ଭୁବନେଶ୍ବର: ଗୁରୁବାର ସକାଳେ ଦିନିକିଆ ରିମାଣ୍ଡ୍ରେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିକା ଓ ଅନୀଲ୍କୁ କମିସନରେଟ୍ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଆଣିଛି। ଆଜି ଦିନସାରା ସେମାନଙ୍କୁ ଘନଘନ ଜେରା କରାଯାଇଛି। ପୁଲିସ ସେବାଭବନରୁ ଆରମ୍ଭ କରି ହଂସିକା ଓ ଅନୀଲ୍ଙ୍କ ଫ୍ଲାଟ୍ ପର୍ଯ୍ୟନ୍ତ ସେମାନଙ୍କୁ ନେଇ ପୁଲିସ ଟିମ୍ ଜେରା କରିଛି। ସେମାନଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବାକୁ ପୁଲିସ ଯଥାସମ୍ଭବ ଚେଷ୍ଟା ଚଳାଇଛି। ପୁଲିସ ସହ ଆୟକର ବିଭାଗର ଟିମ୍ ମଧ୍ୟ ପଚରାଉଚରା କରିଛି। କିନ୍ତୁ ମାତ୍ର ଗୋଟିଏ ଦିନରେ ପୁଲିସ ସେମାନଙ୍କ କଳା କାରନାମାର ଗୁମର ଫିଟାଇବାକୁ କେତେ ଦୂର ସମର୍ଥ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣି ବ୍ୟବସାୟୀ, ବଡ଼ବଡ଼ ଠିକାସଂସ୍ଥା ଓ ପଦସ୍ଥ ସରକାରୀ ବାବୁମାନଙ୍କ ସହିତ କୋଟିକୋଟି ଟଙ୍କାରେ ଖେଳୁଥିବା ଏହି ଅଭିଯୁକ୍ତଦ୍ବୟଙ୍କ ଭାନୁମତି ପେଡ଼ି ସତରେ ଖୋଲିବ କି ନା, ତାହାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ଓ ଉତ୍କଣ୍ଠା ପ୍ରକାଶ ପାଇଛି। ଅନୀଲ୍ ନାଁରେ ଥିବା ୬ଟିଯାକ କମ୍ପାନିର କାମ, ହଂସିକାଙ୍କ ନାଁରେ ଥିବା ରିୟଲ୍ ଇଷ୍ଟେଟ୍ ସଂସ୍ଥାର ବ୍ୟବସାୟ ସାଙ୍ଗକୁ ବିଭିନ୍ନ ନାମୀ ସଂସ୍ଥାର ସିଏସ୍ଆର୍ ପାଣ୍ଠି ପରିଚାଳନା ଉପରେ ପୁଲିସ କି ପ୍ରକାର ତଥ୍ୟ ବାହାର କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୁଲିସ ସେମାନଙ୍କ କଳା ସାମ୍ରାଜ୍ୟ ପିଛା ପଡ଼ିଥିବା ବେଳେ ଆୟକର ବିଭାଗ ସେମାନଙ୍କ କଳାଟଙ୍କାର ଉତ୍ସ ଓ ବିନିଯୋଗ ଉପରେ ଖୋଳତାଡ଼ ଚଳାଇଛି।
ପୁଲିସଭବନରୁ ଫ୍ଲାଟ୍; ଦିନସାରା ଜେରା
ଖୋଲିବ ତ ଭାନୁମତି ପେଡ଼ି?
କାନ୍ଦିଲେ ହଂସିକା, ଫଁ ଦେଖାଇଲେ ଅନୀଲ
ଆଜି ପୁଲିସ ସେମାନଙ୍କୁ ଝାରପଡ଼ା ଜେଲ୍ରୁ ବାହାର କରିବା ବେଳେ ଫାଟକ ନିକଟରେ ପ୍ରବଳ ଗହଳି ହୋଇଥିଲା। ଗଣମାଧ୍ୟମର ପ୍ରତିନିଧିମାନେ ସେମାନଙ୍କଠାରୁ କିଛି ତଥ୍ୟ ଆଦାୟ କରିବାକୁ ଚାହିଥିଲେ। ମାତ୍ର ପୁଲିସ ସେମାନଙ୍କୁ ସିଧା କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା। ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ ଗଣମାଧ୍ୟମର ପ୍ରତିନିଧିମାନେ ପହଞ୍ଚିଯାଇଥିଲେ। ହଂସିକା ସେମାନଙ୍କୁ ହାତଯୋଡ଼ି କିଛି ନ ପଚାରିବାକୁ ଅନୁରୋଧ କରିଥିଲେ ଏବଂ କାନ୍ଦିକାନ୍ଦି କହିଥିଲେ ଯେ ତାଙ୍କୁ ଫସାଇ ଦିଆଯାଇଛି। ସେ ତଦନ୍ତରେ ପୁଲିସକୁ ସବୁ ପ୍ରକାର ସହଯୋଗ କରିବେ ଏବଂ ସବୁ ଗୁମର ଖୋଲିବେ ବୋଲି କହିଥିଲେ। କିନ୍ତୁ ଅନୀଲ୍ ମହାନ୍ତି ଗଣମାଧ୍ୟମକୁ ଫଁ ଦେଖାଇଥିଲେ। ‘ଆମେ କିଛି ଜାଣିନୁ ଆମକୁ କ’ଣ ପାଇଁ ଗିରଫ କରାଯାଇଛି। ଆମକୁ ଫସାଇ ଦିଆଯାଇଛି ଏବଂ ଅଭିଯୋଗକାରୀ ହିଁ ଫସାଇଛନ୍ତି। କୋଟିକୋଟି ଟଙ୍କା ଖାଇଯାଇଛୁ ଯଦି ପୁଲିସ କାଢ଼ୁ।’ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏମିତି ଥିଲା ଅନୀଲ୍ଙ୍କ ଫୋପଡ଼ାଫିଙ୍ଗା ଉତ୍ତର। କିନ୍ତୁ ଉଭୟ ଚୁପ୍ ରହିଲେ, ଯେତେବେଳେ ସାମ୍ବାଦିକମାନେ ପଚାରିଲେ ଯେ ଅଭିଯୋଗକାରୀ କ’ଣ ପାଇଁ ସେମାନଙ୍କୁ ଫସାଇଲେ। ସିଏସ୍ଆର୍ ପାଣ୍ଠି ଓ କମିସନ କଥା କ’ଣ ବୋଲି ପ୍ରଶ୍ନକୁ ସେମାନେ ଏଡ଼ାଇ ଯାଇଥିଲେ ଏବଂ ନିରବ ରହିଥିଲେ।
ହସ୍ପିଟାଲ୍ରୁ ପୁଲିସ ସେମାନଙ୍କୁ କମିସନରେଟ୍ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଚାମ୍ବରକୁ ନେଇ ଜେରା ଆରମ୍ଭ କରିଥିଲା। ପ୍ରାୟ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସେଠାରେ ଜେରା ଚାଲିଥିଲା।
ଏହାପରେ ସନ୍ଧ୍ୟାରେ ସେମାନଙ୍କୁ ପଟିଆ ରଘୁନାଥପୁରସ୍ଥିତ ଆପାର୍ଟମେଣ୍ଟର ଫ୍ଲାଟ୍କୁ ନିଆଯାଇଥିଲା। ପୂର୍ବରୁ ଜବତ କରାଯାଇଥିବା ବିଭିନ୍ନ ରେକର୍ଡପତ୍ରକୁ ନେଇ ସେମାନଙ୍କୁ ପୃଥକ ପୃଥକ ଭାବେ ଜେରା କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ହଂସିକାଙ୍କ ଫ୍ଲାଟ୍ରେ ପୁଲିସ ଜେରା କରୁଥିବା ବେଳେ ତାଙ୍କ ପ୍ରଥମ ସ୍ବାମୀ ସରୋଜ ସାହୁ ଉପସ୍ଥିତ ଥିଲେ। ସେହିଭଳି ଅନୀଲ୍ଙ୍କ ଫ୍ଲାଟ୍ରେ ତାଙ୍କୁ ଜେରା କରାଯାଇଥିଲା। ନକଲି ଏନ୍ଜିଓ, ମାଇନିଂ ସଂସ୍ଥା, ଟେଣ୍ଡର, ବିଭିନ୍ନ ପ୍ରୋଜେକ୍ଟ ଆଦିକୁ ନେଇ ତାଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରାଯାଇଛି। ସେହିଭଳି ତାଙ୍କର ଏକ ଆକାଉଣ୍ଟରୁ ହୋଇଥିବା ୧୦୦ଟି ବଡ଼ ଟ୍ରାଞ୍ଜାକ୍ସନ୍ ବାବଦରେ ମଧ୍ୟ ପଚରାଉଚରା କରାଯାଇଛି। ସୂଚନାଯୋଗ୍ୟ ଯେ ପଟିଆସ୍ଥିତ ଏକ ପ୍ରତିଷ୍ଠିତ ସଂସ୍ଥାକୁ ୧୦୦ କୋଟି ଟଙ୍କାର ସିଏସ୍ଆର୍ ଫଣ୍ଡ୍ କରାଇଦେବାକୁ ଯାଇ ଏହି ଠକ ଯୋଡ଼ି ୨୦ ପ୍ରତିଶତ କମିସନ ପାଇବେ ବୋଲି ଡିଲ୍ ହୋଇଥିଲା। ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମ୍ପର୍କୀୟ ଝିଅ-ଜ୍ବାଇଁ ପରିଚୟରେ ସେମାନେ ଏହି ଡିଲ୍ କରିଥିଲେ। ମାତ୍ର ପରେ କମିସନକୁ ନେଇ ବିବାଦ ଉପୁଜିଲା ଏବଂ ଠକ ଯୋଡ଼ି ଉକ୍ତ ସଂସ୍ଥାକୁ ବ୍ଲାକ୍ମେଲ୍ କରିଥିଲେ। ତେଣୁ ସେମାନଙ୍କ ବିରୋଧରେ ଇନ୍ଫୋସିଟି ଥାନାରେ ଅଭିଯୋଗ ହେବା ପରେ ପୁଲିସ ସେମାନଙ୍କୁ ଗିରଫ କରିଛି।