କେନ୍ଦୁଝର: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ବୃଦ୍ଧାଙ୍କୁ ଡାହାଣୀ ଆଖ୍ୟାଦେଲେ। ପଡ଼ୋଶୀଙ୍କ ମୃତ୍ୟୁ ପାଇଁ ଦାୟୀ କରି ଅପବାଦ ଲଦିଲେ। ବୃଦ୍ଧାଙ୍କ ପରିବାର ଲୋକଙ୍କୁ ମଧ୍ୟ ଶାରୀରିକ ଓ ମାନସିକ ନିର୍ଯାତନା ଦେବାକୁ ପଛାଇଲେ ନାହିଁ। କେବଳ ସେତିକି ନୁହେଁ, ସଂପୃକ୍ତ ବୃଦ୍ଧାଙ୍କ ସ୍ବାମୀକୁ ଦରମରା କରି ଫିଙ୍ଗିଲେ। ଏବେ ଜୀବନ ବଞ୍ଚାଇବାକୁ ନିର୍ଯାତିତ ଏହି ପରିବାର ପର ଗାଁରେ ଆଶ୍ରିତ। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‌ ରୁଗୁଡ଼ିସାହିର ଏହି ସମ୍ବେଦନଶୀଳ ଘଟଣା ଏବେକାର ସଭ୍ୟ ସମାଜକୁ ଆଙ୍ଗୁଳି ଉଠାଉଛି। ଆଦିବାସୀ ସଂପ୍ରଦାୟର ଗହ୍ମା ମୁଣ୍ଡାଙ୍କ ପରିବାରକୁ ଏଯାଏ କେହି ନ୍ୟାୟ ଦେଇପାରିନାହାନ୍ତି। ଓଲଟା ଟାହିଟାପରା ସହି ନପାରି ଗାଁରେ ରହିଯାଇଥିବା ପୁଅ ଜୀବନ ହାରିଲା। ଏବଂ ପୁଅ ମୃତ୍ୟୁର ତିନିମାସ ପରେ ଯାଇ ଶୁଦ୍ଧିକ୍ରିୟା କରାଗଲା। ଝୁମ୍ପୁରା ବ୍ଲକ୍‌ ମଲଦା ପଞ୍ଚାୟତର ରୁଗୁଡ଼ିସାହିରେ ଆଦିବାସୀ ସଂପ୍ରଦାୟର ଲୋକେ ବାସ କରନ୍ତି। ଏହି ଗାଁର ଗହ୍ମା ମୁଣ୍ଡାଙ୍କ ପଡ଼ିଶା ଘରେ ରହୁଥିବା ଜଣେ ବୃଦ୍ଧା ଜ୍ବରରେ ପୀଡ଼ିତ ହୋଇଥିଲେ। ପରିବାର ଲୋକେ ବୃଦ୍ଧାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ପୂଜାପାଠ କଲେ। ପୂଜାପାଠ ଓ ଝଡ଼ାଫୁଙ୍କାରେ ସୁସ୍ଥ ହେବା ପରିବର୍ତ୍ତେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଗହ୍ମାଙ୍କ ପରିବାର ଉପରେ ଆରମ୍ଭ ହୋଇଗଲା ଅକଥନୀୟ ନିର୍ଯାତନା। ଗହ୍ମାଙ୍କ ପତ୍ନୀ ସୁନାମଣିଙ୍କୁ ଦିଆଗଲା ଡାହାଣୀ ଅପବାଦ। ସେ ହିଁ ଡାହାଣୀ ସାଜି ମାରିଛନ୍ତି ବୋଲି ପଡ଼ୋଶୀ ଅଭିଯୋଗ କଲେ। ସୁନାମଣିଙ୍କ ସ୍ବାମୀ ଗହ୍ମାଙ୍କୁ ନିସ୍ତୁକ ମାଡ଼ ମରାଗଲା। ସେ ମରିଯାଇଛନ୍ତି ଭାବି ତାଙ୍କୁ ନେଇ ନଦୀ କୂଳ‌ରେ ଫିଙ୍ଗିଦେଲେ। ହେଲେ ସୌଭାଗ୍ୟକୁ ଗହ୍ମାଙ୍କ ଜୀବନ ବଞ୍ଚିଗଲା। ଏହାପରେ ଭୟରେ ପରିବାର ଗାଁ ଛାଡ଼ିଲେ। ୬ ମାସ ହେବ ବାଂଶପାଳ ବ୍ଲକ୍‌ ଫୁଲଝର ଗାଁରେ ନିଜ ଝିଅଘରେ ଆଶ୍ରୟ ନେଇଛନ୍ତି ଗହ୍ମା, ପତ୍ନୀ ସୁନାମଣି ଓ ତିନି ପୁଅଝିଅ।

Advertisment

ନିର୍ଯାତନା ଅସହ୍ୟ ହେବାରୁ ପରିବାର ଲୋକେ ଗାଁ ଛାଡ଼ିବା ବେଳେ ବଡ଼ପୁଅ ରଇତୁ ମୁଣ୍ଡା କିନ୍ତୁ ଗାଁରେ ରହିବାକୁ ଜିଦ୍‌ କରିଥିଲେ। ତେଣୁ ତାଙ୍କୁ ଗାଁରେ ରହିବାକୁ ଦିଆଗଲା। ହେଲେ ଟାହିଟାପରା ଓ ମାନସିକ ନିର୍ଯାତନା ସହି ନପାରି ସେ ତିନିମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ଖବର ପାଇ ଗହ୍ମା ଓ ସୁନାମଣି ଝିଅଘର ଗାଁର କିଛି ଯୁବକଙ୍କ ସହାୟତାରେ ପୁଅର ଶବ ସତ୍କାର କରିଥିଲେ। କିନ୍ତୁ ଶୁଦ୍ଧିକ୍ରିୟା କରିପାରି ନଥିଲେ। ପୁଅ ମୃତ୍ୟୁର ତିନିମାସ ପରେ କିଛିଦିନ ପୂର୍ବରୁ ଝିଅଘରେ ଶୁଦ୍ଧିକ୍ରିୟା କରିଛନ୍ତି ଗହ୍ମା ଓ ସୁନାମଣି। ଗାଁ ଛାଡ଼ିବା ପ‌ରେ ତିନି ପୁଅଝିଅଙ୍କ ପାଠପଢ଼ାରେ ମଧ୍ୟ ଡୋରି ବନ୍ଧା ହୋଇଛି। ପୁଲିସରେ ଅଭିଯୋଗ କରିବାକୁ କହିଲେ ଡରୁଛନ୍ତି ଗହ୍ମା। ତାଙ୍କ କହିବା ହେଲା, ପରିସ୍ଥିତି ଶାନ୍ତ ପଡ଼ିଲେ ସେ ପରିବାର ଧରି ନିଜ ଗାଁକୁ ଫେରିଯିବେ। ତେଣୁ ପୁଲିସରେ ଅଭିଯୋଗ କରିବା ଅପେକ୍ଷା ଆପୋସ ବୁଝାମଣା ଭଲ ବୋଲି ସେ କହିଛନ୍ତି। ପୁଲିସରେ ଅଭିଯୋଗ କଲେ ପଡ଼ୋଶୀ ଅଧିକ ରାଗିବେ। ପରିବାର ଉପରେ ଦାଉ ସାଧିବେ ବୋଲି ଗହ୍ମା ଭୟାତୁର କଣ୍ଠରେ କହିଛନ୍ତି।