ହୋଟେଲରୁ ମିଳିଲା ଠିକାଦାରଙ୍କ ଝୁଲନ୍ତା ଶବ

ରାଉରକେଲା: ରାଉରକେଲାର ଏକ ହୋଟେଲରୁ ଜଣେ ଠିକାଦାରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନି। ମୃତକ ହେଉଛନ୍ତି କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ରାଜେଶ କୁମାର ଦାଶ (୩୧)। ରାଜେଶ ପେସାରେ ଜଣେ ଇଲେକ୍ଟ୍ରିକାଲ୍‌ ଠିକାଦାର ଓ ଦିଲ୍ଲୀରେ ସପରିବାର ବାସ କରନ୍ତି। ରାଜେଶ ସ୍ଥାନୀୟ ଆଇଟିଆଇ ଛକ ପାଖ ଅମର ପ୍ୟାଲେସ ହୋଟେଲରେ ଏକ ରୁମ୍‌ ବୁକ୍‌ କରି ଗତ ୧୨ ତାରିଖରୁ ରହୁଥିଲେ। ଏହି ହୋଟେଲର ରୁମ୍‌ ନଂ ୧୦୫ରେ ରହୁଥିବା ରାଜେଶ ୧୪ ତାରିଖ ପର୍ଯ୍ୟନ୍ତ ଏଠାରେ ରହିଥାନ୍ତେ। ଆଜି ସକାଳେ ପରିବାର ଲୋକ ରାଜେଶଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ କୌଣସି ଉତ୍ତର ପାଇନଥିଲେ। ଫଳରେ ସନ୍ଦେହ କରି ପରିବାରବର୍ଗ ହୋଟେଲ୍‌ କର୍ତୃପକ୍ଷଙ୍କୁ ଫୋନ କରି ବୁଝିବାରୁ ହୋଟେଲ କର୍ମଚାରୀ ରୁମ୍‌କୁ ଯାଇ କବାଟ ବାଡ଼େଇଥିଲେ ମଧ୍ୟ କୌଣସି ଜବାବ ମିଳିନଥିଲା। ସେମାନେ ଝରକା ଦେଇ ଦେଖିଲାବେଳେକୁ ଫ୍ୟାନ୍‌ରେ ରାଜେଶଙ୍କ ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ। ଏନେଇ ରଘୁନାଥପଲ୍ଲୀ ପୁଲିସକୁ ସୂଚନା ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଜେଶ ବ୍ୟବହାର କରୁଥିବା କାର୍‌ (ଡିଏଲ୍‌-୧୨ସିକେ-୬୦୨୩)କୁ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର