ଯାଜପୁରସଦର : ସାରା ରାଜ୍ୟରେ ଏବେ ମହାନଦୀ ଜଳ ବିବାଦ ତାତି। ରାଜ୍ୟ ସରକାର ଏହି ସମସ୍ୟାକୁ ରାଜ୍ୟବାସୀଙ୍କ ସମସ୍ୟା ଭାବେ ଅବିହିତ କରି ସାରା ରାଜ୍ୟରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। କିନ୍ତୁ ବ୍ରାହ୍ମଣୀ ଏବଂ ବୈତରଣୀ ନଦୀ ପ୍ରସଙ୍ଗ ବେଳକୁ ସମେସ୍ତ ବେଫିକର ରହୁଛନ୍ତି। ଏହି ନଦୀ ଜଳ ଉପରେ ନିର୍ଭର କରି ଚାଷବାସ କରୁଥିବା ଏବଂ ମାଛ ମାରି ଜୀବିକା ଉପାର୍ଜନ କରୁଥିବା ଲୋକେ ଏବେ ଚିନ୍ତାରେ ପଡ଼ିଛନ୍ତି। ନଦୀ ଶୁଖିଲା ପଡ଼ିଥିବାରୁ ନଦୀକୂଳିଆ ଲୋକଙ୍କ ସମସ୍ୟାକୁ ନେଇ ରସୁଲପୁର ବ୍ଲକ୍ ବାଲିଗୁଡ଼ା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବକ ନିର୍ମଳ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏନେଇ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।
ଯାଜପୁର ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ନୂତନ କରି ଅନେକ ଶିଳ୍ପ କାରଖାନା ଗଢ଼ି ଉଠିଛି। ଜିଲ୍ଲାର ବାରବାଟୀ ପରିବା ଚାଷ ପାଇଁ ସାରା ରାଜ୍ୟରେ ନାମ କମାଇଥିବା ବେଳେ କଳିଙ୍ଗନଗର ଭାରତର ଉସ୍ପାତ ରାଜଧାନୀର ମାନ୍ୟତା ପାଇଛି। ସରକାର ବ୍ରାହ୍ମଣୀ ନଦୀ ଜଳକୁ କଳିଙ୍ଗନଗରର ୧୨/୧୩ଟି କାରଖାନା ହାତରେ ଟେକି ଦେଇଛନ୍ତି। ବ୍ରାହ୍ମଣୀରୁ ହଜାର ହଜାର କ୍ୟୁସେକ୍ ଜଳ କାରଖାନାକୁ ଚାଲି ଯାଉଥିବାରୁ ତଳ ଅଞ୍ଚଳରେ ଏବେ ଜଳ ସଂକଟ ଦେଖା ଦେଇଛି। ବହୁ ସ୍ଥାନରେ ବ୍ରାହ୍ମଣୀ ଏବଂ ଏହାର ଶାଖା ନଦୀଗୁଡ଼ିକ ଶୁଷ୍କ ହେବାରେ ଲାଗିଛି। ନଦୀ ପୋତି ହୋଇଯିବା ଫଳରେ ବରୀ, ରସୁଲପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବ୍ଲକ୍ରେ ଚାଷ କାର୍ଯ୍ୟ ପ୍ରଭାବିତ ହେଉଛି। ପନିପରିବା ଚାଷ କରୁଥିବା ରସୁଲପୁର ବ୍ଲକର ଜାବରା, ନଠୁଆବର, କଲଣ, ଶିଙ୍ଗାପୁର, ବାଟବାଟୀ, ଗୋପଳପୁର, ଅତଲାପୁର ପରି ପଞ୍ଚାୟତର ଚାଷୀ ଏବେ ନଦୀ ପାଣି ନପାଇ ବୋରିଂ ଉପରେ ନିର୍ଭର କରୁଛନ୍ତି। ବର୍ଷା ଦୁଇ ମାସ ବ୍ରାହ୍ମଣୀରେ ଜଳ ରହୁଥିବା ବେଳେ ଅନ୍ୟ ମାସଗୁଡ଼ିକରେ ବ୍ରାହ୍ମଣୀ ନଦୀର ତଳ ଅଞ୍ଚଳ ଚାରଣ ଭୂମି ପାଲଟୁଛି। ଏପରି ସ୍ଥଳେ ବାଲିମାଫିଆଙ୍କ ଦୈରାତ୍ମ୍ୟ ଯୋଗୁ ନଦୀ ଗର୍ଭ ପୋଖରୀ ସଦୃଶ୍ୟ ହେବାରେ ଲାଗିଛି। ଫଳରେ ନିକଟ ଭବିଷ୍ୟତରେ ପରିବେଶ ସନ୍ତୁଳନରେ ବଡ଼ ସମସ୍ୟା ହେବ ବୋଲି ନିର୍ମଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥି ଉପରେ ଦୃଷ୍ଟି ଦେଇ ମହାନଦୀ ଜଳ ବବାଦ ସହିତ ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।