ଖୋର୍ଦ୍ଧା : ୨୦୧୯ ମସିହା ମେ ମାସ ୩ ତାରିଖରେ ହୋଇଥିବା ‘ଫନି’ ବାତ୍ୟାକୁ ଇତି ମଧ୍ୟରେ ୯ ମାସ ବିତିଛି। ଖୋର୍ଦ୍ଧା ଜିଲ୍ଲାରେ ୮ ହଜାର ୫୨୫ ବୁଣାକାର ଓ କୁଟୀର ଶିଳ୍ପୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଚିହ୍ନଟ କରାଯାଇ ଦୁଇ ଦୁଇ ଥର ସଂଶୋଧନ ପରେ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି) ପକ୍ଷରୁ ରାଜ୍ୟ ହସ୍ତତନ୍ତ ବିଭାଗ ନିକଟରେ ତାଲିକା ଦାଖଲ କରାଯାଇଛି। ମାତ୍ର ସରକାରଙ୍କ ଘୋଷଣା ମୁତାବକ କାଣିଚାଏ ମଧ୍ୟ କ୍ଷତିପୂରଣ ସେମାନଙ୍କୁ ମିଳିନାହିଁ।

Advertisment

publive-image travelsintextiles.com

ସୂଚନାଯୋଗ୍ୟ ଯେ ବାଲିଅନ୍ତା ବ୍ଲକର ୧୬୩୬, ବାଲିପାଟଣାର ୨୪୬୨, ବାଣପୁରର ୫୧୨, ଭୁବନେଶ୍ବର ପୌର ନିଗମର ୧୯୪୩, ଭୁବନେଶ୍ବର ସଦରର ୧୮୪, ବେଗୁନିଆର ୧୯, ବୋଲଗଡ଼ର ୮୩, ଚିଲିକାର ୧୧୭, ଜଟଣୀର ୬୯୧, ଖୋର୍ଦ୍ଧାର ୬୧୩, ଟାଙ୍ଗୀର ୨୬୫ ବୁଣାକାର ଓ କୁଟୀରଶିଳ୍ପୀ ଅଛନ୍ତି। ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିର ନିୟମ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ସଂଖ୍ୟା–୩୨–୭/୨୦୧୪–ଏନ୍‌ଡିଏମ୍–୧ଙ୍କ ନିର୍ଦ୍ଦେଶାନୁସାରେ ପ୍ରତ୍ୟେକ କ୍ଷତିଗ୍ରସ୍ତ ବୁଣାକାର ଓ କୁଟୀର ଶିଳ୍ପୀଙ୍କୁ ଯନ୍ତ୍ରପାତି ମରାମତି ବାବଦରେ ୪,୧୦୦ଟଙ୍କା, କଞ୍ଚାମାଲ ଓ ସାମଗ୍ରୀ ବାବଦରେ ୪,୧୦୦ଟଙ୍କା ଏଭଳି ୮,୨୦୦ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି କ୍ଷତିପୂରଣ ରାଶି ବୁଣାକାର ଓ କୁଟୀର ଶିଳ୍ପୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। କିନ୍ତୁ ଏହା ମଧ୍ୟରେ ୯ ମାସ ବିତି ଯାଇଥିଲେ ମଧ୍ୟ ଜଣେ ବି ବୁଣାକାର କିମ୍ବା କୁଟୀର ଶିଳ୍ପୀଙ୍କୁ କାଣିଚାଏ କ୍ଷତିପୂରଣ ଟଙ୍କା ମିଳିନାହିଁ। ଏନେଇ ଡିଆଇସିର ସଧାରଣ ପରିଚାଳକ ଏ କେ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ହସ୍ତତନ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟକୁ ଟଙ୍କା ଆସିଯାଇଛି। ସେମାନଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାର କ୍ଷତିଗ୍ରସ୍ତ ବୁଣାକାର ଓ କୁଟୀରଶିଳ୍ପୀଙ୍କ ତାଲିକା ମଧ୍ୟ ଦାଖଲ ହୋଇସାରିଛି। କିନ୍ତୁ ନିର୍ଦ୍ଦେଶାଳୟ ଏ ପର୍ଯ୍ୟନ୍ତ ସେମାନଙ୍କ ଟଙ୍କା ଡିଆଇସିକୁ ହସ୍ତାନ୍ତର କରିନାହିଁ। ହସ୍ତାନ୍ତର ହେବା ପରେ ସମ୍ପୃକ୍ତ କ୍ଷତିଗ୍ରସ୍ତଙ୍କ ଜମାଖାତାକୁ କ୍ଷତିପୂରଣ ରାଶି ପଠାଇ ଦିଆଯିବ।

ସୂଚନାଯୋଗ୍ୟ, ‘ଫନି’ ଯୋଗୁଁ ଖୋର୍ଦ୍ଧା ଜିଲ୍ଲାର ୫୪୪ କୋଟି ୩୪ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଜିଲ୍ଲାର ୧୦ଟି ବ୍ଲକର ୧୯୦ଟି ପଞ୍ଚାୟତର ୧୬୬୯ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲା। ଅପରପକ୍ଷେ ଜିଲ୍ଲାରେ ୫୫୯ଟି ହସ୍ତତନ୍ତ ସମ୍ପର୍କିତ କ୍ଷୁଦ୍ର ଓ ଅଣୁ କୁଟୀରଶିଳ୍ପ, ୩୨୦ଟି କାଷ୍ଠ ଶିଳ୍ପ, ୭୬୨ଟି ନଡ଼ିଆ କତା ଆଦି କୃଷି ସମ୍ପର୍କିତ ଶିଳ୍ପ ରହିଛି। ଏଥିରେ ୧୨ ହଜାର ଲୋକ ନିଜର ଜୀବିକାର୍ଜନ କରୁଛନ୍ତି। ‘ଫନି’ ବାତ୍ୟା ପରେ ଜିଲ୍ଲାର ୨୦୦ରୁ ଊର୍ଦ୍ଧ୍ବ ହସ୍ତତନ୍ତ ଶିଳ୍ପ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାୟ ୩୦୦ କୃଷି ସମ୍ପର୍କିତ କ୍ଷୁଦ୍ର ଓ ଅଣୁ ଶିଳ୍ପାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାରେ ହସ୍ତତନ୍ତ ଓ କାଷ୍ଠ ଶିଳ୍ପ ଗ୍ରାମାଞ୍ଚଳ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ଥିବା ବେଳେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ସହାୟତା ପ୍ରଦାନରେ ଏଭଳି ବିଳମ୍ବ ଅନେକଙ୍କ ଜୀବନ ଓ ଜୀବିକାକୁ ବିପନ୍ନ କରିଛି। ଜିଲ୍ଲାରେ ଅନେକ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳିନଥିବା ନେଇ ଅସନ୍ତୋଷ ଲାଗିରହିଥିବା ବେଳେ କ୍ଷତିଗ୍ରସ୍ତ ହୋଇଥିବା ଶିକ୍ଷାନୁଷ୍ଠାନ, ରାସ୍ତାଘାଟ ଆଦିର ମରାମତି ଓ ନିର୍ମାଣ ଅଧାପନ୍ତରିଆ ହୋଇପଡ଼ିଛି। କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବାରେ ଏଭଳି ଅବହେଳା ରାଜ୍ୟର ଅର୍ଥନୈତିକ ଭିତ୍ତିଭୂମିକୁ ଆହୁରି ଦୁର୍ବଳ କରିଦେଇଛି ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।