ଖୋର୍ଦ୍ଧା : ପୁଣି ଥରେ ପ୍ରାକୃତିକ ବିପର୍ଯ୍ୟସ୍ତ ସମୟରେ 'ହାମ’ ରେଡିଓର ଗୁରୁତ୍ବ ଅନୁଭବ ହୋଇଛି। ସାମୁଦ୍ରିକ ଝଡ଼ ‘ଫନି’ ଖଣ୍ଡପ୍ରଳୟ ରଚିବାର ଦୀର୍ଘ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ କୌଣସି ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା। ଆଜି ହାଇଦ୍ରାବାଦ୍, କୋଲକାତା, ବିଜୟୱାଡ଼ାରୁ ଆସିଥିବା ୬ଜଣିଆ ବୈଷୟିକ ଟିମ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାମ୍ ରେଡିଓ ଯୋଗାଯୋଗ ପାଇଁ ବ୍ୟବସ୍ଥା କରିବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର ପ୍ରଥମ ଥର ପାଇଁ ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍ କମିସନର ଆର୍ ଭିନିଲ୍କ୍ରିଷ୍ଣାଙ୍କ ସହ ହାମ୍ ରେଡିଓରେ କଥାବାର୍ତ୍ତା କରିଥିଲେ।
ଖୋର୍ଦ୍ଧା ଜିଲ୍ଲାରେ ‘ଫନି’ ୩ ତାରିଖରେ ମାଡ଼ ହେବା ପରେ ସେହି ଦିନ ମଧ୍ୟାହ୍ନରୁ ଜିଲ୍ଲା ମୁଖ୍ୟାଳୟର ସମସ୍ତ ଯୋଗାଯୋଗ ସ˚ପୂର୍ଣ୍ଣ ରୂପେ ଛିନ୍ନ ହୋଇଯାଇଥିଲା। ଏପରିକି ସାଟେଲାଇଟ୍ ଫୋନ୍ରେ ମଧ୍ୟ ଫିଲ୍ଡ ଷ୍ଟାଫ୍ଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। କେବଳ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ସାଟେଲାଇଟ୍ ଫୋନ୍ରେ ଅଳ୍ପକିଛି ସମୟ ପାଇଁ କଥାବାର୍ତ୍ତା ହୋଇଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟକୁ ରାଜ୍ୟ ମୁଖ୍ୟାଳୟ ସହ ହାମ୍ ରେଡିଓ ଦ୍ବାରା ଯୋଗାଯୋଗ କରାଯିବା ପରେ ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଦାସ ଓ ଶ୍ରୀ ଭିନିଲକ୍ରିଷ୍ଣାଙ୍କ ସହିତ କ୍ଷୟକ୍ଷତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
୨୨ ତାରିଖରୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାମ୍ ରେଡିଓ ସ˚ଯୋଗ ନେଇ କାମ କରୁଥିବା ଟିମ୍ର ନେତୃତ୍ବ ନେଉଥିବା ହାଇଦ୍ରାବାଦ୍ର କେ ରମେଶ କହିଛନ୍ତି ଯେ ସେ ଫାଇଲିନ୍ ଓ ହୁଡ୍ହୁଡ୍ରେ କାମ କରିଛନ୍ତି। କିନ୍ତୁ ‘ ଫନି’ ବାତ୍ୟା ସେହି ଦୁଇଟି ବାତ୍ୟାଠାରୁ ଅଧିକ ଭୟଙ୍କର ଥିଲା।