କେନ୍ଦ୍ରାପଡା/ଚାନ୍ଦୋଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକଦା ଘନିଷ୍ଠ ସହଯୋଗୀ ହରମୋହନ ପତିଙ୍କର ଆଜି ପରଲୋକ ହୋଇଯାଇଛି। ଆଜି ଦିନ ୧୦ଟା ସମୟରେ ଶ୍ୱାସଜନିତ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଟଳି ପଡ଼ିଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। କିଛିଦିନ ତଳେ ହରମୋହନ ବାର୍ଦ୍ଧକ୍ୟନଜିତ କାରଣରୁ ଅସୁସ୍ଥ ହୋଇପଡ଼ିଥିଲେ। ଅତ୍ୟନ୍ତ ଦୁର୍ଦ୍ଦିନ ମଧ୍ୟଦେଇ ଗତି କରୁଥିବାରୁ ଚିକିତ୍ସିତ ହୋଇପାରୁନଥିଲେ। ଏ ସମ୍ପର୍କରେ ଖବର ପ୍ରକାଶ ପରେ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଥିଲେ। ନଭେମ୍ବର ୨୪ ତାରିଖ ଦିନ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଡିସେମ୍ବର ୩୦ ତାରିଖ ଦିନ ସେ ଘରକୁ ଫେରିଥିଲେ। କିଛିଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଜୀବନ ସହିତ ସଂଘର୍ଷ କରୁଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ପ୍ରମିଳା (୭୮) ଓ ଝିଅ ସ୍ୱର୍ଣ୍ଣଲତା, କବିତା, ମମତା, ସସ୍ମିତା ଓ ସୁଜାତା ଓ ନାତୁଣୀ ଉପସ୍ଥିତ ଥିଲେ।ସ୍ୱର୍ଗତଃ ହରମୋହନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନ୍ତରଙ୍ଗ ଥିଲେ। ବିଜୁବାବୁଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ। ଏହାପରେ ସେ ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ କରି ଦୁଇଥର ସରପଞ୍ଚ ହୋଇଥିଲେ। ୧୯୮୪ ମସିହାରେ କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଶେଷଥର ପାଇଁ ୨୦୦୨ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦକୁ ନିର୍ବାଚିତ ହୋଇଥିଲେ। ମାତ୍ର, ଏହାପରଠାରୁ ସେ ରାଜନୀତିରେ ପୂରା ଅଲୋଡ଼ା ହୋଇଯାଇଥିଲେ। ଦଳମତ ନିର୍ବିଶେଷରେ ବହୁ ରାଜନେତା ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କ ସିଙ୍ଗିରି ଗ୍ରାମସ୍ଥିତ ବାସଭବନରେ ପହଞ୍ଚ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ ହରମୋହନଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଅନ୍ତିମସଂସ୍କାର କରାଯାଇଥିଲା । ପୁତୁରା ଉମେଶ ଚନ୍ଦ୍ର ପତି ମୁଖାଗ୍ନି ଦେଇଥିଲେ।
ବିଜୁଙ୍କ ଘନିଷ୍ଠ ସହଯୋଗୀ ହରମୋହନଙ୍କ ପରଲୋକ
/sambad/media/post_attachments/wp-content/uploads/2018/01/KDP-Harmohan-Sir-Photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)