ଦୁର୍ଦ୍ଦିନରେ ବିଜୁଙ୍କ ଘନିଷ୍ଠ ହରମୋହନ

ଅସହାୟ ପରିବାରର ୬ ଜଣଙ୍କ ମାନସିକ ବିକୃତି !

କେନ୍ଦ୍ରାପଡ଼ା : ଘରେ ସେମିତି କାଠ ଚୌକିଟି ପଡ଼ିଛି। ଏହି ଚୌକିରେ ଦିନେ ବିଜୁ ବାବୁ ଆସି ତାଙ୍କ ଘରେ ବସୁଥିଲେ। ସ୍ୱାଭିମାନର କଥା କହୁଥିଲେ। ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ସ୍ୱାଭିମାନୀ ପୁରୁଷ କେନ୍ଦ୍ରାପଡ଼ା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ହରମୋହନ ପତି(୮୪) ଆଜି ପରିଣତ ବୟସରେ, ଘୋର ଦୁର୍ଦ୍ଦିନରେ କାଳ କାଟୁଛନ୍ତି ପତ୍ନୀ ପ୍ରମିଳା (୭୮)ଙ୍କ ସହ। ଯେଉଁ ବ୍ଲକ୍‌ ଶାସନର ଦିନେ ମେ ମୁଖିଆ ଥିଲେ ତାଙ୍କୁ ସେଠାରୁ ଭତ୍ତାଟିଏ ବି ମିଳିନାହିଁ। ଏଥିପାଇଁ ସେ ହାତ ପତାଇ ନାହାନ୍ତି। ଦୁଃଖ ଯେବେ ଆସେ ସାଙ୍ଗ ସାଥୀଙ୍କୁ ଆଣି ଆସିଥାଏ। ତାହା ହିଁ ଘଟିଛି ହରମୋହନଙ୍କ ଜୀବନରେ। ତାଙ୍କର ୫ ଝିଅ ଓ ଜଣେ କଲେଜ ପଢ଼ୁଆ ନାତୁଣୀ ମାନସିକ ଭାରସାମ୍ୟ ହରାଇ ଏବେ ଭିନ୍ନକ୍ଷମ। ଏହି ଅସହାୟ ପରିବାର ନିକଟରେ ନା ପହଞ୍ଚିଛିି ପ୍ରଶାସନ ନା ବିଜୁ ବାବୁଙ୍କ ତଥାକଥିତ ଦାୟାଦ ଓ ମାର୍ଗଦର୍ଶକମାନେ। ଏବେ ସେ ନିର୍ଜନ ଦ୍ୱୀପରେ ଯେମିତି ଭୋଗୁଛନ୍ତି ନିର୍ବାସନର ଦଣ୍ଡ।

ସ୍ୱାଧୀନୋତ୍ତର ଭାରତରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଦୀନବନ୍ଧୁଙ୍କ ପୁଅ ହରମୋହନ ବାବୁ ବାଲିଆରେ ମାଟ୍ରିକ୍‌ ପରେ ଡ୍ରାଫ୍ଟସମ୍ୟାନ୍‌ ତାଲିମ ନେଇ ସରକାରୀ ପ୍ରେସ୍‌ରେ ଚାକିରି ପାଇଥିଲେ। କିନ୍ତୁ ଗାଁ ମୋହ ତାଙ୍କୁ ଟାଣି ଆଣିଥିଲା। ଚାକିରି ଛାଡ଼ି ବାଲିଆ ମାଇନର ସ୍କୁଲରେ ପିଇଟି ଭାବେ ଯୋଗଦେଲେ। ଏତିକି ବେଳେ ବିଜୁ ବାବୁଙ୍କ ସଂସ୍ପର୍ଶରେ ଆସି ତତ୍‌କାଳୀନ କଂଗ୍ରେସ ବିଧାୟକ ସରୋଜ କାନ୍ତ କାନୁନ୍‌ଗୋଙ୍କୁ ବିରୋଧ କରି ବିଜୁଙ୍କ ସହାୟତାରେ ରାଜନୈତିକ ଜୀବନ ଆରମ୍ଭ କଲେ। ଅଣକଂଗ୍ରେସ ରାଜନୀତିର ମୂଳଦୁଆର ସେ ଥିଲେ ବିଜୁଙ୍କ ଅଗ୍ରଦୂତ।

