ଯାତ୍ରୀ ନିବାସରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର : କଟକରୋଡ୍‌ ସ୍ଥିତ ଯାତ୍ରୀ ନିବାସରୁ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ବ୍ୟକ୍ତିଙ୍କ ଝୁଲନ୍ତ ମୃତଦେହକୁ ଜବତ କରିଛି। ତାଙ୍କ ନାଁ ବିଜୟ କୁମାର ରାଉତ(୫୦)। ଘର କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣାନଗର ଲେନ୍‌-୨ ଅଞ୍ଚଳ। ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ପୁଲିସ ସୂଚନା ମୁତାବକ, ଗୁରୁବାର ମେଡିକାଲ୍‌ କାମରେ ବିଜୟ ଭୁବନେଶ୍ବର ଆସିଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ କଟକରୋଡ୍‌ ସ୍ଥିତ ଯାତ୍ରୀ ନିବାସ ରୁମ୍ ନଂ-୨୦୭ରେ ରହିଥିଲେ। ତେବେ ସକାଳେ ରୁମ୍‌ ଝାଡ଼ୁ ପାଇଁ କର୍ମଚାରୀ ଡାକିଥିଲେ ସୁଧା ସେ ଜବାବ ଦେଇ ନଥିଲେ କି କବାଟ ଖୋଲି ନଥିଲେ। ସେ ଶୋଇଥିବେ ଭାବି କର୍ମଚାରୀ ଜଣଙ୍କ ଚାଲିଯାଇଥିଲେ। ଆଜି ୧୨ଟାରେ ତାଙ୍କର ଚେକ୍‌ ଆଉଟ୍‌ ଥିଲା। ବିଳମ୍ବିତ ସମୟ ପର୍ଯ୍ୟନ୍ତ ବିଜୟ କବାଟ ଖୋଲି ନଥିଲେ। ଯାହାକୁ ନେଇ କର୍ମଚାରୀ ସନ୍ଦେହ କରିଥିଲେ। ଝରକା ପଟେ ଦେଖିବାରୁ ସେ ଗାମୁଛାରେ ଝୁଲି ରହିଥିଲେ। କର୍ମଚାରୀ ଜଣଙ୍କ ହୋଟେଲ୍‌ ମ୍ୟାନେଜର ଅସୀମ୍‌ ପଟ୍ଟନାୟକଙ୍କୁ ଜଣାଇଥିଲେ। ଅସୀମ ତୁରନ୍ତ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଜୟଙ୍କ ମୃତଦେହକୁ ଜବତ କରିଥିଲା। ବ୍ୟବଚ୍ଛେଦ ରିପ‌ୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର