ଭୁବନେଶ୍ବର: ଆଜି ଦିଲ୍ଲୀରୁ ଭୁବନେଶ୍ବର ଆସିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୨୪୮୯ରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ବିମାନରେ ଥିବା ୧୮୦ଜଣ ଯାତ୍ରୀ ହଟହଟା ହୋଇଛନ୍ତି। ବିମାନରେ ଆସୁଥିବା ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ବିମାନଟି ଦିଲ୍ଲୀରୁ ଅପରାହ୍ନ ୫ଟା ୪୫ରେ ଛାଡ଼ିବାକୁ ଥିବାରୁ ସେମାନେ ଅପରାହ୍ନ ୪ଟାରେ ଚେକ୍ ଇନ୍ କରିଥିଲେ। ହେଲେ ଅପରାହ୍ନ ସାଢ଼େ ୫ଟା ପାଖାପାଖି ଘୋଷଣା କରାଗଲା ଯେ ବିମାନ ବିଳମ୍ବରେ ଆସିବ। ବିମାନଟି ପ୍ରାୟ ତିନି ଘଣ୍ଟା ବିଳମ୍ବରେ ଆସିଥିବାବେଳେ ଯାତ୍ରୀମାନେ ବୋର୍ଡିଂ କରିଥିଲେ। ହେଲେ ବିମାନରେ ବସିବା ପରେ ବିମାନ ରନ୍ୱେକୁ ନଯିବାରୁ ଯାତ୍ରୀମାନେ ବ୍ୟସ୍ତ ହୋଇ ଏୟାର ହୋଷ୍ଟେସ୍ଙ୍କୁ ଏହାର କାରଣ ପଚାରିଥିଲେ। କିନ୍ତୁ କିଛି ଉତ୍ତର ପାଇନଥିଲେ। ବିମାନରେ ଆସୁଥିବା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ବି ବ୍ୟସ୍ତ ହୋଇ କର୍ମଚାରୀଙ୍କୁ ଏନେଇ ପଚାରିବାରୁ ଜାଣିବାକୁ ମିଳିଥିଲା ଯେ ବିମାନର ପାଇଲଟ୍ ଆସିନଥିବାରୁ ବିମାନ ଉଡ଼ାଣ କରିପାରୁନି। ଏହିପରି ପ୍ରାୟ ଅଢ଼େଇ ଘଣ୍ଟା କାଳ ଯାତ୍ରୀଙ୍କୁ ବିମାନ ଭିତରେ ବସାଇ ରଖାଯାଇଥିଲା। କିଛି ଅଘଟଣ ଘଟିବା ଆଶଙ୍କା କରି ଯାତ୍ରୀମାନେ ବାହାରକୁ ଯିବାକୁ ଚାହିଁଥିଲେ ବି କର୍ମଚାରୀମାନେ ବାହାରକୁ ଛାଡ଼ି ନଥିଲେ। ଏପରିକି ଜଣେ କୁନି ପିଲାର ସ୍ବାସ୍ଥ୍ୟ ବିଗିଡ଼ିବାରୁ କର୍ମଚାରୀମାନେ ସିଡ଼ି ମାଧ୍ୟମରେ ତାଙ୍କ ପରିବାରକୁ ବାହାରକୁ ଛାଡ଼ିଥିଲେ। ଏହାପରେ ସମସ୍ତ ଯାତ୍ରୀ ହୋହଲ୍ଲା କରିବାରୁ କର୍ମଚାରୀମାନେ କହିଥିଲେ ଯେ ବିମାନର ଯାନ୍ତ୍ରିକ ତ୍ରୁଟି ଥିବାରୁ ଏବେ ଉଡ଼ାଣ ସମ୍ଭବ ନୁହେଁ। ସମସ୍ତ ଯାତ୍ରୀଙ୍କୁ ଆଉ ଏକ ବିମାନରେ ଭୁବନେଶ୍ବର ପଠାଯିବ କହି ଓହ୍ଲାଇ ଦିଆଯାଇଥିଲା। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଭୁବନେଶ୍ବର ପଠାଇବା କି ହୋଟେଲରେ ରହିବା ନେଇ ବ୍ୟବସ୍ଥା କରାଯାଇନଥିବାରୁ ଯାତ୍ରୀମାନେ ବିମାନବନ୍ଦର ପରିସରରେ ହୋହଲ୍ଲା କରିଥିଲେ। ଅଧ ରାତି ପର୍ଯ୍ୟନ୍ତ ଯାତ୍ରୀଙ୍କୁ କିଛି ସୂଚନା ଦିଆଯାଇ ନଥିଲା। ଏହି ବିମାନରେ ଆସୁଥିବା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ ଏ ନେଇ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଜଣାଇଛନ୍ତି। କୌଣସି ପରିସ୍ଥିତିରେ ବି ଯାତ୍ରୀଙ୍କୁ ଏତେ ସମୟ ବିମାନରେ ବସାଇ ହଇରାଣ କରିବା କଥା ନୁହେଁ। ମୁଁ କ୍ୟାବିନେଟ୍ ବୈଠକରେ ଏହି ପ୍ରସଙ୍ଗ ଉଠାଇବି।
ଏୟାର ଇଣ୍ଡିଆ ବିମାନରେ ଯାତ୍ରୀ ହଟହଟା
ଆଜି ଦିଲ୍ଲୀରୁ ଭୁବନେଶ୍ବର ଆସିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୨୪୮୯ରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ବିମାନରେ ଥିବା ୧୮୦ଜଣ ଯାତ୍ରୀ ହଟହଟା ହୋଇଛନ୍ତି। ବିମାନରେ ଆସୁଥିବା ଜଣେ ଯାତ୍ରୀଙ୍କ...
/sambad/media/media_files/2025/06/18/vbjhgfrtyu-70fb468e.jpg)