ରାଜସୁନାଖଳା: ଗାଁ ଦାଣ୍ଡରେ ଶହଶହ ଗାଈ ବାଛୁରୀ ହମ୍ବାରଡ଼ି ଶବ୍ଦ କରି ଗାଈଗୋଠରୁ ଫେରିବା ଆଉ ଏବେ ଦେଖିବାକୁ ମିଳୁନାହିଁ। ଅତୀତରେ ଗାଈ ମାଲିକମାନେ ଗାଈଙ୍କୁ ଗାଈଆଳଙ୍କ ଦ୍ୱାରା ଠିକ୍ ଦିନ ୯ଟାରୁ ଘାସ, ଡାଳପତ୍ର ଇତ୍ୟାଦି ଚରିବା ପାଇଁ ଗୋଠକୁ ପଠାଉଥିଲେ। ଗାଈ ବାଛୁରୀ ଚରିବା ପରେ ଗାଈଆଳ ଗାଈଗୋଠକୁ ଧରି ଘରମୁଁହା ହୋଇଥାନ୍ତି। ସେତେବେଳେ ଗାଈମାନେ ଘର ପାଖେଇ ଆସୁଥିବା ସମୟରେ ହମ୍ବାରଡ଼ି କରି ଦୌଡ଼ିବା ସମୟରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଉଥିଲା। କିନ୍ତୁ ଆଜିକାଲି ସେହି ଦୃଶ୍ୟ ଗାଁମାନଙ୍କରେ ଆଉ ଦେଖିବାକୁ ମିଳୁ ନାହିଁ। କାରଣ ଚରା ଭୂଇଁର ଘୋର ଅଭାବ, ଅନାବାଦୀ ଗୋଚର ଭୂମିଗୁଡ଼ିକ ଜବରଦଖଲ ଯୋଗୁ ଗାଈଗୋରୁ ଚରିବା ପାଇଁ ଜାଗା ମିଳୁ ନାହିଁ।
ତେବେ ଏହି କାରଣରୁ ଲୋକେ ପୂର୍ବ ଭଳି ଗାଈ ରଖୁ ନ ଥିବା ଦେଖାଯାଉଛି। ତେଣୁ ଗାଁରେ ଗାଈ ସଂଖ୍ୟା କମୁଛି। ରଣପୁର ବ୍ଲକ୍ ରାଜସୁନାଖଳା ପଞ୍ଚାୟତରେ ପ୍ରାୟ ୨୫ ବର୍ଷ ତଳେ ଶତାଧିକ ଗାଈ ବାଛୁରୀଙ୍କୁ ସ୍ଥାନୀୟ ଲୋକେ ନିଜ ଘର ଗୁହାଳରେ ରଖି ସେମାନଙ୍କର ଯତ୍ନ ନେଉଥିଲେ। କିନ୍ତୁ ଆଜିକାଲି ଗାଈ ବାଛୁରୀ ଚରାଇବା ପାଇଁ ଗାଈଆଳ ମିଳୁ ନଥିବାରୁ ଲୋକେ ଗୃହପାଳିତ ପଶୁଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଓ ସେମାନେ ରହୁଥିବା ଗୁହାଳଗୁଡ଼ିକୁ ମଧ୍ୟ ଭାଙ୍ଗି ଦେଉଥିବା ଦେଖିବାକୁ ମିଳୁଛି। ରାଜସୁନାଖଳା ଅଞ୍ଚଳରେ ଆଗ ଅପେକ୍ଷା ଗାଈ ବାଛୁରୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିବା ସମୟରେ ସୁରକାବାଡ଼ି, କାସନ୍ଦା, କୋଟଣିଶିଳା, ଗ୍ରାମଦେବପୁର, କୁଳାସର, ବାୟାପଲ୍ଲୀ, ଲେଖନପୁର ଓ ବିନୋଦପଡ଼ା ଆଦି ଗାଁ ମାନଙ୍କରେ ଗାଈଗୋଠମାନ ଦେଖିବାକୁ ମିଳୁଛି। ଅପରପକ୍ଷରେ ଆଗାମୀ ଦିନରେ ନୂଆପିଢ଼ି ଯୁବକମାନେ ସହର ଭଳି ଜୀବନ ନିର୍ବାହ କରିବାକୁ ଯାଉଥିବାବେଳେ କୃଷିକାମ ଗୁଡ଼ିକରୁ ଦୂରେଇ ଯାଉଥିବା ଲକ୍ଷ୍ୟ କରାଯାଇଛି।