ଦୁଇ ଥର ସରପଞ୍ଚ ଥିବା ଟାଣୁଆ ନେତା ଫକୀର ଚରଣ ସ୍ୱାଇଁଙ୍କୁ ପରାସ୍ତ କରି ଅବିଭକ୍ତ ଜମଧର ପଂଚାୟତର ସରପଂଚ ହେଲେ। ପରେ ୧୯୮୪ରେ ସେ ବ୍ଲକ୍‌ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ। ସେ ସମୟରେ ସେ ସରକାରୀ ସୁବିଧା ସୁଯୋଗକୁ ନ ହାତେଇ ବାଲିଆରୁ କେନ୍ଦ୍ରାପଡ଼ା ବ୍ଲକ୍‌କୁ ସାଇକଲରେ ଯାତାୟତ କରୁଥିଲେ। ନିଃସ୍ୱାର୍ଥପର ରାଜନୀତି ତାଙ୍କୁ କେବଳ ବିଜୁ ନୁହନ୍ତି ବରଂ ବିଜୁଙ୍କ ଅନୁଗତ ବେଦ ପ୍ରକାଶ ଅଗ୍ରଓ୍ଵାଲ, ନଳିନୀ ମହାନ୍ତି, ବିଜୟ ମହାପାତ୍ର, ଶ୍ରୀକାନ୍ତ ଜେନାଙ୍କ ଭଳି ଆଗ ଧାଡ଼ିର ନେତାଙ୍କ ପରାମର୍ଶଦାତା ଭାବେ ସମ୍ମାନ ଦେଇ ଆସିଥିଲା ବୋଲି ଲୋକେ କୁହନ୍ତି। ବେଦୁଙ୍କ ସମସାମୟିକ ଏହି ନେତା ଜିଲ୍ଲା ପରିଷଦରେ ତାଙ୍କ ପ୍ରତିନିଧିତ୍ୱ ମଧ୍ୟ କରିଥିଲେ। ବିଜେଡ଼ିର ପରବର୍ତ୍ତୀ ପିଢ଼ିର ନେତା ପୀର ମହାନ୍ତି, କାଳିଆ ନାହାକ, ମଧୁ ସୂଦନ ବଳ, ପଦ୍ମନାଭ ବଳ ପ୍ରମୁଖ ତାଙ୍କ ପଟ୍ଟଶିଷ୍ୟ ଥିଲେ। ତେବେ ବିଜୟ ନଳିନୀ ଅଲଗା ହେବା ପରଠାରୁ ସେ ମଧ୍ୟ ଦଳରେ ଅଲୋଡ଼ା ହୋଇଗଲେ। ୨୦୦୨ରେ ୬ ନଂ. ଜୋନ୍‌ରୁ ଧନୁତୀର ଚିହ୍ନରେ ସେ ସ୍ୱାଧୀନ ଭାବେ ଲଢ଼ି ପଟ୍ଟଶିଷ୍ୟ ପୀର ମହାନ୍ତିଙ୍କୁ ପରାସ୍ତ କରି ଜିଲ୍ଲା ପରିଷଦକୁ ନିର୍ବାଚିତ ହୋଇଥିଲେ। ତାଙ୍କ ପଟ୍ଟଶିଷ୍ୟ ବର୍ତମାନର ଭାଗବତପୁର ସରପଞ୍ଚ ଚିତ୍ତରଂଜନ ବେହେରା ମଧ୍ୟ ସରପଞ୍ଚ ଭାବେ ନିର୍ବାଚିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

କିନ୍ତୁ ୫ଝିଅଙ୍କୁ ନେଇ ତାଙ୍କ ସଂସାର କ୍ରମେ ଆର୍ଥିକ ଦୁର୍ଗତିରେ ଗତି କଲା। ବଡ଼ ଦୁଇ ଝିଅ ସ୍ୱର୍ଣ୍ଣଲତା ଓ କବିତାଙ୍କୁ ବାହା ଦେବା ପରେ ସେମାନଙ୍କ ଶାଶୂ ଘର ପରିବାରରେ ଝଡ଼ ସୃଷ୍ଟି ହେଲା। ଦୁହେଁ ଶାଶୂ ଘର ଛାଡ଼ି ହରମୋହନଙ୍କ ବେକରେ ବନ୍ଧା ହେଲେ। ଏଣେ ଅନ୍ୟ ତିନି ଝିଅ ମମତା, ସସ୍ମିତା ଓ ସୁଜାତାଙ୍କ ପଢ଼ା ଓ ଘର ଚଳାଇବା ବୋଝ ସମ୍ଭାଳିବା ସ୍ଥିତିରେ ନ ଥିଲେ। ୫ ଝିଅ ଜଣକ ପରେ ଜଣେ ମାନସିକ ଭାରସାମ୍ୟ ହରାଇ ବସିଲେ। ଖାଲି ସେତିକି ନୁହେଁ ବଡ଼ ଝିଅର ଝିଅ (କଲେଜ ପଢ଼ୁଆ ନାତୁଣୀ) ମଧ୍ୟ ମାନସିିକ ଭାରସାମ୍ୟ ହରାଇ ବସିଥିବା ଜଣାପଡ଼ିଛି। ଦୁର୍ଦ୍ଦିନରେ ଥିବା ଏହି ପରିବାରକୁ କେହି ସହଯୋଗର ହାତ ବଢ଼ାଇଲେ ନାହିଁ। ସରପଞ୍ଚ ଶ୍ରୀ ବେହେରା ଓ ସମିତି ସଭ୍ୟ ଖଗେଶ୍ୱର ସ୍ୱାଇଁ ତାଙ୍କ ଘରକୁ ଯାଇ ଦୋକାନ ବଜାର ସଉଦା ଦେବା ସାହାଯ୍ୟ କରୁଥିଲେ ହେଁ ଅନେକଙ୍କ ଚକ୍ଷୁଶୀଳ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର