ଚୌଦ୍ବାର : ଯାଜପୁରରୁ ଛତିଶଗଡ଼ ରାୟପୁରକୁ ଚାଲାଣ ହେଉଥିବା ହାର୍ଡକୋକ୍ କଞ୍ଚାମାଲକୁ ଚୌଦ୍ବାର ନିକଟରେ ବେଆଇନ୍ ଭାବେ ଅନ୍ଲୋଡ୍ କରି ବିକ୍ରି କରାଯାଉଥିବା ବେଳେ ଏସ୍ଟିଏଫ୍ ହାତରେ ଧରାପଡ଼ିଛି। ଏସ୍ଟିଏଫ୍ ଟିମ୍ ଚଢ଼ାଉ ବେଳେ ୯ଟି ଟ୍ରକ୍, ଗୋଟିଏ ଜେସିବି ସହ ୨୮୦ ଟନ୍ରୁ ଅଧିକ ପରିମାଣର ହାର୍ଡକୋକ୍ ଜବତ କରାଯାଇଛି। ଲୁଟ୍ରେ ସାମିଲ ଥିବା ୯ଜଣ ଡ୍ରାଇଭର ଓ ୨ଜଣ ବେପାରୀଙ୍କୁ ମିଶାଇ ୧୧ଜଣଙ୍କୁ ଚୌଦ୍ବାର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ରାକେଟ୍ର ମାଷ୍ଟର୍ମାଇଣ୍ଡ୍ ଫେରାର୍ ହୋଇ ଯାଇଛି।
ସୂଚନାଯୋଗ୍ୟ ଯେ ଶନିବାର ଅପରାହ୍ନରେ ଚୌଦ୍ବାର ଥାନା ଟିପିଏମ୍ ଫାଣ୍ତି ଅନ୍ତର୍ଗତ ନୂଆପାଟଣା ଛକ କଫି ବାର୍ ନିକଟସ୍ଥ ଶ୍ରୀରାମ ଫାଇନାନ୍ସ ପାଚେରି କଡ଼ରେ ଥିବା ଡିପୋରେ ଯାଜପୁର ଭିସା ଷ୍ଟିଲ୍ରୁ ହାର୍ଡକୋକ୍ ଭର୍ତ୍ତି କରି ଆସିଥିବା ୯ଟି ୧୨-୧୪ଚକିଆ ଟ୍ରକ୍ ପାର୍କିଂ କରାଯାଇଥିଲା। ଟ୍ରକ୍ଗୁଡ଼ିକରୁ ହାର୍ଡକୋକ୍ କଞ୍ଚାମାଲ ବେଆଇନ ଭାବେ କଢ଼ାଯିବା ସମୟରେ ଏସ୍ଟିଏଫ୍ ଟିମ୍ ଚଢ଼ାଉ କରିଥିଲା। ଅତିରିକ୍ତ ଏସ୍ପି ତେଜରାଜ୍ ପଟେଲଙ୍କ ନେତୃତ୍ବରେ ଏସ୍ଟିଏଫ୍ ଟିମ୍ ଅପରାହ୍ନ ୨ଟାରୁ ଚଢ଼ାଉ ଆରମ୍ଭ କରିଥିଲା ଯାହା ସଂଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ସମୟରେ ୯ଟି ଗାଡ଼ିରେ ବୋଝେଇ ହୋଇଥିବା କଞ୍ଚାମାଲକୁ ଛାଡ଼ି ୫୦ ଟନ୍ରୁ ଅଧିକ ଓଜନର କଞ୍ଚାମାଲ୍ ଡିପୋରେ ମହଜୁଦ ଥିବା ଦେଖାଯାଇଥିଲା। ଚଢ଼ାଉରେ ଏସ୍ଟିଏଫ୍ ଟିମ୍ ୨୮୦ ଟନ୍ରୁ ଅଧିକ ଓଜନର ହାର୍ଡକୋକ୍ ଜବତ କରିଥିଲା, ଯାହାର ମୂଲ୍ୟ ପାଖାପାଖି ୧କୋଟି ଟଙ୍କା ହେବ ବୋଲି ଅତିରିକ୍ତ ଏସ୍ପି ଶ୍ରୀ ପଟେଲ କହିଛନ୍ତି। ଏହି ଚୋରା ହାର୍ଡକୋକ୍ ମାଫିଆମାନେ ଯାଜପୁର ଓ ପାରାଦୀପ ଅଞ୍ଚଳରୁ ଅନ୍ୟ ରାଜ୍ୟରୁ ଯାଉଥିବା ଗାଡ଼ିର ଡ୍ରାଇଭର ଓ ମାଲିକମାନଙ୍କୁ ପ୍ରଲୋଭନ ଦେଖାଇ ସେଥିରୁ କଂଚାମାଲ କାଢ଼ିବା ସହ ପୁନର୍ବାର କଞ୍ଚାମାଲର କାଗଜପତ୍ର କରାଇ ଲକ୍ଷ ଲକ୍ଷ ଟଙ୍କାରେ ବିଭିନ୍ନ କଂପାନିକୁ ବିକ୍ରି କରୁଥିବା ଜଣାପଡ଼ିଛି।
ରାକେଟ୍ର ଚେର ଚଣ୍ତିଖୋଲ, ମଙ୍ଗୁଳି, ଚୌଦ୍ବାର, ଖୁଣ୍ଟୁଣୀରୁ ରାୟପୁର, ଭାଇଜାଗ୍, ଛତିଶଗଡ଼, ମହାରାଷ୍ଟ୍ର ରାଜ୍ୟକୁ ଲମ୍ବିଥିବା ଜଣାପଡ଼ିଛି। ଏହି ହାର୍ଡକୋକ୍ କଞ୍ଚାମାଲ ମାଇନିଂ ବିଭାଗ ଅଧୀନରେ ଆସୁ ନ ଥିବା ବେଳେ କଷ୍ଟମ୍ ଆଣ୍ତ ଏକ୍ସସାଇଜ୍ ଅଧୀନରେ ଆସୁଛି। ଫଳରେ ଚୋରା ବେପାରୀମାନେ ମାଇନିଂ ବିଭାଗକୁ ଚକ୍ମା ଦେଖାଇ ବେପାର କରିବାରେ ସକ୍ଷମ ହେଉଥିବା ବେଳେ ପରୋକ୍ଷରେ ସ୍ଥାନୀୟ ପୁଲିସ୍ ସେମାନଙ୍କୁ ସହାୟତା କରୁଥିବା ଚର୍ଚ୍ଚା ହେଉଛି। ଯାଜପୁରର ଭିସା କଂପାନିରୁ କ୍ରମାଗତ ଭାବେ ଏହି ହାର୍ଡକୋକ୍ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ଚଣ୍ତିଖୋଲ, ଟାଙ୍ଗୀ, ମଙ୍ଗୁଳି, ନୂଆପାଟଣା ଓ ଖୁଣ୍ଟୁଣୀ ଅଞ୍ଚଳରେ ଗାଡ଼ିରୁ ମାଲ କଟିଙ୍ଗ୍ କରାଯାଉଥିବା ଅଭିଯୋଗ ହୋଇଛି। ଆଜି ଏସ୍ଟିଏଫ୍ ଟିମ୍ ଜବତ କରିଥିବା ସମସ୍ତ ୯ଟି ଗାଡ଼ି ସମେତ ୧୧ଜଣଙ୍କୁ ଚୌଦ୍ବାର ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଚଢ଼ାଉରେ ଡିଏସ୍ପି ପ୍ରବୀଣ ଚନ୍ଦ୍ର ତ୍ରିପାଠୀ, ଇନସ୍ପେକ୍ଟର ଅଶୋକ କୁମାର ଗିରି, ଏସ୍ଆଇ ଏନ୍.କେ ଦାସ ପ୍ରମୁଖ ସାମିଲ ହୋଇଥିଲେ।