ରାଜପଥ ସଂପ୍ରସାରଣ : ହଂସପାଳ ଭୋଇ ସାହି ବାସିନ୍ଦାଙ୍କ ଉଚ୍ଛେଦ ଉପରେ ରହିତାଦେଶ

କଟକ : ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ହଂସପାଳ ନିକଟସ୍ଥ ଭୋଇ ସାହି ବାସିନ୍ଦାଙ୍କୁ ଉଚ୍ଛେଦ ପ୍ରସଂଗରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ନହରକଣ୍ଟା ଭୋଇସାହିର ୧୯ଟି ପରିବାରକୁ ପୂର୍ବ ପ୍ରତିଶୁତି ଅନୁସାରେ ଥଇଥାନ ନ କରି ଉଚ୍ଛେଦ ପାଇଁ ୨୦୧୮, ଜାନୁଆରି ୧୦ରେ କର୍ତ୍ତୃପକ୍ଷ ଘୋଷଣା କରିଥିବା ବେଳେ ଉଚ୍ଛେଦ ପ୍ରକ୍ରିୟାକୁ ଚାଲେଞ୍ଜ କରି ଭୋଇସାହିର ସୀତାକାନ୍ତ ନାୟକ ଓ ଅନ୍ୟ ୧୮ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଏସ୍‌.ସି.ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିବା ସହିତ ବିବାଦୀୟ ଜମି ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୦ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୧୬ନମ୍ବର ଜାତୀୟ ରାଜପଥପାର୍ଶ୍ୱରେ ହଂସପାଳ ନିକଟ ନହରକଣ୍ଟା ଭୋଇ ସାହିରେ ବର୍ଷବର୍ଷ ଧରି ୧୯ଟି ପରିବାର ରହି ଆସୁଥିଲେ। ଏହି ପରିବାର ରହୁଥିବା ଜମି ରାଜପଥ ସଂପ୍ରସାରଣ ପାଇଁ ଆବଶ୍ୟକ ଥିବା ବେଳେ ସେମାନଙ୍କୁ ଉଚ୍ଛେଦ ପାଇଁ ନୋଟିସ ଜାରି କରାଯାଇଥିଲା। ଏପରି ନିଷ୍ପତ୍ତିର ଆବେଦନକାରୀ ଓ ଅନ୍ୟମାନେ ପ୍ରତିବାଦ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ରୁଦ୍ରପୁର ମୌଜାର ଖାତା ନମ୍ବର ୪୨୪, ପ୍ଲଟ ନମ୍ବର ୧୮୩ରେ ଥିବା ୦.୭୨୨ଡିସିମିଲି ଜମିରେ ଏହି ୧୯ଟି ପରିବାରକୁ ଥଇଥାନ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏଭଳି ପ୍ରସ୍ତାବରେ ଭୋଇସାହି ବାସିନ୍ଦା ସମ୍ମତି ଜଣାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଥଇଥାନ ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଅନ୍ୟ ପକ୍ଷରେ ସଂପୃକ୍ତ ସ୍ଥାନରେ ଜାତୀୟରାଜ ପଥ ସଂପ୍ରସାରଣ କାମ ଅଟକି ରହିଥିଲା। ସରକାରଙ୍କ ପକ୍ଷରୁ ଜଗନ୍ନାଥ ସଡକ ନିକଟ ଏକ ସ୍ଥାନରେ ଆବେଦନକାରୀଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରିବା ପାଇଁ ଯୋଜନା କରାଯାଇଥିଲା। ଏପରି ପରିସ୍ଥିତି ଲାଗି ରହିଥିବା ବେଳେ ଭୋଇସାହିର ୧୯ଟି ପରିବାରକୁ ଉଚ୍ଛେଦ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ଏ ନେଇ ଜାନୁଆରି ୧୦ରେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଥଇଥାନ ନ କରି ଉଚ୍ଛେଦ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜୁ ମାମଲାରେ ସାଧାରଣ ପ୍ରଶାସନ ବିଭାଗ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ଖୋର୍ଦ୍ଧା ଭୂ-ଅର୍ଜନ ଅଧିକାରୀ, ଭୁବନେଶ୍ୱର ତହସିଲଦାର, ଭୁବନେଶ୍ୱର ଏଡିଏମ, ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ, ମଂଚେଶ୍ୱର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର