ଧର୍ମଗଡ଼/ଗୋଲାମୁଣ୍ଡା/ଖଲିଆକାନି/କେଗାଁ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ପରିସରସ୍ଥିତ ଷ୍ଟାଫ୍‌ କ୍ୱାର୍ଟର୍ସରୁ ସୋମବାର ଦେବରାଜ ନାୟକ (୩୨ବର୍ଷ) ନାମକ ଜଣେ ଓଏପିଏଫ୍‌ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

Advertisment

ମୃତକଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡିରେ ବୋଲି ଜଣାପଡ଼ିଛି। ଘଟଣାସ୍ଥଳକୁ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ ଚୋପଦାର ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଛନ୍ତି। ନନ୍ଦାହାଣ୍ଡିରୁ ପରିବାର ଲୋକେ ପହଞ୍ଚିବା ପରେ ପୁଲିସ ଉକ୍ତ ସରକାରୀ ଗୃହକୁ ଖୋଲି ଶବ ଜବତ କରିଛି। ଅନ୍ୟପଟେ ପରିବାର ଲୋକେ ତାଙ୍କୁ ଉଚ୍ଚପଦସ୍ଥ ଅଧିକାରୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିବା ସହିତ ଦଶପୁର ଫାଣ୍ଡିରେ ଏତଲା ମଧ୍ୟ ଦେଇଛନ୍ତି। ଏହା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ଚୋପଦାର ସୂଚନା ଦେଇଛନ୍ତି।