ହାଟଡିହି: ଡ୍ରିମ୍ ଇଲେଭେନ୍ ଆପ୍ରେ ଭାରତୀୟ-ଜିମ୍ବାୱେ ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍ରେ ଟିମ୍ ଗଠନ କରି ଖେଳୁଥିଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ କଇଥଗଡ଼ିଆ ଗ୍ରାମର ଦେବୀପ୍ରସାଦ ବିଶ୍ବାଳ। ମ୍ୟାଚ୍ ଶେଷ ହେବାବେଳକୁ ସେ ଏକ ନମ୍ବରରେ ରହିବା ସହ ୯୦ ଲକ୍ଷ ଟଙ୍କା ଜିତିଥିବା ନେଇ ମେସେଜ ଆସିଥିଲା। ହଠାତ୍ ତାଙ୍କୁ ହ୍ବାଟସଆପ୍ରେ ଏକ କଲ୍ ଆସିବା ସହ ଜଣେ ବ୍ୟକ୍ତି ତାଙ୍କୁ ଓଟିପି ମାଗିଥିଲେ। ଓଟିପି ଦେବାପରେ ଦେବୀପ୍ରସାଦଙ୍କ ଟିମ୍ ବଦଳରେ କୁନାଲ୨୭ ୨୭୧୦ ନାମକ ଟିମ୍ ଏକ ନମ୍ବରକୁ ଚାଲିଯାଇଥିଲା। ଫଳରେ ଦେବୀପ୍ରସାଦ ୯୦ ଲକ୍ଷ ଟଙ୍କା ହରାଇବା ସହ କ୍ଷଣକିରେ ତାଙ୍କର ସମସ୍ତ ଖୁସି ମିଳାଇ ଯାଇଛି।
ଦେବୀପ୍ରସାଦଙ୍କ କହିବା ହେଲା, ସେ ଗତ ଆଇପିଏଲ୍ ବେଳୁ ଡ୍ରିମ ଇଲେଭେନରେ ଟିମ୍ ତିଆରି କରି ଖେଳିଆସୁଛନ୍ତି। ପୂର୍ବରୁ ସେ ଅଳ୍ପଅଳ୍ପ ଟଙ୍କା ଜିତୁଥିଲେ। ଗତକାଲି ସେ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍ରେ ୮ଟି ଟିମ୍ ତିଆରି କରି ଖେଳୁଥିଲେ। ମ୍ୟାଚ୍ ସରିବାବେଳକୁ ତାଙ୍କ ଟିମ୍ ଡିଆର୍ବିପିଡିଆର୍ ଟିମ୍ ୧ ନମ୍ବରରେ ଥିଲା। ତାଙ୍କ ତଳକୁ ବୀରୁ ନେଗି ନାମକ ଏକ ଟିମ୍ ରହିଥିଲା। ଦେବୀପ୍ରସାଦଙ୍କ ଟିମ୍ ୯୦ ଲକ୍ଷ ଟଙ୍କା ଜିତିଥିବା ଦର୍ଶାଯାଇଥିଲା। ସେ ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ। ଏପରିକି ସାଙ୍ଗସାଥୀ ତାଙ୍କୁ ଘେରି ଖୁସି ମନାଉଥିଲେ। ହେଲେ ଏହି ଖୁସି ଅଧିକ ସମୟ ରହିନଥିଲା। ଦେବୀପ୍ରସାଦଙ୍କ ୱାଲେଟ୍ ଟଙ୍କା ସୋ କରିବାରେ ବିଳମ୍ବ ହେବାରୁ ସେ ବ୍ୟସ୍ତ ହୋଇପଡ଼ିଥିଲେ।
ଏହିସମୟରେ ହଠାତ୍ ୯୧୬୬୧୦୭୯୦୯ ନମ୍ବରରୁ ହ୍ୱାଟ୍ସଆପ୍ରେ ଏକ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ଜଣକ ମୋବାଇଲକୁ ଯାଇଥିବା ଓଟିପି ଦେଲେ ଜିତିଥିବା ଟଙ୍କା ୱାଲେଟ୍ରେ ସୋ କରିବ ବୋଲି କହିଥିଲେ। ଓଟିପି ଦେବାପରେ ହଠାତ୍ ସବୁକିଛି ଗଡ଼ବଡ଼ ହୋଇଯାଇଥିଲା। ମୋବାଇଲ ହ୍ୟାକ୍ ହୋଇଯିବା ସହ ଡ୍ରିମ୍ ଇଲେଭେନ୍ ଆପ୍ ଆଉ ଖୋଲି ନଥିଲା। ଏହାପରେ ଦେବୀପ୍ରସାଦ ତାଙ୍କୁ ଯୋଗାଯୋଗ କରିବାରୁ ୧୯୫୦ ଟଙ୍କା ଜମା କର ଉକ୍ତ ଆଇଡି ଆକ୍ଟିଭ ହୋଇଯିବ ବୋଲି କହିଥିଲେ। ଦେବୀପ୍ରସାଦ ତରବର ହୋଇ ୧୯୫୦ ଟଙ୍କା ସେହି ନମ୍ବରରେ ଫୋନ୍ପେ ମାଧ୍ୟମରେ ଦେଇଥିଲେ। ବହୁ ସମୟ ଅପେକ୍ଷା କରିବା ପରେ ତାଙ୍କର ଆଇଡି ଖୋଲିଥିଲା କିନ୍ତୁ ଟଙ୍କା ଆସିନଥିଲା। ୧ ନମ୍ବରରେ ତାଙ୍କ ଟିମ୍ ପରିବର୍ତ୍ତେ କୁନାଲ୨୭ ୨୭୧୦ ନାମକ ଟିମ୍ ଥିବା ଦେଖିବାକୁ ମିଳିଥିଲା। ଏହାପରେ ଦେବୀପ୍ରସାଦ ବାରମ୍ବାର ଉକ୍ତ ନମ୍ବରକୁ ଫୋନ କରିଥିଲେ ବି ତାହା ସୁଇଚଅଫ୍ ହୋଇଯାଇଥିଲା। ଫଳରେ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/sfhsshfhffh.jpg)