ଲଜ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ

ଘରୁ, ଲଜ୍‌ରୁ ଦୁଇଟି ସୁଇସାଇଡାଲ ନୋଟ ଜବତ

ପୁରୀ : ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଡ଼ଦାଣ୍ଡ ପାର୍ଶ୍ବସ୍ଥିତ ଏଚ୍‌ଆର୍‌ ଲଜ୍‌ରେ ଜଣେ ଯୁବତୀ ବେକରେ ଓଢ଼ଣି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଲଜ୍‌ର ରୁମ୍‌ କବାଟ ଭାଙ୍ଗି ଏକ ସୁଇସାଇଡାଲ ନୋଟ୍‌ ସହ ଯୁବତୀଙ୍କ ମୃତଦେହ ଜବତ କରିଛି। ଏ ସଂକ୍ରାନ୍ତରେ ୨୦/୨୨ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସଦର ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ କରାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ବଡ଼ଶଙ୍ଖ ଛକ ନିକଟସ୍ଥ ଏଚ୍‌ଆର୍‌ ଲଜ୍‌ର ଏକ ରୁମ୍‌ରେ ଥିବା ଯାତ୍ରୀ କବାଟ ଖୋଲୁନାହାନ୍ତି ବୋଲି ଲଜ୍‌ର କର୍ମଚାରୀ ଥାନାରେ ଜଣାଇଥିଲେ। କୁମ୍ଭାରପଡ଼ା ଥାନା ପୁଲିସ ସେଠାରେ ପହଞ୍ଚି କବାଟ ଭାଙ୍ଗି ରୁମ୍‌ ଭିତରେ ପଶିଥିଲେ। ରୁମ୍‌ ଭିତରେ ଜଣେ ଯୁବତୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଯୁବତୀ ହେଉଛନ୍ତି ପାୟଲ ମହାନ୍ତି (୨୨ବର୍ଷ) । ସେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଜୟନ୍ତରା ଗ୍ରାମର କଳ୍ପତରୁ ମହାନ୍ତିଙ୍କ ଝିଅ। ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଗଙ୍ଗନଗରରେ ରହୁଥିଲେ। ତାଙ୍କ ବେକରେ ତାଙ୍କର ଓଢ଼ଣି ବନ୍ଧା ହୋଇଥିବା ବେଳେ ବାମ ହାତର କଚଟିକୁ ‌ବ୍ଲେଡ୍‌ରେ କଟାଯାଇଥିବା ଦେଖିବାକୁ ମିଳିଥିଲା। ଫଳରେ, ତାଙ୍କ ହାତରୁ ପ୍ରବଳ ରକ୍ତସ୍ରାବ ବାହାରିଥିବା ଏବଂ ଖଟରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ମୃତଦେହ ନିକଟରେ ଏକ ସୁଇସାଇଡାଲ ନୋଟ୍‌କୁ ପୁଲିସ ଜବତ କରିଥିଲା। ଏଥିରେ ସେ ମାନସିକ ଅସନ୍ତୋଷ ଯୋଗୁ ଆତ୍ମହତ୍ୟା କରଥିବା ଜଣାଇଛନ୍ତି। ସେ ଇଂରାଜୀରେ ଲେଖିଛନ୍ତି ‘ ସମସ୍ତେ ଜାଣିବ, ମୁଁ ଆଉ ବଞ୍ଚିବାକୁ ଚାହୁଁନି। ସବୁବେଳେ ବିଫଳ ହେବାରୁ ବାଧ୍ୟ ହୋଇ ଆତ୍ମହତ୍ୟା କରୁଛି। ମୋର ମୃତ୍ୟୁ ପାଇଁ କେହି ଦାୟୀ ରହିବେ ନାହିଁ। ଏଥିପାଇଁ କାହାକୁ ହଇରାଣ କରାନଯାଉ’ ବୋଲି ସେ ଲେଖିଛନ୍ତି।

ଏହାପରେ ପୁଲିସ ତାଙ୍କ ପରିବାରକୁ ଖବର ଦେଇଥିଲେ। ଖବର ପାଇ ତାଙ୍କ ବାପା, ଦାଦା, ଭାଇ, ମାମୁଁ ପ୍ରମୁଖ ପୁରୀକୁ ଆସିଥିଲେ। ପାୟଲ ତାଙ୍କ ଘରେ ମଧ୍ୟ ଏକ ସୁଇସାଇଡାଲ ନୋଟ୍‌ ଛାଡ଼ି ଆସିଥିବା ପରିବାର ଲୋକେ କହିଛନ୍ତି। ପ୍ରକାଶ ଯେ ପାୟଲ ଗତକାଲି ପୂର୍ବାହ୍ନରେ ପୁରୀକୁ ଆସି ଏଚ୍‌ଆର୍‌ ଲଜ୍‌ର ରୁମ୍‌ରେ ରହିଥିଲେ। ଆଜି ସଫେଇ କର୍ମଚାରୀ ରୁମ୍‌ ସଫା କରିବାକୁ ଆସି ଡାକିବାରୁ ପାୟଲ କବାଟ ଖୋଲି ନଥିଲେ। ତେଣୁ ସେ ଲଜ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ସମ୍ବନ୍ଧିତ ଖବର