ପରଲୋକରେ ହରପ୍ରସାଦ ମହାପାତ୍ର

ବାଲେଶ୍ବର : ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ ଆଇନ୍, ସ୍ବାସ୍ଥ୍ୟ ଓ ପଞ୍ଚାୟତିରାଜ ମନ୍ତ୍ରୀ ହରପ୍ରସାଦ ମହାପାତ୍ରଙ୍କର ଆଜି ଭୋର ସମୟରେ ଭୁବ‌ନେଶ୍ବର ଲୁଇସ୍‌ରୋଡ୍‌ସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୯୯ ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇପୁଅ ଡ.ପ୍ରଶାନ୍ତ କୁମାର ମହାପାତ୍ର, ଆଇନଜୀବୀ ଦେବୀପ୍ରସାଦ ମହାପାତ୍ର, ବୋହୂ ବିଦ୍ୟୁତ୍‌ପ୍ରଭା ଶତପଥୀ, ତୃପ୍ତି ମହାପାତ୍ର, ଝିଅ ପ୍ରମିଳା ଦାସ, ପ୍ରୀତିଲତା କର, ସଂଯୁକ୍ତା ପଣ୍ଡା, ଜ୍ବାଇଁ ପୂର୍ବତନ ଜଜ୍‌ ରତ୍ନାକର ଦାସ, ସତ୍ୟନାରାୟଣ କର, ସୁଧାଂଶୁ ଶେଖର ପଣ୍ଡା ଓ ନାତିନାତୁଣୀ ଉପସ୍ଥିତ ଥିଲେ।

ଶ୍ରୀ ମହାପାତ୍ର ବାଲେଶ୍ବର ସହଦେବଖୁଣ୍ଟାସ୍ଥିତ ନିଜ ସାନପୁଅ ଘରେ ରହୁଥିବାବେଳେ କିଛି ମାସ ତଳେ ଭୁବନେଶ୍ବରସ୍ଥିତ ବଡ଼ପୁଅ ଘରକୁ ଯାଇଥିଲେ। ତାଙ୍କ ପରଲୋକରେ ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ଭୋଗରାଇ ବିଧାୟକ ଅନନ୍ତ ଦାସ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ସୋର ବିଧାୟକ ପର୍ଶୁରାମ ଧଡ଼ା, ବାଲେଶ୍ବର ବିଧାୟକ ମଦନମୋହନ ଦତ୍ତ, ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଅରୁଣ ଦେ, କଂଗ୍ରେସର ବାଲେଶ୍ବର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ପାଖର ଗ୍ରାମର ସ୍ବର୍ଗତ ରାଜକିଶୋର ମହାପାତ୍ର ଓ ମାତା ସରୋଜିନୀ ଦେବୀଙ୍କ ପୁଅ ହେଉଛନ୍ତି ହରପ୍ରସାଦ। ୧୯୨୩ ମସିହାରେ ହରପ୍ରସାଦଙ୍କ ଜନ୍ମ। ତାଙ୍କର ବହୁ ଲେଖା ବିଭିନ୍ନ ଓଡ଼ିଆ ଓ ଇଂରାଜୀ ପତ୍ରପତ୍ରିକାରେ ପ୍ରକାଶ ପାଇଛି। ୧୯୬୪ରେ ସେ ଶ୍ରମ ସଙ୍ଗଠନ ଗଢିବା ସହିତ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କସ ୟୁନିୟନ୍‌ର ସାଧାରଣ ସଂପାଦକ ରହିଥିଲେ। ସେହିପରି ୧୯୭୧-୭୪ ପର୍ଯ୍ୟନ୍ତ ଦୈନିକ ‘ସ୍ବରାଜ୍ୟ’ ଖବରକାଗଜର ସଂପାଦକ ରହିଥିଲେ। ୧୯୬୭ ମସିହାରେ ସେ ପ୍ରଥମେ ସିପିଆଇ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ସୋର ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାୟକ ହୋଇଥିଲେ। ୧୯୬୭-୭୧ ପର୍ଯ୍ୟନ୍ତ ସେ ଓଡ଼ିଶାର ଆଇନ୍‌ ମନ୍ତ୍ରୀ ଥିବାବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶରେ ଓଡ଼ିଶା ହାଇକୋର୍ଟର ସ୍ତମ୍ଭ ନିର୍ମାଣ କରିଥିଲେ। ସେହିପରି କ୍ୟାବିନେଟ୍‌ ମନ୍ତ୍ରୀ ଥିବା ସମୟରେ ସ୍ବାସ୍ଥ୍ୟ, ଜଙ୍ଗଲ, ସହରାଞ୍ଚଳ ବିକାଶ, ପଞ୍ଚାୟତରାଜ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ସମ୍ଭାଳିଥିଲେ। ଓକିଲାତି ହେଉ କି ରାଜନୀତି, ସବୁଥିରେ ପାରଙ୍ଗମ ଥିଲେ ହରପ୍ରସାଦ। ଦେଶ ବାହାରେ ମଧ୍ୟ ଚର୍ଚ୍ଚିତ ଥିଲେ ସେ। ଅନ୍ତଃରାଷ୍ଟ୍ରୀୟ ପତ୍ରିକା ‘ଇଣ୍ଡିଆ ହୁ ଇଜ୍ ହୁ’ରେ ତାଙ୍କର ନାମ ପ୍ରକାଶ ହୋଇଥିଲା।

ତାଙ୍କ ପରଲୋକରେ ବାଲେଶ୍ବର ଜିଲ୍ଲା ସହିତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। କରୋନା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିପାରିନଥିବାବେଳେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।

ସମ୍ବନ୍ଧିତ ଖବର