ବ୍ରହ୍ମପୁର(ପ୍ରଦୀପ କିଶୋର ସାହୁ): ବ୍ରହ୍ମପୁର ସହର ପୁରୁଣା ବ୍ରହ୍ମପୁର ଗଶେଣ ନଗରର ବାସିନ୍ଦା କେ.ଶିବରାମ ଓ ତାଙ୍କ ପତ୍ନୀ କେ.ଅମୁଲୁ। ଦିନ ଥିଲା ଏହି ଦମ୍ପତି ବ୍ରହ୍ମପୁରରେ ପାଟଶାଢ଼ି ବୁଣି ନା କମେଇଥିଲେ। ତାଙ୍କ ହାତବୁଣା ପାଟବସ୍ତ୍ର ପାଇଁ ତାଙ୍କ ଘରେ ଗ୍ରାହକଙ୍କ ଭିଡ଼ ବି ଜମୁଥିଲା। ଆଜି କିନ୍ତୁ ତାହା ନାହିଁ। ବୟସ ବଢ଼ିବା ସହିତ ସେ ବୁଣୁଥିବା ତନ୍ତ ବି ଥକି ଯାଇଛି। ତନ୍ତ ଘରେ ବନ୍ଧା ହୋଇ ରହିଛି। ବୟସର ସାୟାହ୍ନରେ ଏହି ବୁଣାକାର ଦମ୍ପତି ଏବେ ଅସହାୟ। ଦେଖାଶୁଣା କରିବା ଲାଗି ଆଗକୁ ପଛକୁ କେହି ନାହିଁ। ସରକାରଙ୍କ ହାତଟେକା ୫ଶହ ଟଙ୍କା ଭତ୍ତା ଏବ˚ ଟଙ୍କିକିଆ ଚାଉଳ ୫କେଜି ତାଙ୍କ ପାଇଁ ସାହାଭରସା ପାଲଟିଛି। ଶିବରାମ ଅସୁସ୍ଥ ଥିବା ବେଳେ ଚିକିତ୍ସା ଲାଗି ପାଖରେ ଅର୍ଥ ନାହିଁ। ସେପେଟ ପାଖରେ ବୁଣାକାର ପରିଚୟ ପତ୍ର ରହିଥିଲେ ହେଁ ସରକାରୀ ସହାୟତା କିଛି ବି ମିଳୁନାହିଁ। ଏଭଳି ଦୁର୍ଦ୍ଦିନରେ ବିତୁଛି ବୁଣାକାର ଦମ୍ପତିଙ୍କ ଜୀବନ।

Advertisment

ଉତ୍କୃଷ୍ଟ ରେଶମ ପାଟଶାଢ଼ି ପାଇଁ ବ୍ରହ୍ମପୁର ସହର ରେଶମ ନଗରୀ ଭାବେ ପରିଚିତ। ତନ୍ତ ସାହାଯ୍ୟରେ ବୁଣାକାରମାନଙ୍କ ଦ୍ବାରା ହାତବୁଣା ପାଟଶାଢ଼ି ବ୍ରହ୍ମପୁର ସହରକୁ ଏହି ସ୍ବତନ୍ତ୍ର ପରିଚୟ ଦେଇଛି। ଦେଶ ବିଦେଶରେ ବ୍ରହ୍ମପୁର ପାଟର ଚାହିଦା ଏବେ ବି ରହିଛି। ତେବେ ‘ମୁଣ୍ତ ଝାଳ ତୁଣ୍ତରେ ମାରି’ ଅକ୍ଲାନ୍ତ ପରିଶ୍ରମ କରି ପାଟବସ୍ତ୍ର ପ୍ରସ୍ତୁତ କରୁଥିବା ଏହି ବୁଣାକାରଙ୍କ ଦୁଃଖ ବୁଝିବାକୁ କେହିନାହିଁ। ବ୍ରହ୍ମପୁର ଗଣେଶ ନଗର ତୃତୀୟ ଲେନ୍‌ର ବାସିନ୍ଦା କେ.ଶିବରାମ ଓ ତାଙ୍କ ପତ୍ନୀ ଅମୁଲୁଙ୍କ ସ୍ଥିତି ପରଖିଲେ ଜଳଜଳ ଜଣାପଡୁଛି। ଦୁଇ ବଖରା ଆଜବେଷ୍ଟସ୍‌ ଘରେ ରହୁଛନ୍ତି ଏହି ବୁଣାକାର ଦମ୍ପତ୍ତି। ସେମାନଙ୍କ ସନ୍ତାନସନ୍ତତି କେହି ନାହାନ୍ତି। ବୟସ ଥିବା ବେଳେ ଘରେ ତନ୍ତ ପକାଇ ବୁଣାବୁଣି କରୁଥିଲେ। ମହାଜନ ଠାରୁ ପାଟସୂତା କିଣି ଆଣି ନିଜେ ରଙ୍ଗ ପକାଇ ତନ୍ତ ସାହାଯ୍ୟରେ ପାଟଶାଢ଼ି ଓ ଯୋଡ଼ ଆଦି ବୁଣାବୁଣି କରୁଥିଲେ। ୧୯୮୦ ମସିହାରେ ପାଟସୂତା କେଜି ୫ଶହ ଟଙ୍କା ରହିଥିଲା। ଗୋଟିଏ ପାଟ ଶାଢ଼ି ବୁଣିଲେ ମହାଜନ ମଜୁରି ୧୫୦ଟଙ୍କା ଦେଉଥିଲା। ମାସକୁ ସ୍ବାମୀସ୍ତ୍ରୀ ମିଶି ୨ ରୁ ୩ଟି ପାଟଶାଢ଼ି ବୁଣୁଥିଲେ। ଏଥିରୁ ମିଳୁଥିବା ଅର୍ଥରେ ଦୁଇ ପ୍ରାଣୀ ଚଳିବା ଲାଗି ବେଶି ସମସ୍ୟା ହେଉ ନ ଥିଲା।

