୧ରୁ ଏକକ ଷାଣ୍ମାସିକ ପରୀକ୍ଷା, ଦୁଇଟି ସିଟିଂରେ ହେବ ପ୍ରଥମରୁ ୮ମ ଶ୍ରେଣୀ ପରୀକ୍ଷା

ବର୍ଷା ଯୋଗୁଁ ସ୍କୁଲରେ ପହଞ୍ଚିପାରିଲାନି ପ୍ରଶ୍ନପତ୍ର

ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏକକ ଷାଣ୍ମାସିକ ପରୀକ୍ଷା କାର୍ଯ୍ୟସୂଚୀରେ କିଛିଟା ପରିବର୍ତନ କରାଯାଇଛି। ପୂର୍ବରୁ ଅକ୍ଟୋବର ୨୯ରୁ ନଭେମ୍ବର ୨ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ଏବେ ନଭେମ୍ବର ୧ରୁ ଆରମ୍ଭ ହେବ। ଲଗାଣ ବର୍ଷା ଯୋଗୁଁ ବହୁ ବିଦ୍ୟାଳୟରେ ଏପର୍ଯ୍ୟନ୍ତ ପ୍ରଶ୍ନପତ୍ର ପହଞ୍ଚିପାରି ନ ପାରି ଜିଲ୍ଲାସ୍ତରରେ ଅଟକି ରହିଛି। ତେଣୁ ପରୀକ୍ଷା ସୂଚୀରେ ପରିବର୍ତନ କରାଯାଇଛି। ତେବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ନଭେମ୍ବର ୧ ଓ ୨ରେ ହେବାକୁ ଥିବା ପରୀକ୍ଷା ସୂଚୀରେ କୌଣସି ପରିବର୍ତନ କରାଯାଇ ନ ଥିବା ଓଡ଼ିଶା ସ୍କୁଲ ଏଜୁକେସନ ପୋଗ୍ରାମ ଅଥରିଟି(ଓସେପା) ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରତିଦିନ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟର ପରୀକ୍ଷାର ସମୟ ସୀମା ୧ ଘଣ୍ଟା ୩୦ ମିନିଟ୍‌ ରଖାଯାଇଛି। ଶନିବାର ଦିନ ପ୍ରଥମରୁ ୭ମ ଶ୍ରେଣୀ ପାଇଁ ସକାଳ ୭ଟାରୁ ୮ଟା ୩୦ ଓ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ। ୮ମ ଶ୍ରେଣୀର ସମସ୍ତ ବିଷୟର ପରୀକ୍ଷା ଦୁଇ ଘଣ୍ଟା ଲେଖାଏଁ ହେବ। ପ୍ରତିଦିନ ସକାଳ ୧୦ଟା ୩୦ରୁ ୧୨ଟା ୩୦ ଓ ଅପରାହ୍ନ ୧ଟାରୁ ୩ଟା ଯାଏ ପରୀକ୍ଷା ଚାଲିବ। ଶନିବାର ଦିନ ସକାଳ ୭ଟାରୁ ୯ଟା ଓ ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ଯାଏ ପରୀକ୍ଷା ଚାଲିବ। ସାରା ରାଜ୍ୟରେ ଗୋଟିଏ ସମୟରେ ପରୀକ୍ଷା ହେବ।

ନଭେମ୍ବର ୧ ତାରିଖ ସକାଳ ୧୦ଟା ୩୦ରୁ ୧୨ଟା ଯାଏ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ, ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଇତିହାସ ଓ ଭୂଗୋଳ(ଲିଖିତ) ପରୀକ୍ଷା କରାଯିବ। ଅପରାହ୍ଣ ୧୨ଟା ୩୦ରୁ ୨ଟା ପର୍ଯ୍ୟନ୍ତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କର କୌଣସି ପରୀକ୍ଷା ନ ଥିବା ବେଳେ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଉର୍ଦ୍ଦୁ/ପାର୍ସି ପରୀକ୍ଷା ରହିଛି। ୨ ତାରିଖରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କ ପରୀକ୍ଷା ନାହିଁ। ୩ୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପ୍ରଥମ ସିଟିଂ ଇଂରାଜୀ(ଲିଖିତ) ପରୀକ୍ଷା ହେବ। ଦ୍ବିତୀୟ ସିଟିଂରେ ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ(ମୌଖିକ), ୬ଷ୍ଠ ଓ ୭ମ ‌ଶ୍ରେଣୀର ହିନ୍ଦୀ(ଲିଖିତ) ଓ ୮ମ ଶ୍ରେଣୀର ହିନ୍ଦୀ/ସଂସ୍କୃତ/ପାର୍ସି(ଲିଖିତ) ପରୀକ୍ଷା ଅନୁଷ୍ଠିତ ହେବ।

ନଭେମ୍ବର ୪ରେ ପ୍ରଥମ ସିଟିଂରେ ସମସ୍ତ ଶ୍ରେଣୀର ମାତୃଭାଷା(ଲିଖିତ) ଓ ଦ୍ବିତୀୟ ସିଟିଂରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା(ମୌଖିକ) ପରୀକ୍ଷା ହେବ। ୫ ତାରିଖର ପ୍ରଥମ ସିଟିଂରେ ସମସ୍ତ ଶ୍ରେଣୀର ଗଣିତ(ଲିଖିତ) ଓ ଦ୍ବିତୀୟ ସିଟିଂ‌ରେ ପ୍ରଥମରୁ ୫ମ ଯାଏ ଗଣିତର(ମୌଖିକ) ପରୀକ୍ଷା ଏବଂ ୬ଷ୍ଠରୁ ୮ମ ଯାଏ ଚିତ୍ରାଙ୍କନ ପରୀକ୍ଷା କରାଯିବ। ୬ ତାରିଖର ପ୍ରଥମ ସିଟିଂରେ ପ୍ରଥମରୁ ୪ର୍ଥ ଯାଏ ପରିବେଶ(ଲିଖିତ), ୫ମ ଶ୍ରେଣୀର ସାମାଜିକ ପାଠ ଓ ବିଜ୍ଞାତ(ଲିଖିତ) ଓ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ(ଲିଖିତ) ପରୀକ୍ଷା ଅନୁଷ୍ଠିତ ହେବ। ଦ୍ବିତୀୟ ସିଟିଂରେ ପ୍ରଥମରୁ ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପରିବେଶ(ମୌଖିକ), ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାମାଜିକ ପାଠ ଓ ବିଜ୍ଞାନ(ମୌଖିକ), ୬ଷ୍ଠ ଓ ୭ମ ଶ୍ରେଣୀ ପିଲାଙ୍କ ପାଇଁ ସଂସ୍କୃତ(ଲିଖିତ) ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର