା ନଗଲେ ଛାତ୍ର ଶିକ୍ଷକ କ୍ରିୟାନୁଷ୍ଠାନ କମିଟି ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଓ ଜୋନାଲ୍‌ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଓଷ୍ଟା ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଭିକାରୀ ଚରଣ ସାହୁ, ଯୁଗ୍ମ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ପ୍ରମୁଖ ଦାବି କରିଛନ୍ତି।