ଆଉ ୩ ଜିଲ୍ଲାରେ ପ୍ରତିଷ୍ଠା ହେବ ହାଫ୍‌ୱେ ହୋମ୍‌

ଭୁବନେଶ୍ବର: ରାଜ୍ୟର ୩ ଜିଲ୍ଲାରେ ପ୍ରତିଷ୍ଠା ହେବ ହାଫ୍‌ୱେ ହୋମ୍। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ଏହାକୁ ପ୍ରତିଷ୍ଠା କରାଯିବ। ଏ ନେଇ ଜିଲ୍ଲାପାଳମାନଙ୍କୁ ଜାଗା ଚିହ୍ନଟ କରିବା ଲାଗି କୁହାଯାଇଛି। ଯାହାଫଳରେ ମାନସିକ ରୋଗରୁ ସୁସ୍ଥ ହୋଇ ଦୀର୍ଘଦିନ ଧରି ହସ୍ପିଟାଲରେ ଥିବା ଏବଂ ଏତେତେଣେ ବୁଲୁଥିବା ଲୋକମାନଙ୍କୁ ରହିବାର ସୁବିଧା ମିଳିପାରିବ।

ରାଜ୍ୟବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଅନେକ ମାନସିକ ରୋଗୀ ଭର୍ତି ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ସାରିଥିଲେ ମଧ୍ୟ ବିଭିନ୍ନ କାରଣରୁ ହସ୍ପିଟାଲରୁ ଯାଉ ନାହାନ୍ତି। ଅନେକ କ୍ଷେତ୍ରରେ ସେମାନଙ୍କ ପରିବାରବର୍ଗ ମଧ୍ୟ ସେମାନଙ୍କୁ ଘରକୁ ନେବା ଲାଗି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଯାହାଫଳରେ ବାଧ୍ୟ ହୋଇ ସେମାନଙ୍କୁ ହସ୍ପିଟାଲରେ ରଖିବାକୁ ପଡ଼ୁଛି। ଏପରିକି ରାଜ୍ୟ ବାହାରୁ ମଧ୍ୟ ଅନେକ ମାନସିକ ରୋଗୀ ରାଜ୍ୟରେ ଆସି ବୁଲୁଥିବା ଦେଖିବାକୁ ମିଳୁଛି। ଏହଳ ଫଳରେ ଅଯଥାରେ ହସ୍ପିଟାଲ ଶଯ୍ୟା ଭର୍ତି ହୋଇ ରହୁଛି। ରାଜ୍ୟରେ ଏବେ ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟକ ମାନସିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରେ ରହିଛନ୍ତି କିମ୍ବା ଏଣେତେଣେ ବୁଲୁଥିବା ଲୋକଙ୍କ ସଂଖ୍ୟା କେତେ ତାହାର ହିସାବ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ତେବେ ସୁସ୍ଥ ହୋଇ ସାରିଥିବା ଲୋକଙ୍କୁ ହସ୍ପିଟାଲ ବାହାରେ ରହିବାର ସୁବିଧା ଦେବା ଲାଗି ରାଜ୍ୟରେ ୩ଟି ଜିଲ୍ଲାରେ ହାଫ୍‌ୱେ ହୋମ୍ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମାଲକାନଗିରି, ଢେଙ୍କାନାଳ ଓ ଝାରସୁଗୁଡ଼ାରେ ଏହାକୁ ପ୍ରତିଷ୍ଠା କରାଯିବ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ(ଏସ୍‌ଏସ୍‌ଇପିଡି)କୁ ପ୍ରସ୍ତାବ ଦିଆଯାଇଥିଲା।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଏଭଳି ହାଫ୍‌ୱେ ହୋମ୍‌ରେ ୫୦ଟି ଲେଖାଏଁ ଶଯ୍ୟା ରହିବ। ହସ୍ପିଟାଲରେ ଅଯଥାରେ ରହିଥିବା ଲୋକମାନଙ୍କୁ ସେଠାକୁ ସ୍ଥାନାନ୍ତରିତ କରାଯିବ। ଏହି ୩ଟି ହାଫ୍‌ୱେ ହୋମ୍ ଏସ୍‌ଏସ୍‌ଇପିଡି ଅଧୀନରେ କାର୍ଯ୍ୟ କରିବ। ମାତ୍ର ଏହା ଏନ୍‌ଜିଓ ଦ୍ବାରା ପରିଚାଳିତ ହେବ। ଏଭଳି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏନ୍‌ଜିଓମାନଙ୍କୁ ଟେଣ୍ଡର ଜରିଆରେ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଲୋକଙ୍କ ଖାଇବା ପିଇବା ସହିତ ସୁରକ୍ଷା ଓ ଆନ୍ୟାନ୍ୟ ସୁବିଧା ସୁଯୋଗ ଏସ୍‌ଏସ୍‌ଇପିଡି ବିଭାଗ ଯୋଗାଇବ। ମାତ୍ର କେନ୍ଦ୍ରରେ ରହୁଥିବା ଲୋକମାନଙ୍କୁ ମେଡିକାଲ ସହାୟତା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ଏହା ପୂର୍ବରୁ ମଧ୍ୟ ୨୦ଶଯ୍ୟା ବିଶିଷ୍ଟ ନିଶା ନିବାରଣ କେନ୍ଦ୍ର ଓ ୩୦ଶଯ୍ୟା ବିଶିଷ୍ଟ ରିହାବିଲେସନ୍‌ ସେଣ୍ଟର କାର୍ଯ୍ୟ କରୁଛି। ତେଣୁ ଆଉ ୩ଟି ପ୍ରତିଷ୍ଠା ହେବା ପରେ ଏତେତେଣେ ବୁଲୁଥିବା ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟିବ। କରୋନାର ଦ୍ବିତୀୟ ଲହର ପାଇଁ ଏହି କାର୍ଯ୍ୟରେ ବିଳମ୍ବ ହୋଇଛି। ସ୍ଥିତିରେ ସୁଧାର ଆସିଲେ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଏସ୍‌ଏସ୍‌ଇପିଡି ବିଭାଗର ଜଣେ ଅଧିକାରୀଙ୍କ ମତରେ, ବିଭାଗର ନିଜସ୍ବ ୪ଟି ହାଫ୍‌ୱେ ହୋମ୍ ରହିଛି। ଏଥିରେ ଅନେକ ଲୋକ ରହିଛନ୍ତି। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ୩ଟି ହାଫ୍‌ୱେ ହୋମ୍ ପ୍ରତିଷ୍ଠା କରିବା ଲାଗି ଅନୁରୋଧ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଏ ସଂପର୍କରେ ପ୍ରସ୍ତାବ ରହିଛି। ତେଣୁ ଜିଲ୍ଲାପାଳମାନଙ୍କୁ ଏଥିପାଇଁ ଜାଗା ଚିହ୍ନଟ ପାଇଁ କୁହାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର