ରଣପୁର: ରାଜ୍ୟ ବିଧାନସଭା ବାଚସ୍ପତି ଭାବେ ପଦଭାର ସମ୍ଭାଳିବାକୁ ଯାଉଛନ୍ତି ରଣପୁର ବିଧାୟିକା ସୁରମା ପାଢ଼ୀ। ଏ ନେଇ ସୂଚନା ମିଳିବା ପରେ ରଣପୁର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇବା ସହିତ ବାଣଫୁଟାଇ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରେ ଜନ୍ମଲାଭ କରିଥିବା ଶ୍ରୀମତୀ ପାଢ଼ୀ ୨୦୦୦ ମସିହାରେ ରଣପୁରକୁ ନିଜର ରାଜନୈତିକ କର୍ମଭୂମି ଭାବେ ବାଛିନେଇଥିଲେ। ସେହିବର୍ଷ ବିଜେପି ତରଫରୁ ସାଧାରଣ ନିର୍ବାଚନରେ ଲଢ଼ି ପରାଜିତ ହୋଇଥିଲେ। ତେବେ, ପରବର୍ତ୍ତୀ ୨୦୦୪ ମସିହା ସାଧାରଣ ନିର୍ବାଚନରେ ବିଜୟୀ ହୋଇ ବିଜେପି-ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଥିଲେ। ପରବର୍ତ୍ତୀ ଅର୍ଥାତ୍ ୨୦୦୯ ଠାରୁ ୨୦୧୯ ପର୍ଯ୍ୟନ୍ତ ସମସ୍ତ ସାଧାରଣ ନିର୍ବାଚନରେ ଲଗାତାର ଭାବେ ପରାଜିତ ହୋଇଆସୁଥିଲେ। ଚଳିତ ନିର୍ବାଚନରେ ସେ ନିକଟତମ ବିଜେଡି ପ୍ରତିଦ୍ବନ୍ଦ୍ବୀ ସତ୍ୟନାରାୟଣ ପ୍ରଧାନଙ୍କୁ ପରାଜିତ କରି ବିଜୟୀ ହୋଇଛନ୍ତି। ଶ୍ରୀମତୀ ପାଢ଼ୀ ଭୁବନେଶ୍ୱରସ୍ଥିତ ରମାଦେବୀ ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରି ହାସଲ କରିଥିବାବେଳେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆଇନ କ୍ଷେତ୍ରରେ ଡିଗ୍ରି ହାସଲ କରିଛନ୍ତି।
ସୁରମା ପାଢ଼ୀଙ୍କୁ ବାଚସ୍ପତି ପଦବି, ରଣପୁର ଅଞ୍ଚଳରେ ଖୁସିର ଲହରି
/sambad/media/post_attachments/wp-content/uploads/2024/06/sfhsfhhfhf.jpg)