ଆରମ୍ଭ ହେଲା ବୁଣାକାର ହାଟ

ରସୁଲପୁର : ରସୁଲପୁର ବ୍ଲକ୍ ପ୍ରଥମାଖଣ୍ତ ପଞ୍ଚାୟତ ଗୋପାଳପୁର ଗ୍ରାମର ବୁଣାକାରମାନଙ୍କର ଏକ ସ୍ବତନ୍ତ୍ର ହାଟ ରବିବାର ଦିନ ବାଲୁଙ୍କେଶ୍ବର ବଜାରରେ ଆରମ୍ଭ ହୋଇଛି। ବୁଣାକାର ସଂଘର ପ୍ରସ୍ତାବ କ୍ରମେ ବୁଣାକାରମାନେ ସେମାନଙ୍କ ଉତ୍ପାଦିତ ବସ୍ତ୍ର ସବୁକୁ ଏହି ହାଟରେ ବିକ୍ରି କରିବେ। ପ୍ରତି ରବିବାର ଏହି ହାଟ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ବସିବ। ପ୍ରଥମ ଦିନରେ ଏହି ହାଟରେ ୪୦ରୁ ଊର୍ଦ୍ଧ୍ବ ବୁଣାକାର ସେମାନଙ୍କର ଲୁଗା କିଣାବିକା  କରିଥିଲେ। ପ୍ରଥମ ଦିନରେ ୯ ଲକ୍ଷ ଟଙ୍କାରୁ ଅଧିକ କାରବାର ହୋଇଥିଲା।

ଆଗକୁ ସମସ୍ତ ବୁଣାକାର କିପରି ଏହି ହାଟରେ ଯୋଗଦେବେ ତାର ବ୍ୟବସ୍ଥା ହେବବୋଲି ଆୟୋଜକମାନେ କହିଛନ୍ତି। ବରଗଡ଼ ଜିଲ୍ଲାରେ ହେଉଥିବା ବୁଣାକାର ହାଟ ଭଳି ଏଠାରେ ହାଟ କରିବା ଲକ୍ଷ୍ୟ ରଖାଯାଇଛି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ବୁଣାକାରମାନଙ୍କ ପାଇଁ ନିର୍ମାଣ ହୋଇ ଅବ୍ୟବହୃତ ହୋଇ ପଡ଼ିଥିବା ଘର ନିକଟରେ ଏହି ହାଟ ବସାଇବା ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ବାଲୁଙ୍କେଶ୍ବର ବଜାର ପାଲା ମଣ୍ତପ ନିକଟରେ ଏହି ହାଟ ଆରମ୍ଭ ହୋଇଛି। ବୁଣାକାରମାନେ ସେମାନଙ୍କର ଉତ୍ପାଦିତ ବସ୍ତ୍ର ସବୁକୁ ଏହି ଗ୍ରାମରେ ଥିବା ତନ୍ତୁବାୟ ସମବାୟ ସମିତିକୁ ବିକ୍ରି କରୁଥିଲେ। ଏବେ ସେମାନେ ଖୋଲା ବଜାରରେ ଯେକୌଣସି ଗ୍ରାହକଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିପାରିବେ।

ସମ୍ବନ୍ଧିତ ଖବର