କୋରାପୁଟ: କୋରାପୁଟରେ ଉତ୍ପାଦନ ହେଉଛି ଆରବିକା କଫି। ବିଶ୍ବ ବଜାରରେ ସୁନାମ ଅର୍ଜନ କରି ସ୍ବତନ୍ତ୍ର ସ୍ଥାନ ଅଧିକାର କରିସାରିଲାଣି। କିନ୍ତୁ କୋରାପୁଟର ଏହି ଉତ୍ପାଦକୁ ତଞ୍ଚକତା କରି ନିଜର ବୋଲି ଦର୍ଶାଇ ପ୍ରଥମେ ଜିଆଇ ଟ୍ୟାଗ୍‌ କଲା ଆନ୍ଧ୍ର। ଏହାପରେ କେନ୍ଦ୍ର ସରକାରଙ୍କ ଠାରୁ ଗ୍ରହଣ କରିଛି ସ୍ବର୍ଣ୍ଣ ପଦକ। ୨୦୧୯ ମସିହାରେ ଆନ୍ଧ୍ରର ଆରକୁ ଭ୍ୟାଲି କଫି ବୋର୍ଡ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରିଥିଲା। ପାଦେରୁ, ପେଦାବାୟୁଲୁ, ମୁଚିଂପୁଟ, ଜି.ମାଡ଼ୁଗୁଲା, ହୁକୁମପେଟା, ଆରକୁ, ଡୁମ୍ବୁରିଗୁଡ଼ା, ଅନନ୍ତଗିରି, ଜି. କେଭେଦି ଓ ଚିଣ୍ଟାପାଲି ଆଦି ଅଞ୍ଚଳରେ କଫି ଚାଷ ହେଉଥିବା ତଥ୍ୟ ଦେଇଥିଲା। ତେବେ ଏହି ତଥ୍ୟରେ ଚଞ୍ଚକତା କରି କୋରାପୁଟ ଜିଲ୍ଲାର କଫି ଉତ୍ପାଦନ ହେଉଥିବା ଅଞ୍ଚଳକୁ ମାନଚିତ୍ରରେ ଯୋଡ଼ି ଦେଇଥିଲା। ଏହାବ୍ୟତୀତ କନ୍ଧମାଳ, ରାୟଗଡ଼ା, କେନ୍ଦୁଝର, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ଯେଉଁ କଫି ଚାଷ ହେଉଛି ତାହା ଆରକୁ ଭ୍ୟାଲି କଫି ବୋର୍ଡ ଅନ୍ତର୍ଗତ ବୋଲି ଦର୍ଶାଇଥିଲା। ଯାହାକୁ ତର୍ଜମା କରିବା ପରେ ଆରକୁ ଭ୍ୟାଲି ଆରବିକା କଫିକୁ ଜିଆଇ ଟ୍ୟାଗ୍‌ କରାଯାଇଥିଲା। ଆନ୍ଧ୍ରର ଏହି କାରସାଦିକୁ ସେହି ସମୟରେ କେହି ପ୍ରତିବାଦ କରିନଥିଲେ। ତେଣୁ ବାରମ୍ବାର କୋରାପୁଟ କଫିକୁ ନିଜର ବୋଲି କହି ଚାଲିଛି ଆନ୍ଧ୍ର।

Advertisment

ଗତବର୍ଷ କେନ୍ଦ୍ରୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ‘ଏକ ଜିଲ୍ଲା, ଏକ ଉତ୍ପାଦ-୨୦୨୩’ ସମ୍ମାନ ପ୍ରଦାନ ନିମନ୍ତେ ଆବେଦନ ଗ୍ରହଣ କରାଯାଇଥିଲା। ଜିଆଇ ଟ୍ୟାଗ୍‌ ଆଧାରରେ ଆରକୁ ଭ୍ୟାଲି ଆରବିକା କଫି ନିମନ୍ତେ ଆନ୍ଧ୍ରର ଆଲୁରୀ ସୀତାରମ ରାଜୁ (ଏଏସ୍‌ଆର) ଜିଲ୍ଲା ପ୍ରଶାସନ ଆବେଦନ କରିଥିଲା। ନୂଆଦିଲ୍ଲୀ ଭାରତ ମଣ୍ଡପମ୍‌ରେ ସଦ୍ୟ ଶେଷ ହୋଇଥିବା ଆତ୍ମନିର୍ଭର ଭାରତ ଉତ୍ସବ-୨୦୨୪ ଅବସରରେ ଜିଲ୍ଲାସ୍ତରୀୟ ଉତ୍ପାଦ କୃଷି ବର୍ଗରେ ଏଏସ୍‌ଆର୍ ଜିଲ୍ଲା ପ୍ରଶାସନକୁ କଫି ଉତ୍ପାଦନ ନିମନ୍ତେ ସ୍ବର୍ଣ୍ଣ ପଦକ ମିଳିଛି। କେନ୍ଦ୍ର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ଅତିଥି ଭାବେ ଯୋଗଦେଇ ସମ୍ମାନିତ କରିଛନ୍ତି। ଏହି ବର୍ଗରେ କନ୍ଧମାଳର ହଳଦୀକୁ ତାମ୍ର ପଦକ ମିଳିଛି। ଆରକୁ ଭ୍ୟାଲିରେ ଆଦିବାସୀମାନେ କଫି ଚାଷ କରୁଛନ୍ତି। ସ୍ଥାନୀୟ କଫି ବୋର୍ଡ କେବଳ ମାର୍କେଟିଂ ଦାୟିତ୍ବ ନେଇଛି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ଉତ୍ପାଦିତ ଆରବିକା କଫି ସ୍ବାଦ ଏବଂ ମହକ ଯୋଗୁଁ ଅଳ୍ପ ଦିନ ମଧ୍ୟରେ ଅନ୍ୟ ଅଞ୍ଚଳର କଫିକୁ ପଛରେ ପକାଇ ଦେଇଛି। କିନ୍ତୁ କୋରାପୁଟ କଫିକୁ ନିଜର ବୋଲି ଦର୍ଶାଇ ଆନ୍ଧ୍ର ପୁରସ୍କାର ଏବଂ ସମ୍ମାନ ଗ୍ରହଣ କରିଥିବା କୁହାଯାଉଛି। କାରଣ ଦେଶର ଅନ୍ୟ ଆରବିକା କଫି ତୁଳନାରେ କୋରାପୁଟ କଫିର ସ୍ବାଦ ଏବଂ ମହକ ଭିନ୍ନ। ତେଣୁ ଗତବର୍ଷ ବେଙ୍ଗାଲୁରୁରେ ଆୟୋଜିତ ବିଶ୍ବ କଫି ସମ୍ମିଳନୀରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯାହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ପ୍ରଶାସନ ଏବଂ ଆରକୁ ଭ୍ୟାଲି କଫି ବୋର୍ଡ ବାରମ୍ବାର କୋରାପୁଟ କଫିକୁ ନିଜର ବୋଲି ଦର୍ଶାଇ ଚାଲିଛି। ଯଦି ଜିଆଇ ଟ୍ୟାଗ୍‌ ଆବେଦନ ସମୟରେ ବିରୋଧ ହୋଇଥାନ୍ତା ତେବେ ଆନ୍ଧ୍ର ଏଭଳି ତଞ୍ଚକତା କରିବାକୁ କଦାପି ସାହସ କରିନଥାନ୍ତା। କେବଳ କୋରାପୁଟ କଫି ସ୍ବର୍ଣ୍ଣ ପଦକ ପାଇଁ ହକ୍‌ଦାର ହୋଇଥାନ୍ତା ବୋଲି ମତ ପ୍ରକାଶ ପାଇଛି।