କୋକସରା/ଗୋଲାମୁଣ୍ଡା : ଜଣେ ଦାଦନ ସର୍ଦ୍ଦାର ୩୦ଜଣ ଶ୍ରମିକଙ୍କୁ ଅଟକ ରଖି ନିର୍ଯାତନା ଦେଉଥିଲେ। କୌଣସି ସୂତ୍ରରୁ ଖବର ପାଇ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିଛି। କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଳକ୍ ଅନ୍ତର୍ଗତ ତୁମୁରା ଗ୍ରାମରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି।
ଏହି ଦାଦନ ଶ୍ରମିକଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ମହିମା ପଞ୍ଚାୟତର ଘଣ୍ଟିଗୁଡ଼ା ଗ୍ରାମରେ। ନୂଆପଡ଼ା ଜିଲ୍ଲା ହାତୀବନ୍ଧା ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାର ଏହି ଗାଁର ୩୦ ଜଣ ଦାଦନ ଶ୍ରମିକଙ୍କୁ ଶନିବାର ରାତିରେ ନେଇ ନିଜ ଘରେ ରଖିଥିଲେ। ସମସ୍ତଙ୍କୁ ହାଇଦ୍ରାବାଦର ଇଟାଭାଟିକୁ କାମ କରିବାକୁ ପଠାଇଥା’ନ୍ତେ। ସୂଚନା ଅନୁସାରେ, ଆଣିଲା ବେଳେ ସର୍ଦ୍ଦାର ଜଣକ ଶ୍ରମିକ ପିଛା ୩୫ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ, ଘରକୁ ଆଣିବା ପରେ ମନା କରିଦେବାରୁ ଶ୍ରମିକମାନେ କାମ କରିଯିବାକୁ ଅରାଜି ହୋଇଥିଲେ। ଫଳରେ, ସେମାନଙ୍କୁ ତୁମୁରାଠାରେ ଅଟକ ରଖିବା ସହ ନିର୍ଯାତନା ଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ପରେ କିଛି ଶ୍ରମିକ ଧାନମଣ୍ଡି ପଟକୁ ଚାଲିଆସି ଲୁଚି ରହିଥିଲେ।
ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶ୍ରମିକଙ୍କ ସହ କଥା ହେବାପରେ ସମସ୍ତ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ସେ ଶ୍ରୀ ମହାନନ୍ଦ ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୂଷଣ, ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସହ ଘଟଣା ସମ୍ପର୍କରେ କଥା ହୋଇ ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ନିଜ ଗଁାକୁ ପଠାଇ ଦେଇଥିବା ଜଣାପଡ଼ିଛି।