ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର : ପ୍ରେମ ଓ ବିଦ୍ରୋହ ଏବଂ ଶୃଙ୍ଗାର ଓ ସନ୍ନ୍ୟାସର କବି ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଆଉ ନାହାନ୍ତି। ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ସେ ବୁଧବାର ଅପରାହ୍‌ଣରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୮ ବର୍ଷ ହୋଇଥିଲା। ମୃତ୍ୟୁ ସମୟରେ ତାଙ୍କ ନିକଟରେ ପତ୍ନୀ ଅଧ୍ୟାପିକା ଜ୍ୟୋତ୍ସ୍ନା ମଞ୍ଜରୀ ପଟ୍ଟନାୟକ, ଦୁଇ ପୁତ୍ର ଶ୍ବେତପଦ୍ମ ପଟ୍ଟନାୟକ ଏବଂ ଶ୍ବେତସ୍ବପ୍ନ ପଟ୍ଟନାୟକ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ବିଶିଷ୍ଟ କବି ହରପ୍ରସାଦ ଶେଷ ପର୍ଯ୍ୟନ୍ତ ଦୈନିକ ସମ୍ବାଦପତ୍ର ‘ସର୍ବସାଧାରଣ’ର ସମ୍ପାଦକ ଥିବାବେଳେ ପୂର୍ବରୁ ଦୁଇ ଦୁଇ ଥର ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳସଚିବ ଏବଂ ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ-ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସେ ମଧ୍ୟ ଦୀର୍ଘ କାଳ ଧରି ସମ୍ବାଦ ଗ୍ରୁପ୍‌ର ଇଂରାଜୀ ଦୈନିକ ସମ୍ବାଦପତ୍ର ‘ସନ୍‌ଟାଇମ୍ସ’ର ସଂପାଦନା ବିଭାଗର ଉପଦେଷ୍ଟା ଥିଲେ।

ଇଂରାଜୀ ଭାଷା ସାହିତ୍ୟର ପ୍ରାଧ୍ୟାପକ ଏବଂ ପ୍ରବୀଣ ଅନୁବାଦକ-ସମାଲୋଚକ ହରପ୍ରସାଦଙ୍କ ଜନ୍ମ ୧୯ ଅକ୍ଟୋବର ୧୯୫୩ରେ ଗଞ୍ଜାମ ଜିଲ୍ଲାର ବିକ୍ରମପୁର ଗାଁରେ ହୋଇଥିଲା। ୧୯୭୫ରୁ ଇଂରାଜୀ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରି ସେ ସୁନ୍ଦରଗଡ଼ ସରକାରୀ ମହିବିଦ୍ୟାଳୟ ଓ ବିଜେବି କଲେଜ ସମେତ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ‌େର ଶିକ୍ଷାଦାନ କରିଥିଲେ। ସେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଲେଖାଲେଖି କରୁଥିଲେ। ତାଙ୍କ ଓଡ଼ିଆ କବିତା ସଙ୍କଳନ ମଧ୍ୟରେ ରହିଛି ‘ଏକା ଏକା ସନ୍ନ୍ୟାସୀ’, ‘ଅଥୟ ସୂର୍ଯ୍ୟ’, ‘ଆୟୁଷ୍ମାନ୍ ସମୟ’, ‘ସବୁ ଅନ୍ଧାର ଆଜି ରାତିରେ’, ‘ଜୀବନଜଂଘା’, ‘ଅରଣ୍ୟରେ ଯେତେଦିନ’ ଏବଂ ‘ନଷ୍ଟ ହୋଇଯିବାର ମୋହ’ ଇତ୍ୟାଦି। ତାଙ୍କ ଦ୍ବାରା ଅନୁଦିତ ପୁସ୍ତକ ହେଉଛି ‘ନିରବତାର ସ୍ବର୍ଗ’, ‘ସୂର୍ଯ୍ୟତୃଷ୍ଣା’, ‘ସୋଲ୍‌ଜର ଇନ୍ ଏକ୍‌ଜାଇଲ୍‌’ ଏବଂ ‘ହକ୍ ଏଣ୍ଡ ଅଦର ଷ୍ଟୋରିଜ୍’ ଇତ୍ୟାଦି। ତାଙ୍କର ଅନ୍ୟ ପ୍ରକାଶିତ ପୁସ୍ତକ ହେଲା ‘ସଙ୍ଗ୍‌ସ ଅଫ୍ କାହ୍ନା’, ‘କୋରାଲ୍ସ ଅଫ୍ ଟାଇମ୍’ ଏବଂ ‘ସରୋ ଅଫ୍ କସ୍‌ମସ୍’।

ସେ ଇଂରାଜୀ ପତ୍ରିକା ‘ପ୍ରୋବିଟାସ୍’ ଓ ‘ଭର୍ଟେକ୍ସ’ ଏବଂ ସାହିତ୍ୟ ପତ୍ରିକା ‘ଆବର୍ତ୍ତ’ର ସଂପାଦନା କରୁଥିଲେ। ତାଙ୍କ ରଚିତ କବିତା ‘ଦୁଲ୍‌ ମିଆଁ ପ୍ରତି କୁକୁଡ଼ାର ଉକ୍ତି’ ଖୁବ୍ ଚର୍ଚ୍ଚିତ ହୋଇଥିଲା। ମାନବିକ ସମ୍ବେଦନଶୀଳତା ଏବଂ ଗଭୀର ଜୀବନବୋଧ ତାଙ୍କର ପ୍ରତ୍ୟେକ କବିତା‌ରେ ପ୍ରତିଫଳିତ ହୋଇଥାଏ। କବିତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ଉତ୍କଳ ସାହିତ୍ୟ ସମାଜର ଗଙ୍ଗାଧର ମେହେର କବିତା ସମ୍ମାନ ଏବଂ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର ଆଦି ଅନେକ ପୁରସ୍କାର ଲାଭ କରିଥିଲେ। ତାଙ୍କ ବି‌ୟୋଗରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ବିଶିଷ୍ଟ କବି ରମାକାନ୍ତ ରଥ, ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ ଓ ଉପସଭାପତି ସଂଗ୍ରାମ ଜେନା, ବିଶିଷ୍ଟ କଥାକାର ଗୌରହରି ଦାସ, ବିଜୟାନନ୍ଦ ସିଂହ, ଅସିତ ମହାନ୍ତି, ଗୋବିନ୍ଦ ଭୂୟାଁ, କବି ପ୍ରସନ୍ନ କୁମାର ମହାନ୍ତି, ସୂର୍ଯ୍ୟ ମିଶ୍ର, ଶଶିଭୂଷଣ ରଥ ଏବଂ କେଏମ୍‌ବିବି ଶିକ୍ଷାନୁଷ୍ଠାନ ସମୂହର ନିର୍ଦ୍ଦେଶକ ସ‌ରୋଜ କୁମାର ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର