ଆଜିଠୁ ରାଜ୍ୟରେ ‘ହର ଘର ଦସ୍ତକ’ ଅଭିଯାନ

ଟିକା ନେଇ ନ ଥିବା ଲୋକଙ୍କୁ ଘରକୁ ଘର ବୁଲି ଖୋଜାଯିବ

ଦ୍ୱିତୀୟ ଡୋଜ୍ ଟିକା ନେଇ ନ ଥିବା ଲୋକଙ୍କୁ ସଂଖ୍ୟା ୩୦ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ‘ହର ଘର ଦସ୍ତକ’ ଟିକାକରଣ ଅଭିଯାନ। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କ ଘରକୁ ଘର ଯାଇ ଆଶା, ଅଙ୍ଗନବାଡ଼ି, ଏଏନ୍‌ଏମ୍‌ମାନେ ସେମାନଙ୍କୁ ଚିହ୍ନଟ କରିବେ। ଟିକା ନେଇ ନ ଥିବା ଲୋକମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ। ଯେଉଁ ଗାଁରେ ଅଧିକ ଲୋକସଂଖ୍ୟା ଥିବା ସେଠାରେ ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ।

ଡା.ପାଣିଗ୍ରାହୀ କହିଛନ୍ତି ଯେ ରାଜ୍ୟ‌ର ସସସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଡିସେମ୍ବର ସୁଦ୍ଧା ଅତିକମ୍‌ରେ ଗୋଟିଏ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ଟିକାକରଣ କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରାଯିବ। ରାଜ୍ୟରେ ଏବେ ସୁଦ୍ଧା ୩୦ଲକ୍ଷ ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ନ ଥିବା ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାର ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ୩.୦୯ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୩.୨୫କୋଟିକୁ ବୃଦ୍ଧି ପାଇଛି।

ରାଜ୍ୟରେ ପୂର୍ବ ତୁଳନାରେ ଅଧିକ ସଂଖ୍ୟକ ଟିକାକରଣ ଅଧିବେଶନ ଆୟୋଜନ କରାଯାଉଥିଲେ ହେଁ ଟିକାକରଣ ସଂଖ୍ୟା ବଢ଼ୁନାହିଁ। ବେଶ୍ କିଛିଦିନ ହେବ ରାଜ୍ୟରେ ଦୈନିକ ଟିକାକରଣ ୩ଲକ୍ଷ ପାର୍ କରିନାହିଁ। ଏପଟେ ରାଜ୍ୟ ସରକାର ଦୈନିକ ୪.୧୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେଣୁ ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଜି ରାଜ୍ୟରେ ୨୨୨୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୨ଲକ୍ଷ ୯୩ହଜାର ୧୯୦ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଯୁବ ବର୍ଗରେ ୮୨,୨୧୪ ପ୍ରଥମ ଓ ୧,୧୫,୫୦୩ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୩୭,୬୯୨ ପ୍ରଥମ ଓ ୫୬,୮୮୮ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ୫୧୮୧ ଗର୍ଭବତୀ ମହିଳା ମଧ୍ୟ ଟିକା ନେଇଛନ୍ତି। ରାଜ୍ୟରେ ଯୁବ ବର୍ଗର ୭୩ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୮୩ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩ କୋଟି ୭୫ଲକ୍ଷ ୫୭ହଜାର ୧୫୭ ଡୋଜ୍ ଟିକା ଦିଆଗଲାଣି।

ସମ୍ବନ୍ଧିତ ଖବର