୨୦୦୮ ମସିହାରେ ଏହି ଦମ୍ପତିଙ୍କୁ ବୟନଶିଳ୍ପ ବିଭାଗ ପକ୍ଷରୁ ବୁଣାକାର ପରିଚୟ ପତ୍ର ମିଳିଥିଲା। ହେଲେ ଉଭୟଙ୍କ ବୟସ ବଢ଼ିବା ସାଙ୍ଗକୁ ଆଖିକୁ ଠିକ୍‌ ଭାବେ ଦେଖାଗଲା ନାହିଁ। ପରିଶ୍ରମ କରିବା ଲାଗି ଆଉ ବଳ ପାଇଲା ନାହିଁ। ହାତ ଗୋଡ଼ ଦମ୍ଭ ନ ପଡ଼ିବାରୁ ଗତ ୧୦ବର୍ଷ ହେଲା ବୁଣାବୁଣି ବନ୍ଦ କରି ଦେଇଛନ୍ତି। ଆଜ୍‌ବେଷ୍ଟସ୍‌ ଦୁଇ ବଖରା ଘରେ ଏହି ଦମ୍ପତି ରହୁଥିବା ବେଳେ ଘର ଦୁଲାରେ ତନ୍ତକୁ ଖୋଲି ବାନ୍ଧି ରଖିଛନ୍ତି। ବୁଣାବୁଣି ବନ୍ଦ ହେବା ପର ଠାରୁ ଉକ୍ତ ଦମ୍ପତିଙ୍କ ଚଳିବା କଷ୍ଟସାଧୢ ହୋଇପଡ଼ିଛି। ବେଳେ ବେଳେ ପୂର୍ବ କଥା ଭାବି ଉପରେ ବନ୍ଧା ହୋଇ ରହିଥିବା ତନ୍ତକୁ ଦେଖି ଲୁହ ଗଡ଼ାଉଛନ୍ତି। ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମାସକୁ ଉଭୟଙ୍କୁ ୫ଶହ ଟଙ୍କା ଲେଖାଏଁ ମିଳୁଛି। ଏଥି ସହିତ ପ୍ରତ୍ୟକଙ୍କୁ ଟଙ୍କିକିଆ ଚାଉଳ ୫କେଜି ଲେଖାଏଁ ୧୦କେଜି ମିଳୁଛି। ସରକାରଙ୍କ ପକ୍ଷରୁ ମିଳୁଥିବା ଏହି ଭତ୍ତା ଓ ଚାଉଳରେ ଚଳୁଛନ୍ତି ଏହି ଦମ୍ପତି। ଶିବରାମ ବାର୍ଦ୍ଧକ୍ୟ ସାଙ୍ଗକୁ ରୋଗରେ ପୀଡ଼ିତ ହୋଇ ଗତ କିଛିଦିନ ହେଲା ଶଯ୍ୟାଶାୟୀ। ଚିକିତ୍ସା ଲାଗି ଅର୍ଥ ନ ଥିବାରୁ ଉପଯୁକ୍ତ ଚିକିତ୍ସା କରି ପାରୁ ନ ଥିବା କହିଛନ୍ତି ଅମୁଲୁ। ପୂର୍ବରୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାରେ ଚିକିତ୍ସା ସୁବିଧା ମିଳୁଥିଲା। ୨୦୧୪ ମସିହାରୁ ସରକାର ଏହି ବୀମା ବନ୍ଦ କରି ଦେଇଥିବା ବେଳେ ଆଉ ଚିକିତ୍ସା ସୁବିଧା ବି ମିଳୁନାହିଁ। ଦୁଃସ୍ଥ ବୁଣାକାର ଦମ୍ପତିଙ୍କୁ ସ୍ବତନ୍ତ୍ର ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।