ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଉପାଧ୍ୟକ୍ଷ ସରୋଜ ବଳ ଓ ଏକ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକଙ୍କ ବିରୋଧରେ ଚାନ୍ଦବାଲି ଥାନାରେ ଏତଲା ଦେଇଛନ୍ତି ବିଡିଓ ।
ଚାନ୍ଦବାଲି ବ୍ଲକର କିଛି ଉନ୍ନୟନମୂଳକ କାମକୁ ନେଇ ଗତକାଲି ବିଡିଓ ଜ୍ୟୋତିବିକାଶ ଦାସ ଓ ବ୍ଲକ ଉପାଧ୍ୟକ୍ଷ ସରୋଜ ବଳଙ୍କ ମଧ୍ୟ୍ୟରେ ବଚସା ହୋଇଥିଲା। ଆଜି ପୂର୍ବାହ୍ନ ୧୧ଟା ସମୟରେ ବିଡିଓ ଶ୍ରୀ ଦାସ ଚାନ୍ଦବାଲି ଥାନାରେ ଉପାଧ୍ୟକ୍ଷ ଶ୍ରୀ ବଳ ଓ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନାୟକ ସମେତ ଅନ୍ୟ ୩ ଜଣଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୋଗ ଗ୍ରହଣ କରି କେଶ ନମ୍ବର ୧୯୧/୨୩ ମୂଳେ ମାମଲା ରୁଜୁ କରି ବ୍ଲକରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଉପାଧ୍ୟକ୍ଷ ଏହି ଘଟଣାରେ ପାଲଟା ଅଭିଯୋଗ କରି ନ ଥିବା ବେଳେ ପୁଲିସର ନିରପେକ୍ଷ ତଦନ୍ତକୁ ସ୍ୱାଗତ କରିଛନ୍ତି। ଅଭିଯୋଗ ସମ୍ପର୍କରେ ଚାନ୍ଦବାଲି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ତଦନ୍ତ ଚାଲିଛି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।