ନୂଆ ରୂପ ନେବ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର

ରବିବାର ଖୋଲିବ, ସୋମବାର ବନ୍ଦ, ମିଳିବ ଫୁଡ୍‌କୋର୍ଟ ସହ ୱାଇଫାଇ ସୁବିଧା

ଭୁବନେଶ୍ବର : ନୂଆ ରୂପ ନେବ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର। ମିଳିବ ୱାଇଫାଇ ସୁବିଧା। କ୍ୟାରିୟର କାଉନ୍‌ସେଲିଂ ପାଇଁ ‘ମୋଟିଭେସନାଲ୍‌ ଟକ୍‌’ ଶୁଣିବାକୁ ମିଳିବ। ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବ‌ା ବ୍ୟକ୍ତିବିଶେଷ ଏଠାରେ ପ୍ରେରଣାଦାୟକ ବାର୍ତ୍ତା ଦେବେ। ନାନା ରକମର ଖାଦ୍ୟ ବି ଉପଲବ୍ଧ ହେବ ଫୁଡ୍‌କୋର୍ଟରେ। ମିସନ ଶକ୍ତି ପକ୍ଷରୁ କାଫେଟେରିଆ କରାଯିବ। କମ୍‌ ଦାମ୍‌ରେ ଖାଦ୍ୟ ଉପଲବ୍ଧ ହେବ ଆହାର କେନ୍ଦ୍ରରେ। ସମସ୍ତ ଭିତ୍ତିଭୂମିର ଉନ୍ନତୀକରଣ କରାଯିବ। ଏଠାରେ ପ୍ରବଳ ଭିଡ଼ ହେଉଥିବାରୁ ବାପୁଜୀନଗରରେ ଜନ ଗ୍ରନ୍ଥାଗାର ଖୋଲାଯିବ। ଫଳରେ ଏହି ଲାଇବ୍ରେରିରୁ ଭିଡ଼ କମିବ। ବଡ଼କଥା ହେଉଛି ଏହା ଏଥର ରବିବାର ଖୋଲିବ, ସୋମବାର ବନ୍ଦ ରହିବ। ରବିବାର ଅନ୍ୟ ସମସ୍ତ ଅନୁଷ୍ଠାନ ବନ୍ଦ ରହୁଥିବାରୁ ଲାଇବ୍ରେରି ଆସିବା ସୁବିଧା ହୋଇଥାଏ ବୋଲି ଛାତ୍ରଛାତ୍ରୀ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଏହି ପାଠାଗାର ପରିଦର୍ଶନ କରିବା ବେଳେ ଛାତ୍ରଛାତ୍ରୀଙ୍କ ଏହି ଦାବି ପୂରଣ କରିଛନ୍ତି। ସେଠାରେ ସେ ଛାତ୍ରଛାତ୍ରୀମାନଙ୍କ ସହିତ ଅନ୍ୟ ସମସ୍ତ ସୁବିଧା ଅସୁବିଧା ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି।

କ୍ୟାରିୟର କାଉନସେଲିଂ ପାଇଁ ହେବ ମୋଟିଭେସନାଲ ଟକ୍‌
ବାପୁଜୀନଗରରେ ଖୋଲିବ ଜନ ଗ୍ରନ୍ଥାଗାର
କ୍ଷେତ୍ର ପରିଦର୍ଶନ କଲେ ୫-ଟି ସଚିବ

ଏହି ସର୍ବପୁରାତନ ପାଠାଗାରକୁ ପ୍ରତିଦିନ ଶହଶହ ଛାତ୍ରଛାତ୍ରୀ ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବବର୍ଗ ଓ ସାଧାରଣ ଲୋକ ଅଧ୍ୟୟନ ପାଇଁ ଆସିଥା’ନ୍ତି। ପାଠାଗାରଟି ପୁରୁଣା ହୋଇଯାଇଥିବାରୁ ଚୌକି, ଟେବୁଲ ଓ ଅନ୍ୟ ଆସବାବପତ୍ରର ନବୀକରଣ ଆବଶ୍ୟକତା ରହିଛି। ଚଟାଣ ସହ ଅନ୍ୟାନ୍ୟ ମରାମତିର ମଧ୍ୟ ଆବଶ୍ୟକତା ରହିଛି। ଏ ସବୁର ଉନ୍ନତୀକରଣ କରାଯିବ। ଅତ୍ୟାଧୁନିକ ପଦ୍ଧତିରେ ପୁସ୍ତକଗୁଡ଼ିକ ସଂରକ୍ଷଣ ସହ ସଂପୂର୍ଣ୍ଣ ପାଠାଗାରକୁ ବାତାନୁକୂଳ କରାଯିବାକୁ ଯୋଜନା ହୋଇଛି। ଅଧିକ ଛାତ୍ରଛାତ୍ରୀ ଓ ଜନସାଧାରଣ ଯେଭଳି ସୁବିଧାରେ ଅଧ୍ୟୟନ କରିପାରିବେ, ସେଥିପାଇଁ ପାଠାଗାର ପରିସରରେ ଥିବା ନୂତନ କୋଠାରେ ଆସବାବପତ୍ର ପ୍ରସ୍ତୁତ କରିବା ସହ ବାତାନୁକୂଳ କରାଯିବ। ଲାଇବ୍ରେରି ପରିସରରେ ଲ୍ୟାଣ୍ଡ-ସ୍କେପିଂ କରାଯିବ।

ଲାଇବ୍ରେରିକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଧିକାଂଶ କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାରୁ ଏଠାରେ ପର୍ଯ୍ୟାପ୍ତ ପରିମାଣର ପ୍ରତିଯୋଗିତାମୂଳକ ପୁସ୍ତକ (କମ୍ପିଟିଟିଭି୍‌ ମାଗାଜିନ୍‌) ରଖାଯିବ। ସଂପୂର୍ଣ୍ଣ ଲାଇବ୍ରେରିକୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ପରିଚାଳନା କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମ ‘୫-ଟି’ ଉପକ୍ରମରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦ୍ବାରା କାର୍ଯ୍ୟକାରୀ କରାଯିବାକୁ ଯୋଜନା ହୋଇଛି। ଆଜି ୫-ଟି ସଚିବଙ୍କ ଗସ୍ତ ସମୟରେ ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ ବଲ୍‌ୱନ୍ତ ସିଂ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମା‌ନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର