ପେକ୍ସରୁ ହାର୍ଡଡିସ୍କ ଚୋରି, ପୁଲିସର ଛାନଭିନ୍

ଡୁଡୁକା: ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ମୁର୍ଷୁଣ୍ଡ ପେକ୍ସରୁ ରବିବାର ରାତିରେ ଏକ କମ୍ପ୍ୟୁଟର ହାର୍ଡଡିସ୍କ ଚୋରି ହୋଇଛି। ମଙ୍ଗଳବାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପେକ୍ସ ସମ୍ପାଦକ ତୀର୍ଥରାଜ ମହଲାଙ୍କ ସୂଚନା ଅନୁଯାୟୀ, ସୋମବାର ସକାଳ ୧୦ଟା ବେଳେ ଅଫିସର ମୁଖ୍ୟଦ୍ୱାର ତାଲା ଖୋଲିଥିଲେ। ଅଫିସର ଆଲମାରି ତାଲା ଭଙ୍ଗା ଯାଇଥିବା ଦେଖିଥିଲେ।

ଅଫିସରେ ସବୁକିଛି ଠିକ୍‌ଠାକ୍‌ ଥିଲେ ମଧ୍ୟ କେବଳ ହାର୍ଡଡିସ୍କ ଚୋରି ହୋଇଥିବା ଦେଖିଥିଲେ। ସେହିପରି ପାଖରେ ଥିବା ଉଚ୍ଚପ୍ରାଥମିକ ସ୍କୁଲର ସମସ୍ତ ଶ୍ରେଣୀଗୃହର ତାଲା ଭାଙ୍ଗାଯାଇଥିବା ବେଳେ କୌଣସି ଚୋରି ହୋଇନଥିବା ଜଣାପଡ଼ିଛି। ଏନେଇ ପେକ୍ସ ସମ୍ପାଦକ ଓ ସ୍କୁଲ ପ୍ରଧାନଶିକ୍ଷକ ସୋମବାର ସାଲେଭଟା ଫାଣ୍ଡିରେ ଏତଲା ଦେଇଥିଲେ। ମଙ୍ଗଳବାର ଲୋଇସିଂହା ଥାନା ଆଇଆଇସି ବାମଦେବ ଶଙ୍ଖୁଆଳ, ସାଲେଭଟା ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମ୍ଭାର ଓ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ସମ୍ବନ୍ଧିତ ଖବର