ହରଡ଼ କିଲୋ ୧୫୦ ଟପିବ! କର୍ଣ୍ଣାଟକ, ମହାରାଷ୍ଟ୍ର, ଛତିଶଗଡ଼ରେ ହରଡ଼, ବୁଟ ଫସଲ ପ୍ରଭାବିତ

କଟକ : କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଦେଶୀ ହରଡ଼ ଓ ବୁଟ ଡାଲି ଉତ୍ପାଦନ ଚଳିତ ବର୍ଷ ହ୍ରାସ ପାଇଛି। ଅଦିନିଆ ବର୍ଷା ଓ ପୋକ ଲାଗିଯାଇଥିବାରୁ ଫସଲ ପ୍ରଭାବିତ ହୋଇଛି। ତେଣୁ ଡାଲି ବ୍ୟବସାୟୀ ମିଆଁମାର, ବାଙ୍ଗଲାଦେଶ, ଦକ୍ଷିଣ ଆଫ୍ରିକ ଉପରେ ନିର୍ଭର କରିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଖାଉଟିଙ୍କ ଅଧିକ ଚାହିଦା ଥିବା ହରଡ଼ ଡାଲି କେଜି ପିଛା ୧୫୦ ଟଙ୍କା ଟପିବା ନେଇ ବ୍ୟବସାୟୀମାନେ ଆଶଙ୍କା କଲେଣି। ବିଦେଶରୁ ଡାଲି ଆମଦାନୀ ହେବା ଆରମ୍ଭ ହୋଇଥିବାରୁ ଏହାର ପ୍ରଭାବ ଡାଲି ମୂଲ୍ୟ ଉପରେ ପଡ଼ିବା ନେଇ ଆଶଙ୍କା କରାଯାଉଛି।

ମିଆଁମାର, ବଙ୍ଗଳାଦେଶ, ଦକ୍ଷିଣ ଆଫ୍ରିକା ଉପରେ ନିର୍ଭର

ସୂଚନା ଅନୁଯାୟୀ, ମାଲଗୋଦାମର ଡାଲି ବ୍ୟବସାୟୀ ହରଡ଼ ଓ ବୁଟ ଡାଲି ଗୋଟିଏ ସମୟରେ ଉତ୍ତରପ୍ରଦେଶର କାନପୁର ଓ ଆନ୍ଧ୍ର ପ୍ରଦେଶରୁ ଆମଦାନୀ କରୁଥିଲେ। ଗଲା ୧୫ ବର୍ଷ ହେବ ଛତିଶଗଡ଼ ଓ ମହାରାଷ୍ଟ୍ରର ନାଗପୁରରୁ ମାଲଗୋଦାମ ବ୍ୟବସାୟୀ ଆମଦାନୀ କରୁଛନ୍ତି। ଛତିଶଗଡ଼ ଓଡ଼ିଶା ସୀମାନ୍ତବର୍ତ୍ତୀ ରାଜ୍ୟ ହୋଇଥିବାରୁ ଏହି ରାଜ୍ୟରୁ ଆମଦାନୀ ହେଉଛି। ଆଉ କିଛି ମହାରାଷ୍ଟ୍ର ନାଗପୁରରୁ ଆମଦାନୀ ହେଉଛି। ଦୈନିକ ମାଲଗୋଦାମକୁ ହରଡ଼ ଓ ବୁଟ ଡାଲି ୨୦୦ ଟନ୍ ଆମଦାନୀ ହେଉଛି। କିନ୍ତୁ ଚଳିତ ବର୍ଷ ଏହି ଦୁଇଟି ଡାଲି ଉତ୍ପାଦନରେ ବଡ଼ ଧରଣର ପ୍ରଭାବ ପଡ଼ିଛି।

Jagran

କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ହରଡ଼ ଫସଲ ଉତ୍ପାଦନ ବହୁତ କମ ହୋଇଛି। ସେହିଭଳି ଏହି ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ବୁଟ ଫସଲରେ ପୋକ ଲାଗିଯାଇଛି। ଫଳରେ ଏବେ ଡାଲି ବ୍ୟବସାୟୀମାନେ ମିଆଁମାର, ବାଙ୍ଗଲାଦେଶ, ଦକ୍ଷିଣ ଆଫ୍ରିକ ଉପରେ ନିର୍ଭର କରିବା ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଦେଶୀ ଡାଲି ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ବିଦେଶୀ ଡାଲି ଉପରେ ବ୍ୟବସାୟୀମାନେ ନିର୍ଭର କରିବା ଆରମ୍ଭ କରିଦେଲେଣି। ହରଡ଼ ଡାଲି ଶନିବାର କିଲୋ ପିଛା ୧୧୧ରୁ ୧୨୦ ଟଙ୍କା ଥିବା ବେଳେ ବୁଟ ଡାଲି କିଲୋ ୬୧ରୁ ୬୫ ଟଙ୍କା ଛୁଇଁଛି। ବିଦେଶୀ ଡାଲି ଉପରେ ନିର୍ଭର ଅଧିକ ହେଉଥିବାରୁ ହରଡ଼ ଡାଲି କିଲୋ ପିଛା ୧୫୦ ଟଙ୍କା ଟପିବା ନେଇ ଡାଲି ବ୍ୟବସାୟୀମାନେ ଆଶଙ୍କା କଲେଣି। ଗଲା ୮ ବର୍ଷ ତଳେ ହରଡ଼ ଡାଲି ୧୭୦ରୁ ୧୮୦ ଟଙ୍କା ଛୁଇଁଥିଲା। ବର୍ତ୍ତମାନ ପରିସ୍ଥିତିରେ ଡାଲି ସେଭଳି ସ୍ଥିତି ଦେଇ ଗତି କରୁଛି। ତେବେ କୌଣସି ମୁହୂର୍ତ୍ତରେ ଡାଲି ମୂଲ୍ୟ ବଢ଼ିବା ନେଇ ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି।

ସମ୍ବନ୍ଧିତ ଖବର