କେନ୍ଦୁଝରରେ ଜୁନ୍‌ ୫ରୁ ହସ୍ତଶିଳ୍ପ ମେଳା ଓ ରଜ ମହୋତ୍ସବ

କେନ୍ଦୁଝର : କେନ୍ଦୁଝର କାଳୀପଡ଼ିଆରେ ଜୁନ୍‌ ୫ରୁ ୧୮ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ହସ୍ତଶିଳ୍ପ ମେଳା ଓ ଜୁନ୍‌ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଜିଲାସ୍ତରୀୟ ନବମ ରଜ ମହୋତ୍ସବ ଅନୁଷ୍ଟିତ ହେବ। କମିଟି ସଭାପତି କୃଷ୍ଣଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ରବିବାର ହୋଟେଲ ଶଙ୍କର ପ୍ୟାଲେସରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ନୃତ୍ୟଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ରଜ ମହୋତ୍ସବ ଉଦ୍‍ଯାପନୀ ସମାରୋହରେ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଇଚ୍ଛୁକ ପ୍ରତିଯୋଗୀ ନୃତ୍ୟଗୁରୁ ଗୁରୁ ଦାସ ଓ ରଜ ମହୋତ୍ସବ କମିଟି ସମ୍ପାଦକ ନାରାୟଣ ନାଏକଙ୍କ ସହ ଯୋଗାଯୋଗ କରି ଜୁନ୍‌ ୯ ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି।

ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଜେଲ୍‌ରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମହିଳାଙ୍କ ମଧ୍ୟରେ ୧୩ ତାରିଖରେ ଝୋଟି ଓ ମୁରୁଜ ଏବଂ ୧୪ବର୍ଷରୁ କମ୍‍ ବାଳିକାଙ୍କ ମଧ୍ୟରେ ୧୪ ଓ ୧୫ ତାରିଖରେ ପୁଚିଖେଳ, ବିବାହିତା ମହିଳାଙ୍କ ମଧ୍ୟରେ ମ୍ୟୁଜିକ୍‍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗାଁର ମହିଳା ଓ ପୁରୁଷଙ୍କୁ ନେଇ ପାରମ୍ପରିକ ରଜଦୋଳି ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। କେନ୍ଦୁଝର ସହରର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାଂସ୍କୃତିକ ଅନୁଷ୍ଠାନର ମିଳିତ ସହଯୋଗରେ ରଜ ମହୋତ୍ସବକୁ ଚଳିତବର୍ଷ ଅଧିକ ଆକର୍ଷଣୀୟ କରିବାକୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ମହୋତ୍ସବ କମିଟି ଉପଦେଷ୍ଟା ଆଶିଷ ଚକ୍ରବର୍ତ୍ତୀ, ଜ୍ଞାନରଞ୍ଜନ ମିଶ୍ର ଓ ଦେବାଶିଷ ମିଶ୍ର କହିଛନ୍ତି।

ସେହିପରି ଜୁନ୍‌ ୫ରୁ ୧୮ ତାରିଖ ପର୍ଯ୍ୟନ୍ତ କାଳୀପଡ଼ିଆରେ ‘ଅରୂପା’ ପକ୍ଷରୁ ସର୍ବଭାରତୀୟ ହସ୍ତଶିଳ୍ପ ମେଳା-୨୦୨୩ରେ ଆରମ୍ଭ ହେବ। ୧୫୦ରୁ ଊର୍ଦ୍ଧ୍ୱ ଷ୍ଟଲ୍‌ରେ ବିଭିନ୍ନ ସାମଗ୍ରୀ ସ୍ଥାନ ପାଇବ ବୋଲି ‘ଅରୂପା’ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ସାହୁ କହିଛନ୍ତି। ଭଳିକି ଭଳି ଦୋଳି ସହ ଖାଦ୍ୟମେଳା ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ। ଏହି ଅବସରରେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ରଶ୍ମିରଞ୍ଜନ ଭଞ୍ଜ, ସମାଜସେବୀ ରମେଶ ଚନ୍ଦ୍ର ମିଶ୍ର, ଶିକ୍ଷାବିତ୍‍ ଡ. ବନବିହାରୀ ମିଶ୍ର, ଦାସକାଠିଆ କଳାକାର ରାଜେନ୍ଦ୍ର କୁମାର ରଣା ଏବଂ ଯୁବ ସମାଜସେବୀ ଅଂଶୁମାନ ଚକ୍ରବର୍ତ୍ତୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ବୈଠକରେ ମହୋତ୍ସବ କମିଟି ସଦସ୍ୟ ନେତ୍ରାନନ୍ଦ ନାଏକ, ମହେଶ୍ୱର ନାଏକ, ବିଶିଷ୍ଟ ନୃତ୍ୟଗୁରୁ ଗୁରୁ ଦାସ, ସୂର୍ଯ୍ୟନାରାୟଣ ସ୍ୱାଇଁ, ହେମନ୍ତ ନାଏକ, ବିକଳ ଜେନା, ପୁରୁଷୋତ୍ତମ ପାତ୍ର, ପ୍ରେମା ଟୁଡୁ, ସୁବାସ ଦଳେଇ, ଭରତ ନାଏକ, ଶରତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର