କାଳ ହେଲା ହେଣ୍ଡଗ୍ରେନେଡ ଖେଳ: ବିସ୍ଫୋରଣରେ ଦୁଇ ଶିଶୁ ଆହତ

ମାଲକାନଗିରି : ବିସ୍ଫୋରକକୁ ଖେଳଣା ଭାବିଥିଲେ। ଜଙ୍ଗଲରୁ ମିଳିବାରୁ ଘରକୁ ନେଇ ଆସି ସେଥିରେ ଖେଳୁଥିଲେ। ତେବେ ଏହି ଖେଳ ଦୁଇ ନିରୀହ ଶିଶୁଙ୍କ ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇଛି। ବିସ୍ଫୋରଣରେ ଦୁଇ ଶିଶୁ ଗୁରୁତର ଆହତ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ପୁଖଞ୍ଜର ଅଞ୍ଚଳରେ।

ସୂଚନା ଅନୁଯାୟୀ, ପ୍ରତାପୁର ଥାନା ଅନ୍ତର୍ଗତ ରାମପୁର ନିକଟସ୍ଥ ଜଙ୍ଗଲକୁ ଗତକାଲି କିଛି ଶିଶୁ ଫଳ ସଂଗ୍ରହ କରିବାକୁ ଯାଇଥିଲେ। ରାସ୍ତାରେ ପଡ଼ିଥିବା ଦୁଇଟି ହ୍ୟାଣ୍ଡଗ୍ରେନେଡ ଉପରେ ସେମାନଙ୍କ ନଜର ପଡ଼ିଥିଲା। ତେଣୁ କୌତୂହଳ ବିଶତଃ ସେମାନେ ଘରକୁ ନେଇ ଚାଲି ଆସିଥିଲେ। ଖେଳଣା ଭାବି ଖେଳିବା ସମୟରେ ସେଥିରୁ ଗୋଟିଏ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଦୁଇ ଶିଶୁ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ପରିବାର ଲୋକ ଉଦ୍ଧାର କରିବା ପରେ ପୁଖଞ୍ଜର ମେଡିକାଲକୁ ଆଣିଥିଲେ। ଶେଷ ଖବର ସୁଦ୍ଧା ସେମାନଙ୍କ ଚିକିତ୍ସା ଚାଲିଥିଲା। ପ୍ରାଥମିକ ଚିକିତ୍ସା ପରେ ଜୀବନ ପ୍ରତି ଆଉ ବିପଦ ନଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ପକ୍ଷରୁ ଜଙ୍ଗଲରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି।

ସମ୍ବନ୍ଧିତ ଖବର