ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଜାମୁଯୋରୀ ଗ୍ରାମରେ ବୁଧବାର ଘର ଭିତରୁ ଜଣେ ନବବିବାହିତ ଯୁବକଙ୍କ ଝୁଲନ୍ତ ଶବ ଉଦ୍ଧାର କରାଯାଇଛି। ମୃତକ ଉକ୍ତ ଗ୍ରାମର କବି ମାଝୀଙ୍କ ଏକମାତ୍ର ପୁଅ ଦାମୋଦର ମାଝୀ (୨୭ ବର୍ଷ) ବୋଲି ଜଣାପଡ଼ିଛି।
ପ୍ରାପ୍ତ ସୂଚନାନୁସାରେ ଦାମଦୋର ଗତ ୧୭ ତାରିଖରେ ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ମାମୁରିଆ ଗ୍ରାମରେ ବିବାହ କରିଥିଲେ। ଆଜି ସକାଳ ପ୍ରାୟ ୯ଟା ବେଳେ ବାପା ଓ ମା’ ପରିବା ବାଡ଼ିକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ପତ୍ନୀ ଦମୟନ୍ତୀ ଓ ଭଉଣୀ ମିଶି ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାରି ଦମୟନ୍ତୀ ଫେରିବା ପରେ ଶୋଇବା ଘର କବାଟ ଭିତରପଟୁ ବନ୍ଦ ଥିବା ଦେଖଇବାକୁ ପାଇଥିଲେ। ଭଉଣୀ ଏକ ଲାଠି ଦ୍ବାରା କବାଟ ଖୋଲି ଭିତରକୁ ଯିବା ପରେ ଦାମୋଦର ଘରର ଏକ କାଠରେ ପ୍ଲାଷ୍ଟିକ୍ ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଉଭୟେ ମିଶି ତାଙ୍କୁ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ଦାମୋଦରଙ୍କ ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଦାମୋଦର ବିବାହର ମାତ୍ର ୭ ଦିନ ପରେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/suicide-1.jpg)