କଟକ : ରାଜ୍ୟରେ ବାଜିରେ ଲାଗିଛି ମହିଳା ଓ ଶିଶୁଙ୍କ ଇଜ୍ଜତ । ଅନ୍ତରଂଗ ମୁହୂର୍ତ୍ତର ଭିଡିଓ ସୋସିଆଲ୍ ମିିଡିଆରେ ଭାଇରାଲ୍ ହେଉଛି । କିନ୍ତୁ ରୁଜୁ ହେଉଥିବା ମାମଲା ଅନୁପାତରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ବିଭାଗ ଆଣ୍ଠେଇ ପଡ଼ିଛି । ଗତ ଚାରି ବର୍ଷ ମଧ୍ୟରେ ୧୮୫ଟି ମାମଲା ରୁଜୁ ହୋଇଥିଲା। କିନ୍ତୁ ପୁଲିସ ମାତ୍ର ୧୨୬ ଜଣଙ୍କୁ ଗିରଫ କରିଛି । ଅବଶିଷ୍ଟ ୫୯ଟି ମାମଲାରେ ପୁଲିସ ଭିଡିଓ ଭାଇରାଲ୍ କରିଥିବା ଅଭିଯୁକ୍ତ ପତ୍ତା ପାଉନାହିଁ । ଫଳରେ ଏକାଧିକ ଆପତ୍ତିଜନକ ଓ୍ଵବ୍ସାଇଟ୍ ଏବଂ ସୋସିଆଲ୍ ମିଡିଆରେ ସମ୍ପୃକ୍ତ ମହିଳା ଏବଂ ଶିଶୁଙ୍କ ଭିଡିିଓ ଏବେବି ବଜାରରେ ଘୁରି ବୁଲୁଥିବା କୁହାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ରାଜ୍ୟରେ ଘଟିଥିବା ଅଶ୍ଳୀଳ ଭିଡିଓ ଭାଇରାଲ୍ ଅଭିଯୋଗ ଗୁଡ଼ିକ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଆଇନ, ୨୦୦୦ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏ ପ୍ରକାର ମାମଲାଗୁଡ଼ିକ ଇନ୍ସ୍ପେକ୍ଟର କିମ୍ବା ଉପର ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବ ବୋଲି ପୁଲିସ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଗତ ଚାରି ବର୍ଷର ରିପୋର୍ଟରୁ ଭାଇରାଲ୍ ଭିଡିଓ ମାମଲା ଥାନାରେ ବଢି ଚାଲିଥିବା ଜଣାପଡ଼ିଛି । ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ରିପୋର୍ଟରେ ଦର୍ଶଯାଇଛି କି, ୨୦୧୪ ବର୍ଷରେ ଅଶ୍ଳୀଳ ଭିଡିଓ ଭାଇରାଲ୍ ଘଟଣାରେ ସମ୍ପୃକ୍ତ ୧୦ ଟି ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ସେହିପରି ୨୦୧୫ ବର୍ଷରେ ୪୨ଟି ମାମଲା ରୁଜୁ ହୋଇଥିଲା । ଏଥିରେ ୨୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ୨୦୧୬ ବର୍ଷରେ ୪୦ଟି ମାମଲା ରୁୁଜୁ କରାଯାଇଥିଲା । ୩୨ ଜଣଙ୍କୁ ପୁଲିସ ଗିରଫ କରିଥିଲା ।
ଚଳିତ ବର୍ଷ ୨୦୧୭ ସେପ୍ଟେମ୍ବର ୩୦ ସୁଦ୍ଧା ୯୩ଟି ମାମଲା ରୁୁଜୁ କରାଯାଇଥିଲା । ରୁଜୁ ହୋଇଥିବା ମାମଲା ମଧ୍ୟରୁ ୬୨ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିିଥିଲା। ଏହି ରିପୋର୍ଟରୁ ଅଭିଯୁକ୍ତଙ୍କୁ ଗିରଫଦାରୀ କ୍ଷେତ୍ରରେ ଗ୍ରାମାଞ୍ଚଳରେ ଥିବା ଥାନା ସ୍ତରରେ ପୁଲିସ ଅଧିକ କ୍ରିୟାଶୀଳ ନହେବା ଏବଂ ଅତ୍ୟାଧୁନିକ ଯନ୍ତ୍ରାଂଶରେ ଅଭ୍ୟସ୍ତ ନଥିବା କୁହାଯାଉଛି । ଏଭଳି ମାମଲା ସାଇବର୍ କ୍ରାଇମ୍ ଅନ୍ତର୍ଭୁକ୍ତ ହେଉଥିବା ବେଳେ କମ୍ପ୍ୟୁଟର୍ ଏବଂ ଇଣ୍ଟର୍ନେଟ୍ ବ୍ୟବହାର ସମ୍ପର୍କରେ ଅଧିକାଂଶ ଥାନା ପୁଲିସ ଅବଗତ ନଥିବା କୁହାଯାଉଛି । ପୂର୍ବ ତିନ ବର୍ଷ ତୂଳନାରେ ୨୦୧୭ରେ ବର୍ଷ ନପୁରୁଣୁ ୯୩ ମାମଲା ରୁଜୁ ହେବା ଘଟଣା ସବୁ ରେକର୍ଡ ଭାଙ୍ଗି ଦେଇଛି । ଏଥିରେ ପୁଲିସ ବିଭାଗ ପାଇଁ ଚିନ୍ତା ବଢ଼ାଇ ଦେଇଛି ।
ଅନ୍ୟପଟେ ଚଳିତ ବର୍ଷ ନଭେମ୍ବର ମାସରେ ରାଜ୍ୟରେ ଲଗାତର ଅଶ୍ଳୀଳ ଭିଡିଓ ଭାଇରାଲ୍ ସମ୍ପର୍କିତ ଖବର ସାମ୍ନାକୁ ଆସିବା ପରେ ପୁଲିସ ଡିଜି ଡାକ୍ତର ଆର୍.ପି. ଶର୍ମା ନଭେମ୍ବର ୨୧ ତାରିଖରେ ଜିଲ୍ଲା ଏସ୍ପି, କମିସନରେଟ୍ ପୁଲିସର ଡିସିପି ଏବଂ କଟକ ଓ ରାଉରକେଲା ରେଳବାଇ ଏସ୍ପିଙ୍କ ପାଇଁ ପରାମର୍ଶବଳୀ ଜାରି କରିଥିଲେ । ଏହାସହିତ ଶିକ୍ଷାନୁଷ୍ଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବାକୁ ଏଥିରେ ପରାମର୍ଶ ଦିଆଯାଇଥିଲା। ସେହିପରି ବିଭିନ୍ନ ଗଣମାଧ୍ୟମରେ ଏଭଳି ଆପତ୍ତିିଜନକ ଭିଡିଓ କିମ୍ବା ଫଟୋ ପ୍ରକାଶ ନକରିବାକୁ ପୁଲିସ ଡିଜି ପରାମର୍ଶବଳୀରେ ଦର୍ଶାଇଥିବା ସୂଚନା ମିଳିଛି।